କ୍ଷତିପୂରଣ ପ୍ରଦାନରେ ଚଞ୍ଚକତା: ଲୋୟର ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ ତାଲା ପକାଇ ପ୍ରତିବାଦ

ବଲାଙ୍ଗୀର: ଲୋୟର ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ ତାଲା ପକାଇ ପ୍ରତିବାଦ । କ୍ଷତିପୂରଣରେ ଚଞ୍ଚକତା ହୋଇଥିବା ଅଭିଯୋଗ କରି ଧାରଣାରେ ବସିଲେ ଆନ୍ଦୋଳନକାରୀ । ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଯୋଗୁଁ ବଲାଙ୍ଗୀର ଜିଲ୍ଲାରେ ଜଳସେଚନ ହାର ବୃଦ୍ଧି ପାଇଛି । ପ୍ରକଳ୍ପ ବିସ୍ଥାପିତ ଯେଭଳି ନିଜ ହକରୁ ବଞ୍ଚିତ ନହୁଅନ୍ତି ସେନେଇ ପୂର୍ବ ସରକାରଙ୍କ ନିର୍ଦ୍ଦେଶ ରହିଥିଲା । କିନ୍ତୁ କିଛି ଅସାଧୁ ଅଧିକାରୀଙ୍କ ଚଞ୍ଚକତା ଯୋଗୁଁ କିଛି ଲୋକ ଏବେ ବି ନ୍ୟାୟରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି ।

ବଲାଙ୍ଗୀର ତହସିଲ ଅନ୍ତର୍ଗତ ବାରପୁଡୁଗିଆ ଗାଁ । ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରେ ଆଂଶିକ ପ୍ରଭାବିତ ହୋଇଛି । ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଅଧିଗ୍ରହଣ କରାଯାଇଥିଲା । ହେଲେ ପ୍ରକୃତ ବିସ୍ଥାପିତ କ୍ଷତିପୂରଣରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି ।

କ୍ଷତିପୂରଣ ମିଳି ନଥିବା ଅଭିଯୋଗ ନେଇ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ନିକଟକୁ ଲୋକେ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି । ହେଲେ ମୁଖ୍ୟ ଯନ୍ତ୍ରୀ ଟଙ୍କା ମାଗୁଥିବା ଅଭିଯୋଗରେ ଆଜି ତାଲା ପକାଇ ବିକ୍ଷୋଭ କରିଛନ୍ତି ଅଭିଯୋଗକାରୀ । ଟାଉନ୍ ଥାନା ପୋଲିସ ଓ ବଲାଙ୍ଗୀର ଅତିରିକ୍ତ ତହସିଲଦାର ଘଟଣାସ୍ଥଳରେ ପହଁଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି । କିନ୍ତୁ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି କହିଛନ୍ତି ଆନ୍ଦୋଳନକାରୀ ।