spot_img

Latest Posts

ସୁନ୍ଦରଗଡ଼ ଜିଲ୍ଲାରେ ସମନ୍ୱିତ ଫିଜିଓଥେରାପି ସେବା: ୧୦ ହଜାର ରୋଗୀଙ୍କ ପାଇଁ ୬୫ ହଜାରରୁ ଅଧିକ ଥେରାପି ସେସନ

ସୁନ୍ଦରଗଡ଼: ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପରିସର ଏବଂ ଜିଲ୍ଲାର ୧୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ଚାଲିଥିବା ‘ସମନ୍ୱିତ ଭୌତିକ ଚିକିତ୍ସା’ ବା ଆଧୁନିକ ଫିଜିଓଥେରାପି ସେବା ବେଶ୍‌ ଲୋକପ୍ରିୟ ହୋଇପାରିଛି। ଏହା ମାଧ୍ୟମରେ ଗତ ୮ ମାସ ମଧ୍ୟରେ ଜିଲ୍ଲାରେ ବିଭିନ୍ନ ବର୍ଗ ଓ ବୟସର ରୋଗୀଙ୍କୁ ୬୫ ହଜାରରୁ ଅଧିକ ସେସନ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି। ଡାକ୍ତରୀ ବିଜ୍ଞାନରେ ଆଜି ଅତ୍ୟାଧୁନିକ ଫିଜିଓଥେରାପି ସେବା ଗୁରୁତ୍ୱପୂର୍ଣ୍ଣ ହୋଇଛି। ଏ ବାବଦରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୮ ତାରିଖକୁ ବିଶ୍ୱ ଫିଜିଓଥେରାପି ଦିବସ ଭାବେ ପାଳନ କରାଯାଉଛି।

ସୁନ୍ଦରଗଡ଼ରେ ୨୦୨୨ ଜାନୁଆରିରୁ ସମନ୍ୱିତ ଭୌତିକ ଚିକିତ୍ସା ସେବା ଆରମ୍ଭ କରାଯାଇଛି। ଏହା ଫଳରେ ସୁନ୍ଦରଗଡ଼ ଜିଲ୍ଲାର ମୁଖ୍ୟତଃ ଗ୍ରାମାଞ୍ଚଳର ରୋଗୀମାନେ ବିଶେଷ ଉପକୃତ ହେଉଛନ୍ତି।  ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାକ୍ରମେ ଚାଲିଥିବା ଏହି ବିଶେଷ କାର୍ଯ୍ୟକ୍ରମ ଜରିଆରେ ସମସ୍ତଙ୍କୁ ମାଗଣାରେ ଫିଜିଓଥେରାପି ସେବା ଯୋଗାଇ ଦିଆଯାଉଛି। ସୁନ୍ଦରଗଡ଼ ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିସରରେ ରହିଛି ଅତ୍ୟାଧୁନିକ ‘ଥେରାପ୍ୟୁଟିକ୍ ସେଣ୍ଟର’ ବା ଭୌତିକ ଚିକିତ୍ସା ସେବା କେନ୍ଦ୍ର। ସେଠାରେ ଫିଜିଓଥେରାପି ସହ ଆଶୁ ନିରାକରଣ ଚିକିତ୍ସା, ବାକ୍ ଥେରାପି, ବ୍ୟାବହାରିକ ଚିକିତ୍ସା ଓ ତାଲିମ ଏବଂ ଶିକ୍ଷା ଥେରାପି ଭଳି ବିଭିନ୍ନ ଆଧୁନିକ ଚିକିତ୍ସା ଓ ପୁନର୍ବାସ ସେବା ଦିଆଯାଉଛି। ଏଥିରୁ ଭିନ୍ନକ୍ଷମ, ବରିଷ୍ଠ ନାଗରିକ, କର୍ମଜୀବୀ, ମହିଳା, ଶିଶୁ ତଥା ବିଭିନ୍ନ ବର୍ଗର ଲୋକେ ଉପକୃତ ହେଉଛନ୍ତି। ସେହିପରି ଜିଲ୍ଲାର ୧୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସମନ୍ୱିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ର ଖୋଲାଯାଇଛି। ସେଠାରେ ତାଲିମପ୍ରାପ୍ତ ଫିଜିଓଥେରାପିଷ୍ଟମାନଙ୍କୁ ନିଯୁକ୍ତ କରି ରୋଗୀମାନଙ୍କୁ ବିଭିନ୍ନ ପ୍ରକାରର ଥେରାପି ଦିଆଯାଉଛି। ସମସ୍ତ କେନ୍ଦ୍ରରେ ଶିଶୁଙ୍କ ସୁବିଧା ପାଇଁ ଅଲଗା ଚିକିତ୍ସା କକ୍ଷର ବ୍ୟବସ୍ଥା କରାଯାଇଛି। ଏହାସହିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ସାପ୍ତାହିକ ଓପିଡି ଜରିଆରେ ସ୍ଥାନୀୟ ରୋଗୀମାନଙ୍କୁ ଫିଜିଓଥେରାପି ସେବା ଓ ପରାମର୍ଶ ଦିଆଯାଉଛି।

ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିସରରେ ଥିବା କେନ୍ଦ୍ରରେ ଗତ ୮ ମାସ ମଧ୍ୟରେ ୧୭୩୯ ଜଣ ରୋଗୀ ବିଭିନ୍ନ ଫିଜିଓଥେରାପି ସେବା ପାଇଛନ୍ତି। ସେମାନଙ୍କୁ ୧୩ ହଜାର ୧୨୨ଟି ସେସନ ମାଧ୍ୟମରେ ସେବା ଯୋଗାଇ ଦିଆଯାଇଛି। ସେହିପରି ଜିଲ୍ଲାର ୧୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ଥିବା ସମନ୍ୱିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ରରେ ୬ ହଜାର ୩୩୯ ଜଣ ରୋଗୀ ବିଭିନ୍ନ ଥେରାପି ନେଇଛନ୍ତି। ସେମାନଙ୍କ ପାଇଁ ୬୫ ହଜାର ୯୫୦ ଥେରାପି ସେସନ କରାଯାଇଛି। ଏହାଛଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଫିଜିଓଥେରାପି କେନ୍ଦ୍ରରେ ମଧ୍ୟ ରୋଗୀମାନେ ନିୟମିତ ଚିକିତ୍ସା ପାଉଛନ୍ତି। ଅଗଷ୍ଟ ୨୦୨୨ ସୁଦ୍ଧା ଏଠାରେ ୪୦୪ଜଣ ହିତାଧିକାରୀଙ୍କୁ ବିଭିନ୍ନ କୃତ୍ରିମ ଅଙ୍ଗ ମଧ୍ୟ ଯୋଗାଇ ଦିଆଯାଇଛି।

Latest Posts

Don't Miss