କଂଗ୍ରେସକୁ ମୁଖିଆ ଚିନ୍ତା, ଲୋକେ ବାଛିବେ ପିସିସି ସଭାପତି
ଭୁବନେଶ୍ବର: ଲୋକେ ବାଛିବେ କଂଗ୍ରେସ ମୁଖିଆ । ଓଡ଼ିଶା କଂଗ୍ରେସକୁ ଆଗକୁ ନେବାକୁ ହାଇକମାଣ୍ଡ ଷ୍ଟିୟରିଂ କମିଟି ଗଠନ କରିବା ପରେ କମିଟି ଏପରି ଏକ ରୋଡମ୍ୟାପ ପ୍ରସ୍ତୁତ କରିଛି । ଖୁବଶୀଘ୍ର ଷ୍ଟିୟରିଂ କମିଟିର ସଦସ୍ୟ ଗ୍ରାଉଣ୍ଡକୁ ଯାଇ କଂଗ୍ରେସ ସଂଗଠନ ଉପରେ ମତାମତ ନେବେ । ମତାମତକୁ ଆଧାର କରି ନୂଆ ନେତୃତ୍ବ ବଛାଯିବ ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି । ଯାହାକୁ ନେଇ କଂଗ୍ରେସରେ ଆରମ୍ଭ ହୋଇଛି ନୂଆ ସମୀକରଣ ।
କଂଗ୍ରେସ ମୁଖିଆ ସସପେନ୍ସ ଉପରୁ ପରଦା ହଟୁ ନଥିବାବେଳେ ପରବର୍ତ୍ତୀ ମୁଖିଆ ବାଛିବା ନେଇ ଦଳ ଚଳାଇଛି ଜୋରଦାର ପ୍ରସ୍ତୁତି । ଏହା ଭିତରେ ପ୍ରସ୍ତତ ହୋଇଛି ଏକ ରୋଡମ୍ଯାପ । ଲୋକେ ହିଁ ବାଛିବେ ପିସିସି ସଭାପତି । ୨୪ ବର୍ଷ ଧରି ଓଡ଼ିଶାବାସୀଙ୍କ ବିଶ୍ବାସ ହରାଇଥିବା କଂଗ୍ରେସ ଏବେ ଲୋକଙ୍କ କଥାରେ ମୁଖିଆ ବାଛିବ । ଏଥିଲାଗି ଦଳ ୨୧ ଜଣିଆ ଷ୍ଟିୟରିଂ କମିଟିକୁ ମାଧ୍ୟମ କରିଛି । ସାଧାରଣ ଲୋକ ଓ ହାଇକମାଣ୍ଡ ମଧ୍ୟରେ ସେତୁ ପରି କାମ କରିବ ଷ୍ଟିୟରିଂ କମିଟି । ଗାଁ ଗାଁକୁ ଯାଇ କଂଗ୍ରେସ ସଂଗଠନ ନେଇ ମତାମତ ନେବା ସହ କ’ଣ କଲେ କଂଗ୍ରେସ ଲୋକଙ୍କ ବିଶ୍ବାସ ଓ ଭରସା ଜିତିବ ତାହାର ତଥ୍ୟ ସଂଗ୍ରହ କରିବେ କମିଟି ସଦସ୍ଯ । ଲୋକଙ୍କ ମତାମତକୁ ହାଇକମାଣ୍ଡକୁ ଅବଗତ କରିବେ କମିଟିର ସଦସ୍ୟ । ଏହି ଆଧାରରେ କଂଗ୍ରେସ ମୁଖିଆ ସ୍ଥିର ହେବେ । ଖୁବଶୀଘ୍ର କମିଟି ସଦସ୍ୟମାନେ ଗ୍ରାଉଣ୍ଡକୁ ଯାଇ କାମ ଆରମ୍ଭ କରିବେ ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି । ଷ୍ଟିୟରିଂ କମିଟିର ପ୍ରଥମ ବୈଠକରେ ପିସିସି ମୁଖିଆକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିବା ବେଳେ ଲୋକଙ୍କ ଦ୍ବାରା ନେତା ବାଛିବାକୁ ଦଳର କିଛି ନେତା ମତାମତ ଦେଇଥିଲେ । ଅନ୍ୟପଟେ ହାଇକମାଣ୍ଡ ଯାହାକୁ ନେତୃତ୍ବ ଦେବେ ତାଙ୍କ ନେତୃତ୍ବରେ ନୂଆ କଂଗ୍ରେସ ଗଠନ କରାଯିବ ବୋଲି ଯୁବ ବିଧାୟକ ପବିତ୍ର ସାଉଁଟା କହିଛନ୍ତି ।
