ପୋଲ ଅଛି, ହେଲେ ରାସ୍ତା ନାହିଁ : ୨ କିମି ଥିବା ରାସ୍ତା ପାଇଁ ୮ କିମି ବୁଲୁଛନ୍ତି ଅଞ୍ଚଳବାସୀ

ସୋନପୁର: ପୋଲ ଅଛି, ହେଲେ ରାସ୍ତା ନାହିଁ । ନାହିଁ ନଥିବା ଅବସ୍ଥାରେ ଯାତାୟତ କରୁଛନ୍ତି ଲୋକେ । ଗାଡ଼ି ମଟର ତ ଦୂରର କଥା ଚାଲି ଚାଲି ଯିବା ବି ଅସମ୍ଭବ । ଫଳରେ ୨ କିମି ଥିବା ରାସ୍ତା ପାଇଁ ୮ କିମି ବୁଲୁଛନ୍ତି ଅଞ୍ଚଳବାସୀ। ଏ ଦୃଶ୍ୟ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅତାସିଂହାରୁ ବଲାଙ୍ଗୀର ଜିଲ୍ଲା ବଇରାସରକୁ ଯାଇଥିବା ରାସ୍ତାର ଦୃଶ୍ୟ । ମଝିରେ ତିଆରି ହୋଇଛି କୋଟିଏ ରୁ ଅଧିକ ଟଙ୍କା ଖର୍ଚ୍ଚରେ ଏକ ସେତୁ । ଦୀର୍ଘ ୪ ବର୍ଷ ପରେ ବି ଏହାକୁ ରାସ୍ତା ସଂଯୋଗ ହୋଇନଥିବାରୁରୁ କାମରେ ଆସୁନି ସେତୁ । ଏହି ରାସ୍ତା ଦେଇ ଅତାସିଂହା ତଥା ଆଖ ପାଖ ଅଂଚଳର ଲୋକେ ବଇରାସର୍ ଦେଇ ତରଭା ବ୍ଲକ ସଦର ମହକୁମାକୁ ଯିବା ଆସିବା କରିବା କଥା । ହେଲେ ରାସ୍ତା ନଥିବାରୁ ସେମାନଙ୍କୁ ୮ ରୁ ୧୦ କିମି ରାସ୍ତା ବୁଲି ଯିବାକୁ ପଡୁଛି ।

ଦୀର୍ଘ ଦିନର ଦାବି ପରେ ୨୦୨୧ ମସିହାରୁ ବଲାଙ୍ଗିର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ଆରମ୍ଭ ହୋଇ ଥିଲା ସେତୁ କାମ। ପ୍ରାୟ ୧ କୋଟି ୧୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସେତୁ ନିର୍ମାଣ ମଧ୍ୟ ହେଲା । ହେଲେ ଫଳ ଶୂନ । ଉଭୟ ପଟୁ ରାସ୍ତା ସଂଯୋଗ ହୋଇ ନପାରିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି । ଏନେଇ ବିଭିନ୍ନ ରାଜନେତା ଠୁ ଆରମ୍ଭ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କେହି ଶୁଣୁ ନଥିବା ଅଭିଯୋଗ ହୋଇଛି । ବଲାଙ୍ଗିର ଓ ସୁବର୍ଣ୍ଣପୁର ଉଭୟ ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି ।