ବିନା ଲାଇସେନ୍ସରେ ବ୍ରହ୍ମପୁରରେ ଚାଲିଛି ମାଳ ମାଳ ପୋଷା ପଶୁପକ୍ଷୀ ବେପାର

ବ୍ରହ୍ମପୁର: ବ୍ରହ୍ମପୁରରେ ସବୁଠି ଖୋଲିଛି ମାଳମାଳ ପେଟ ସପ୍ । ସହରରେ ବର୍ଷକୁ ଶହ ଶହ କୁକୁର, ବିଲେଇ ସମେତ ବିଭିନ୍ନ ପଶୁପକ୍ଷୀ ବିକ୍ରି ହେଉଛି । ହାତ ଗଣତି ଦୋକାନକୁ ଛାଡିଲେ ଅନ୍ୟ କାହା ପାଖରେ ନାହିଁ ବୈଧ ପ୍ରମାଣପତ୍ର । ସବୁ ଦୋକାନୀଙ୍କ ପାଖରେ ଟ୍ରେଡ ଲାଇସେନ୍ସ ରହିଛି । କିନ୍ତୁ ପ୍ରାଣୀ ଚାଲାଣ ପାଇଁ ଆବଶ୍ୟକ ପ୍ରାଣୀ ସମ୍ପଦ ବିଭାଗର ଲାଇସେନ୍ସ ନାହିଁ । ସେପଟେ ସବୁ ଜାଣିଶୁଣି ବିଭାଗ ଚୁପ ବସିଥିବା ଅଭିଯୋଗ ହେଉଛି ।

ବ୍ରହ୍ମପୁରର ଗଳିକନ୍ଦିରେ ଖୋଲିଛି ପେଟ୍ ସପ୍ । ମାଛ ସହ କୁକୁର, ବିଲେଇ, ଠେକୁଆ, ମୂଷା ଓ ବିଭିନ୍ନ ପ୍ରଜାତୀର ପକ୍ଷୀ । ସହରରେ ରହିଛି ଏପରି ୩୦ରୁ ଅଧିକ ଦୋକାନ । ହେଲେ ୭ ଜଣଙ୍କୁ ରାଜ୍ୟ ପ୍ରାଣୀ କଲ୍ୟାଣ ବୋର୍ଡ ପକ୍ଷରୁ ମିଳିଛି ଅନୁମତି । କିଛି ଦୋକାନୀଙ୍କୁ ଆକ୍ୟୁଆରିୟମ ଓ ପେଟ୍ସ ଅନୁମତି ମିଳିଥିବାବେଳେ ଅନେକଙ୍କ ନିକଟରେ ନାହିଁ ଆବଶ୍ୟକ କାଗଜପତ୍ର । ଛୋଟିଆ ଜାଲିରେ ପଶୁପକ୍ଷୀଙ୍କୁ ଆବଦ୍ଧ କରି ରଖାଯାଉଛି । ଏହାସହ ସେଠାରେ ଉପଯୁକ୍ତ ଲାଇଟ୍, ଅଗ୍ନି ପ୍ରତିରୋଧକ ଯନ୍ତ୍ର, ଇନର୍ଭଟର ମଧ୍ଯ ନାହିଁ । ପଶୁପକ୍ଷୀଙ୍କ ସ୍ବାସ୍ଥ୍ଯ ପରୀକ୍ଷା ମଧ୍ଯ ହେଉନାହିଁ । ଦୋକାନୀ ନିୟମ ମାନୁ ନଥିବା ବେଳେ କେବଳ ଲାଭ ଆଶାରେ ରହିଥିବାରୁ ଚାଲିଯାଉଛି ବହୁ ପ୍ରାଣୀଙ୍କ ଜୀବନ ।

ପୋଷା ଜନ୍ତୁ ବିକ୍ରି କରିବାକୁ ହେଲେ ରାଜ୍ୟ ପ୍ରାଣୀ କଲ୍ୟାଣ ବୋର୍ଡରୁ ଅନୁମତି ପତ୍ର ଆବଶ୍ୟକତା । ୨୦୧୮ ମସିହାରୁ ଏହି ନିୟମ କଡାକଡି ଭାବେ ଲାଗୁ କରାଯାଇଛି । କ୍ରୁଏଲ୍ଟି ଟୁ ଆନିମଲ୍ ଗଠନ କରାଯାଇଛି । ଦୋକାନୀର ସମ୍ପୂର୍ଣ୍ଣ ତଥ୍ୟ ଯାଞ୍ଚ କରିବା ପରେ ବିଭାଗ ପକ୍ଷରୁ ଅନୁମତି ପତ୍ର ମିଳିଥାଏ । ଗତ ୧୦ ତାରିଖରେ ଅଗ୍ନିକାଣ୍ଡରେ ୨ଟି ଲେଖାଏଁ କୁକୁର ଓ ବିଲେଇର ମୃତ୍ୟୁ ଘଟିଥିଲା । ତଥାପି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହଁ । ସେପଟେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କହିବା କଥା, ଦୁଇ ବର୍ଷ ମଧ୍ଯରେ କେହି ବି ଲାଇସେନ୍ସ ପାଇଁ ଆବେଦନ କରି ନାହାନ୍ତି । ସରକାରଙ୍କ ଦ୍ଵାରା ଏସପିସିଏର ସ୍ବତନ୍ତ୍ର ଟିମ ଓ ଅଧିକାରୀ ନିଯୁକ୍ତି କରାଗଲେ ଏହା ଉପରେ ଠିକ ନଜର ରଖାଯାଇ ପାରିବ ।