ଲୋକଙ୍କ ଆଶା ଅନେକ, ବଜେଟରେ କେତେ ପୂରଣ କରିପାରିବେ କେନ୍ଦ୍ର ସରକାର ?

1 min read

ନୂଆଦିଲ୍ଲୀ: ଆସନ୍ତା ମାସରେ ସାଧାରଣ ବଜେଟ୍ । ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍ । ଦରଦାମ ନିୟନ୍ତ୍ରଣ, ଆୟକର ଛାଡ଼ ସୀମା ବୃଦ୍ଧି ନେଇ ସାଧାରଣ ଲୋକେ ଆଶା ରଖିଛନ୍ତି । ଏହାସହିତ ଶିକ୍ଷା ଓ ସ୍ବାସ୍ଥ୍ୟରେ ଅଧିକ ବ୍ୟୟ ବରାଦ କରିବାକୁ ମତ ରଖିଛନ୍ତି ଅର୍ଥନୀତି ସମୀକ୍ଷକ । ମୌସୁମୀର ଅନିୟମିତତା ଉତ୍ପାଦନ ଉପରେ ପ୍ରଭାବ ପକାଉଥିବାରୁ ଖାଦ୍ୟଶସ୍ୟ, ଚାଷୀଙ୍କ ସାର ସବସିଡି ବାବଦରେ ଅଧିକ ବ୍ୟୟ ବରାଦ କରିବା ନେଇ ସାଧାରଣରେ ଦାବି ହେଉଛି ।

ଦରଦାମ ବୃଦ୍ଧି, ଉଚ୍ଚ ହାରର ଜିଏସଟି । ଆୟକର ଛାଡ଼ ସୀମା ବଢୁନି । କମୁଛି ଲୋକଙ୍କ କ୍ରୟ ଶକ୍ତି । ଅତିଷ୍ଠ ହେଲେଣି ଲୋକେ । ଜୁଲାଇରେ ଆସିବାକୁ ଥିବା ପୂର୍ଣ୍ଣାଙ୍ଗ ବଜେଟରେ ଏସବୁ ପ୍ରତି ଧ୍ଯାନ ଦେବେ କି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ନିର୍ବାଚନ ପୂର୍ବରୁ ଅନ୍ତରୀଣ ବଜେଟରେ ସେ ଦେଇଥିଲେ ୪୭ ଲକ୍ଷ ୬୦ ହଜାର କୋଟି । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟରେ ସାଧାରଣ ଲୋକଙ୍କୁ କ’ଣ ମିଳିବ ? ଚାକିରିଆରୁ ଚାଷୀ, ଅଧ୍ୟାପକରୁ କ୍ଷୁଦ୍ର ବ୍ୟବସାୟୀ, ସମସ୍ତେ ଚାହିଁ ରହିଛନ୍ତି ନିର୍ମଳାଙ୍କ ପେଡ଼ିକୁ । ମୌସୁମୀର ଅନିୟମିତତା ଯୋଗୁଁ କମୁଛି ଖାଦ୍ୟ ଶସ୍ୟ ଉତ୍ପାଦନ । ଏଥରକ ବଜେଟରେ ଫସଲ ଗଚ୍ଛିତ ରଖିବା ପାଇଁ ଭଣ୍ଡାର ଗୃହ ପ୍ରତିଷ୍ଠା ଉପରେ ହୋଇପାରେ ବ୍ୟୟ ବରାଦ । ଆଳୁ, ପିଆଜ ସବୁ ଅଞ୍ଚଳରେ କିପରି ଚାଷ କରାଯାଇପାରିବ ସେ ନେଇ ଚାଷ ଓ ଚାଷୀଙ୍କୁ ପ୍ରୋତ୍ସାହନ ଦେବାକୁ ପଡ଼ିବ । ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ କେନ୍ଦ୍ର ଏନଡିଏ ସରକାର ଆୟକର ଛାଡ଼ ସୀମାକୁ ବୃଦ୍ଧି କରିପାରନ୍ତି । ବିଶେଷ କରି ମହାରାଷ୍ଟ୍ରରେ ଅଧିକ ଚାକିରିଆ ଥିବାରୁ ଓ ସେଠାରେ ଆଗକୁ ନିର୍ବାଚନ ଥିବାରୁ ଆୟକର ଛାଡ଼ ସୀମା ବଢ଼ିବା ସମ୍ଭାବନା ରହିଛି । ଭାରତୀୟ ମଜଦୁର ସଂଘ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟି ଆୟକର ରିହାତି ୭ ଲକ୍ଷରୁ ୧୦ ଲକ୍ଷ କରିବାକୁ ଅନୁରୋଧ କରିଛି ।

ଖାଦ୍ୟଠାରୁ ମୋବାଇଲ ଭାଉଚର, ଔଷଧଠାରୁ ବୀମା ସବୁଥିରେ ଉଚ୍ଚ ହାରର ଜିଏସଟି  ଲାଗୁଛି । ଜିଏସଟି ଭାର ଯୋଗୁଁ ଲୋକଙ୍କ କ୍ରୟ ଶକ୍ତି କମୁଛି । ଜିଏସଟି କମିବା ଦରକାର । ଖାଲି ସେତିକି ନୁହେଁ, ଭାରତର ଅଭିବୃଦ୍ଧି ତୁଳନାରେ ଶିକ୍ଷା ଓ ସ୍ବାସ୍ଥ୍ୟରେ ବହୁତ କମ ବ୍ୟୟ ବରାଦ ବଜେଟରେ ହେଉଛି । ଶିକ୍ଷାରେ ମାତ୍ର ୩ ପ୍ରତିଶତ ହେଉଥିବା ବେଳେ ସ୍ବାସ୍ଥ୍ୟରେ ଜିଡିପିର ମାତ୍ର ୧. ୩ ପ୍ରତିଶତ ବ୍ୟୟ ବରାଦ ହେଉଛି । ଏହାକୁ ବୃଦ୍ଧି କରି କରିବା ସହିତ ବଜେଟରେ ମଧ୍ୟବିତ୍ତଙ୍କ ଆର୍ଥିକ ସ୍ଥିତି ଉନ୍ନିତ କଲା ଭଳି ବ୍ୟବସ୍ଥା ରଖିବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।

ଆସନ୍ତା ପୂର୍ଣ୍ଣାଙ୍ଗ ବଜେଟକୁ ନେଇ ଲୋକଙ୍କ ଭିତରେ ବହୁତ ଆଶା । ନିର୍ବାଚନ ବେଳେ ମିଳିଥିବା ପ୍ରତିଶ୍ରୁତି କିପରି ପାଳନ ହେବ, ତାକୁ ବାସ୍ତବ ରୂପ ଦେବା କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ପାଇଁ ବଡ଼ ଆହ୍ବାନ ।