ପଞ୍ଚମ ଦିନରେ ବାଲିଯାତ୍ରା, କଟକ-ଇନ-କଟକ ଦେଖିବାକୁ ଆଗ୍ରହ ଦେଖଣାହାରୀ

1 min read

କଟକ: ଜମୁଛି କଟକର ଐତିହାସିକ ବାଲିଯାତ୍ରା । ଆଜି ଯାତ୍ରାର ପଞ୍ଚମ ଦିନ । ଉପର ଓ ତଳ ବାଲିଯାତ୍ରା ପଡିଆରେ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି । ତଳ ପଡିଆରେ ନୂଆ କରି ହୋଇଥିବା କଟକ- ଇନ-କଟକ ଦେଖିବାକୁ ଲୋକ ବେଶି ଆଗ୍ରହ ଦେଖାଉଛନ୍ତି । ଏଥିରେ କଟକ ସହରର ଚଣ୍ଡୀ ମନ୍ଦିର, ଧବଳେଶ୍ବର ମନ୍ଦିର, କଦମୀ ରସୁଲ, ଯୋବ୍ରାର ଗୁରୁଦ୍ବାର , ଚର୍ଚ୍ଚ ଭଳି ଅନେକ ଧାର୍ମିକ ପୀଠର ପ୍ରତିକୃତି ପ୍ରତିଷ୍ଠା କରାଯାଇଛି ।

ଏଥି ସହିତ ଏହା ଭିତରେ ଏକ ସବୁଜ ବଳୟ ସୃଷ୍ଟି କରାଯାଇଛି ଯେଉଁଠି ଲୋକମାନେ ବୁଲାବୁଲି କରି ବେଶ କିଛି ସମୟ କଟାଉଛନ୍ତି । ସଂଧ୍ୟା ହେବା କ୍ଷଣି ସାଂସ୍କୃତିକ କାର୍ଯ୍ୟକ୍ରମରେ ବେଶ ମସଗୁଲ ହେଉଛନ୍ତି ଦର୍ଶକ ।

ଚଳିତବର୍ଷ ଉପର ଏବଂ ତଳ ବାଲିଯାତ୍ରା ପଡିଆରେ ୧୭ ଶହ ଷ୍ଟଲ ବସିଛି । ମୁଖ୍ୟ ଆକର୍ଷଣ ସାଜିଛି ଦୋଳି, ମୀନା ବଜାର ଓ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା । ପଲ୍ଲୀଶ୍ରୀ ମେଳାର ୪୫୯ ଷ୍ଟଲରେ ୧ହଜାରରୁ ଅଧିକ ବ୍ୟବସାୟୀ ବ୍ୟବସାୟ କରୁଛନ୍ତି । ୨ବର୍ଷ ପରେ ଯାତ୍ରା ହେଉଥିବାରୁ ଭଲ ବ୍ୟବସାୟ ହେବାନେଇ ସମସ୍ତେ ଆଶାବାଦୀ । ଅଧିକ ଗହଳି ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି କମିଶନରେଟ ପୋଲିସ । ମୁତୟନ ହୋଇଛନ୍ତି ୫୦ ପ୍ଲାଟୁନ ଫୋର୍ସ । ସିସିଟିଭି କ୍ୟାମେରା ସାଙ୍ଗକୁ ତଳ ଓ ଉପର ଯାତ୍ରା ପଡ଼ିଆରେ ୧୧ଟି ପୋଲିସ ସହାୟତା କେନ୍ଦ୍ର ରହିଛି ।