ଅଞ୍ଜଳିର ଅନ୍ତିମ ବିଦାୟ ଦେଖିଲା ଓଡ଼ିଶା

ପାରଳାଖେମୁଣ୍ଡି: ଆଜିର ଯୁଗରେ ନିଜର ବନ୍ଧୁ ବାନ୍ଧବ ସମ୍ପର୍କୀୟ ଏମିତି କି ପରିବାରକୁ ମଧ୍ୟ ଅସମୟରେ ଭୁଲି ଯାଏ ମଣିଷ  । ତଥାପି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ମାନବିକତାର ସହ ପଶୁକୁ ମଧ୍ୟ ଆତ୍ମୀୟ ଭଳି ଭଲ ପାଆନ୍ତି । ସେହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ପାରଳାଖେମୁଣ୍ଡି ସହରରେ। ପୋଷା କୁକୁର ଅଞ୍ଜଳିର ମୃତ୍ୟୁ ପରେ ବି ତାର ଅନ୍ତିମ ସତ୍କାର ସମୟରେ ତାକୁ କେତେ ଭଲ ପାଉଥିଲା ପୁରା ପରିବାର ଏ ଦୃଶ୍ୟ ଦେଖିଲେ ଆପଣ ନିଶ୍ଚୟ ଅନୁମାନ କରିପାରୁଥିବେ ।

ପୋଷା କୁକୁରର ଏଭଳି ଭାଗ୍ୟ ଯେ ମୃତ୍ୟୁ ବେଳେ ପରିବାରର ଜଣେ ସଦସ୍ୟଙ୍କୁ ହରାଇବା ଭଳି ତା ମାଲିକ ଶୋକ ପ୍ରକାଶ କରିବା ସହ ସ୍ୱତନ୍ତ୍ର ଗାଡ଼ିରେ ବାଜା ବଜାଇ ପଟୁଆରରେ ଅନ୍ତିମ ବିଦାୟ ଦେଇଛନ୍ତି । ଶୁଣିବାକୁ ଟିକେ ଅଡ଼ୁଆ ଲାଗିଲେ ମଧ୍ୟ ଏହା ସତ । ଆଜି ସକାଳୁ ପାରଳାଖେମୁଣ୍ଡିର ଆନ୍ଧ୍ର ବ୍ୟାଙ୍କ ନିକଟରେ ରହୁଥିବା ଟୁନୁ ଗୌଡ଼ଙ୍କ ପୋଷା କୁକୁର ଅଞ୍ଜଳିର ମୃତ୍ୟୁ ଘଟିଥିଲା  । ୧୭ ବର୍ଷ ଧରି ଲାଳନ ପାଳନ କରି ଘରେ ରଖିଥିବା ଟୁନୁଙ୍କ ପରିବାର ଶୋକରେ ଭାଙ୍ଗିପଡିଥିଲା  ।

ମଣିଷଙ୍କୁ ଯେଭଳି ରୀତିନୀତିରେ ଅନ୍ତିମ ସଂସ୍କାର କରାଯାଏ ସେଭଳି ଫୁଲ ସୁସଜିତ ଗାଡ଼ିରେ ବାଜା ବଜାଇ ଏକ ପଟୁଆରରେ ସହର ପରିକ୍ରମା କରି ଶ୍ମଶାନ ଘାଟରେ ପହଞ୍ଚିଛନ୍ତି । ହେଲେ ଟୁନୁଙ୍କ ପଶୁଙ୍କ ପ୍ରତି ଭଲପାଇବା ଓ କୁକୁରର ମୃତ୍ୟୁ ପରେ ତାକୁ ଯେଉଁ ପ୍ରକାର ଅନ୍ତିମ ବିଦାୟ ଦିଆଗଲା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଆଉ ମଣିଷ ପ୍ରତି ପଶୁର ରହିଥିବା ଅଗାଢ ବିଶ୍ବାସ ଓ ବନ୍ଧୁତ୍ୱର ପ୍ରତିଫଳନ ସଦୃଶ ପଶୁ ପ୍ରତି ମନୁଷ୍ୟର ସମ୍ମାନ ଓ ଭଲ ପାଇବାର ଉଦାହରଣ ଦେଖିବାକୁ ମିଳିଛି ।