ଜଙ୍ଗଲ ନିଆଁ ମନୁଷ୍ୟକୃତ ! ଚାଞ୍ଚଲ୍ୟକର ତଥ୍ୟ ଦେଲେ ପିସିସିଏଫ୍…

Jungle Fire

ଜଙ୍ଗଲ ନିଆଁ ମନୁଷ୍ୟକୃତ । ଏହି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ପିସିସିଏଫ୍ । ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବାର କାରଣ ଖୋଜିବାକୁ ବିଶେଷଜ୍ଞ କମିଟି ଗଠନ ହୋଇଛି । ତେବେ ଜଙ୍ଗଲରେ ରହୁଥିବା ଲୋକ ଜାଣିଶୁଣି ନିଆଁ ଲଗାଉଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି । ବଢୁଥିବା ତାପମାତ୍ରା ବି ଜଙ୍ଗଲ ନିଆଁର ଏକ ବଡ଼ କାରଣ ହୋଇପାରେ ବୋଲି ଆଶଙ୍କା କରାଯାଇଛି ।

ତେବେ ମଣିଷମାନେ ହିଁ ଜଙ୍ଗଲରେ ନିଆଁ ଲଗାଉଛନ୍ତି । ତେଣୁ ସେମାନଙ୍କୁ ସଚେତନ କରିବେ ରାଜ୍ୟ ସରକାର । ବୈଷୟିକ ଜ୍ଞାନକୌଶଳ ପ୍ରୟୋଗକୁ ପ୍ରାଧାନ୍ୟ ଦିଆଯିବ । ଶିମିଳିପାଳ, ଡମପଡ଼ା, ସାତକୋଶିଆ ପରି ଜଙ୍ଗଲରେ ବାରମ୍ବାର ନିଆଁ ଲାଗୁଛି । ଶିମିଳିପାଳରେ ନିଆଁ ଲିଭିଛି ସତ, ହେଲେ ପୁଣି ଭୟ ଘାରୁଛି । ବିଶେଷଜ୍ଞ ଟିମ୍ ତାପମାତ୍ରା ବୃଦ୍ଧିକୁ ଜଙ୍ଗଲ ନିଆଁର କାରଣ କହୁଥିଲେ । କିନ୍ତୁ ଜଙ୍ଗଲ ଭିତରକୁ ଯିବା ପରେ ମିଳିଛି ସାଂଘାତିକ ତଥ୍ୟ । ଜଙ୍ଗଲରେ ରହୁଥିବା ଲୋକମାନେ ମହୁଲ ଓ କୋଇଲା ସଂଗ୍ରହ ପାଇଁ ନିଆଁ ଲଗାଉଥିବା ପ୍ରାଥମିକ ରିପୋର୍ଟ ଆସିଛି ।

ଜଙ୍ଗଲରେ ନିଆଁ ଲଗାଇ ଅନେକ ଗିରଫ ବି ହୋଇଛନ୍ତି । ହେଲେ ଏହା ବାରମ୍ବାର ଘଟୁଛି । ଯାହା ବନ୍ୟଜନ୍ତଙ୍କୁ ଜୀବନ ପ୍ରତି ସୃଷ୍ଟି କରୁଛି ବିପଦ । ଏହା ରୋକିବାକୁ ନିୟମିତ ଜଙ୍ଗଲ ବୁଲିବେ ବିଭାଗୀୟ ଅଧିକାରୀ । ଜିପିଏସ୍, ସିସିଟିଭି ସହ ଅନ୍ୟ ବୈଷୟିକ ଜ୍ଞାନକୌଶଳ ମଧ୍ୟ ବ୍ୟବହାର କରାଯିବ । ସବୁଜ ବନାନୀକୁ ଜଙ୍ଗଲ ଓ ପରିବେଶ ବିଭାଗ ମିଶନ ଭାବେ ନେବାକୁ ଯାଉଛି । ବର୍ତ୍ତମାନ ରାଜ୍ୟରେ ୫୬ ହଜାର ୨୬୭ ବର୍ଗ କିଲୋମିଟର ଜଙ୍ଗଲ ଅଛି । ଯାହା ଓଡ଼ିଶାର ଭୌଗୋଳିକ ସ୍ଥିତିର ୩୬ ଦଶମିକ ୧୪ ପ୍ରତିଶତ । ଦେଶର ୩୩ ପ୍ରତିଶତ ଜଙ୍ଗଲରୁ ଏହା ୩ ଦଶମିକ ୧୪ ଶତାଂଶ ।

Leave a Reply