spot_img

Latest Posts

ଲୋକ ପ୍ରତିନିଧି ମାନେ ଶିକ୍ଷକ ବଦଳି ପାଇଁ କରି ପାରିବେ ସୁପାରିସ, ସମାଲୋଚନା କଲା ବିଜେଡି, କଂଗ୍ରେସ, ଓଷ୍ଟା

ଭୁବନେଶ୍ବର: ଯୋଗ୍ୟତା ଭିତ୍ତିରେ ଲୋକ ପ୍ରତିନିଧି ମାନେ ଏଣିକି ଶିକ୍ଷକ ବଦଳି ପାଇଁ ସୁପାରିସ କରି ପାରିବେ। ପ୍ରତି ସାଂସଦ ଓ ବିଧାୟକ ଗୋଟିଏ ଶିକ୍ଷା ବର୍ଷରେ ନିଜ ନିର୍ବାଚନ ମଣ୍ଡଳୀର ସର୍ବୋଚ୍ଚ ୧୫ ଜଣଙ୍କ ଜିଲ୍ଲା ଭିତରେ ବଦଳି ପାଇଁ ସୁପାରିସ କରିପାରିବେ । ଅନେକ ଶିକ୍ଷକ ବଦଳି ପାଇଁ ଲୋକ ପ୍ରତିନିଧିମାନଙ୍କ ପାଖକୁ ଯାଇଥାନ୍ତି । ସେମାନଙ୍କ ଅସୁବିଧାକୁ ବିଚାରକୁ ନେଇ ବଦଳି ପାଇଁ ସୁପାରିଶ କରି ପାରିବେ। ଏଥିରେ କୌଣସି ଦୁର୍ନୀତି ହେବ ନାହିଁ। ୬ବର୍ଷରୁ ଉର୍ଦ୍ଧ ସମୟ ଧରି ଥିବା ଶିକ୍ଷକମାନଙ୍କ  ବଦଳି ପାଇଁ ସୁପାରିଶ କରାଯାଇପାରିବ। ୧୫ ମେ ରୁ ୧୫ ଜୁନ୍ ଭିତରେ ଲୋକସଭା ସାଂସଦ ଓ ବିଧାୟକ ଜିଲ୍ଲାପାଳଙ୍କୁ ତାଲିକା ଦେବେ । ମାତ୍ର ରାଜ୍ୟ ସଭା ସାଂସଦ ମାନେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ତାଲିକା ଦେବେ ବୋଲି ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।

ଅନ୍ୟପଟେ ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ବଦଳି ପାଇଁ ସୁପାରିଶ କରିବୁ ନାହିଁ। ଏହାକୁ ଅଫିସିଆଲ କରାଯାଇଥିବା ସତ୍ୱେ ସୁପାରିଶ କରିବୁ ନାହିଁ। ସେଥିପାଇଁ BEO, ସ୍କୁଲ କମିଟି, ସ୍କୁଲ ଅଧ୍ୟକ୍ଷ ଅଛନ୍ତି।  ଯେଉଁଠି ସେମାନେ ଅନୁଭବ କରିବେ, ବଦଳି କରିବେ କି ଶିକ୍ଷକ ନଥିବା ସ୍କୁଲକୁ ଶିକ୍ଷକ ଦେବେ। ଅତି ଜରୁରୀକାଳୀନ କି ମେଡିକାଲ କେଶରେ ଆମେ କହି ପାରୁ। ହେଲେ ସୁପାରିଶ କରିବୁ ନାହିଁ। ଶିକ୍ଷକ କିଛି ଭୁଲ କରୁ ନାହାନ୍ତି।  ସେମାନେ ଭୟଭୀତ ନ ହୁଅନ୍ତୁ। ସରକାର ତ କହିଥିଲେ, ଶିକ୍ଷକ ଅଭାବ ପୂରଣ କରିବେ। ହେଲେ କେତେ କଲେ? ସରକାର କଣ କରିବେ, ସମୟ କହିବ।  ଶିକ୍ଷକମାନେ ତାଙ୍କ କାମ କରୁଛନ୍ତି। ତାଙ୍କୁ ହଇରାଣ ନ କରାଯାଉ। ଦଳୀୟ ଭିତ୍ତିରେ ଶିକ୍ଷକଙ୍କୁ ହଇରାଣ ନ କରାଯାଉ ବୋଲି ପ୍ରମିଲ୍ଲା ମଲ୍ଲିକ କହିଛନ୍ତି।