ଷ୍ଟିୟରିଂ କମିଟିର ୨୧ ଜଣ ନେତାଙ୍କୁ ହାଇକମାଣ୍ଡ ସଂଗଠନ ଦାୟିତ୍ବ ନ୍ୟସ୍ତ କରିଛନ୍ତି । ଏହାସହ ଦଳର ମତ ଗଣମାଧ୍ୟମରେ କିଏ ରଖିବେ ତାହା ମଧ୍ୟ ସ୍ଥିର କରିଛନ୍ତି । ନୂଆ ମୁଖିଆ ନ ବଛାଯିବା ପର୍ଯ୍ୟନ୍ତ ବିନା ପିସିସି ସଭାପତିରେ ଚାଲିବ ରାଜ୍ୟ କଂଗ୍ରେସ । ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଷ୍ଟିୟରିଂ କମିଟିର ଅଧ୍ୟକ୍ଷ ଥିବାବେଳେ ୨୦ ଜଣ ନେତା କମିଟିରେ ସଦସ୍ୟ ରହିଛନ୍ତି । ଷ୍ଟିୟରିଂ କମିଟିର ପ୍ରଥମ ବୈଠକ ବସି ସଂଗଠନ ଉପରେ ଆଲୋଚନା ହେବା ସହ ମୁଖିଆ କିଏ ହେବ ଓ କେଉଁ ଆଧାରରେ ବଛାଯିବ ତାହାକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା । ୨୦୨୯କୁ ଲକ୍ଷ୍ୟ ରଖି କଂଗ୍ରେସକୁ ହାଇକମାଣ୍ଡ ରୋଡମ୍ଯାପ ପ୍ରସ୍ତୁତ କରୁଥିବା ବିଧାୟକ ଅଶୋକ ଦାସ କହିଛନ୍ତି । ଅନ୍ୟପଟେ କଂଗ୍ରେସରୁ ବହିଷ୍କୃତ ବରିଷ୍ଠ ନେତା ସୁରେଶ ରାଉତରାୟ କହିଛନ୍ତି, ଷ୍ଟିୟରିଂ କମିଟିରେ ଆଉ କିଛି ବରିଷ୍ଠ ନେତା ଓ ବିଧାୟକଙ୍କ ସ୍ଥାନ ମିଳିବା ଦରକାର ।
ଓଡ଼ିଶା କଂଗ୍ରେସ ଇତିହାସରେ ଏଆଇସିସି ପ୍ରଥମଥର ଲାଗି ଏପରି ବଡ଼ ନିଷ୍ପତ୍ତି ନେଇଛି । ସବୁ କମିଟି ଭାଙ୍ଗିବା ସହ ରାଜ୍ୟ କଂଗ୍ରେସକୁ ନୂଆ ରୂପ ଦେଇଛି । ଅଗଷ୍ଟ ୨୨ ତାରିଖରେ ଷ୍ଟିୟରିଂ କମିଟି ସଦସ୍ୟଙ୍କ ନେତୃତ୍ବରେ ଭୁବନେଶ୍ବରରେ ଇଡ଼ି ଅଫିସ ଘେରାଉ କରି ଶକ୍ତି ପ୍ରଦର୍ଶନ କରିଛି କଂଗ୍ରେସ । ହେଲେ ଦେଢ ମାସ ଧରି ଖାଲି ପଡ଼ିଥିବା ପିସିସି ସଭାପତି ପଦ ହାଇକମାଣ୍ଡ କେବେ ପୂରଣ କରୁଛନ୍ତି ତାହାକୁ ନେଇ କଂଗ୍ରେସ ଅନ୍ଦରମହଲରେ ନାନା ଚର୍ଚ୍ଚା ରହିଛି ।