ଶିକ୍ଷକ ବଦଳିରେ ବିଧାୟକ, ସାଂସଦଙ୍କ ସୁପାରିଶ ନିଷ୍ପତ୍ତି ବିରୋଧରେ ବର୍ଷିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି। ସେ ପ୍ରଶ୍ନ କରିଛନ୍ତି, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କଣ ନିଜେ ସ୍ୱଚ୍ଛ ? ସେ ତ ନିଜେ ସ୍ୱଚ୍ଛ ନୁହଁନ୍ତି। ସେ ଆସିବା ଦିନଠାରୁ ୩୦୦୦ ବଦଳି କରି ସାରିଲେଣି। ନବରଙ୍ଗପୁର, କୋରାପୁଟରୁ ବଦଳି କରି କରି ଶିକ୍ଷକ ଖାଲି କରି ଦେଇଛନ୍ତି। ସେ ଟଙ୍କା ଖାଇବା ମୁଁ ଦେଖିନି। ହେଲେ ଲୋକ ଯାହା କହୁଛନ୍ତି ସେ ବୁଝିବା ଦରକାର। ଗଣଶିକ୍ଷା ମନ୍ତ୍ରୀ କେବେ ବି ବିରୋଧୀଙ୍କ କାମ କରନ୍ତି ନାହିଁ। ବଦଳି ପାଇଁ ଯଦି ବିରୋଧୀ ବିଧାୟକ ସୁପାରିଶ କରିବେ, ତାହା ସେ କରିବେ ନାହିଁ ବୋଲି କହିଛନ୍ତି ତାରା ବାହିନୀପତି।

ଶିକ୍ଷକ ବଦଳିରେ ବିଧାୟକ, ସାଂସଦଙ୍କ ସୁପାରିଶ ବିରୋଧରେ ପ୍ରଶ୍ନ ଉଠାଇଛି ଓଷ୍ଟା। କେବଳ ଅଫଲାଇନରେ କାହିଁକି ଆବେଦନ ହେବ, ଅନଲାଇନ ଆବେଦନ ବି ହେଉ। କେବଳ ଅଫଲାଇନ ହେଲେ ମେଡିକାଲ ବା ସ୍ପାଉସ ସ୍ତରରେ ବଦଳି ହେବନି। ଦଳୀୟ ଭିତ୍ତିରେ ବଦଳି ନ ହେଉ। ସବୁ ଦଳର ବିଧାୟକମାନଙ୍କ ସୁପାରିଶକୁ ଅଗ୍ରାଧିକାର ଦିଆଯାଉ। କାରଣ ବିଜ୍ଞପ୍ତିରେ ଲେଖାଯାଇଛି ଯେ ଆବଶ୍ୟକତା ଭିତ୍ତିକୁ ଅଗ୍ରାଧିକାର ଦିଆଯିବ। ଶିକ୍ଷକ ଅଭାବ ଅଛନ୍ତି। ରାସନାଲାଇଜେସନକୁ ଗୁରୁତ୍ୱ ଦିଆଯାଇ ଶିକ୍ଷକ ଅଭାବ ଥିବା ସ୍କୁଲକୁ ଶିକ୍ଷକ ବଦଳି ହେଉ। ହେଲେ ଯେଉଁ ନିୟମ କରାଯାଇଛି ଯେ, ଗାଁରୁ ସହର ବଦଳି ହୋଇ ପାରିବ ନାହିଁ, ତାହା ପରିବର୍ତ୍ତନ କରାଯାଉ। ନ ହେଲେ ମେଡିକାଲ କି ସ୍ପାଇଜ୍ କ୍ଷେତ୍ରରେ ଏହା ବି ଅସୁବିଧା ଆଣିବ। ଯେଉଁମାନେ ଜିଲ୍ଲା ବାହାରକୁ ଯିବାକୁ ଚାହିଁବେ, ସେମାନଙ୍କୁ ଯିବାକୁ ଦିଆଯାଉ ବୋଲି ଓଷ୍ଟା କହିଛି।

Latest Posts

Don't Miss