ରାଜ୍ୟର ୯୦ ଲକ୍ଷ ଦଳିତ ଅସୁରକ୍ଷିତ, ସଂରକ୍ଷଣ କୋଟାରୁ ଫାଇଦା ନେଉଛନ୍ତି ଭିନ୍ନ ଜାତିର ଲୋକେ

ଭୁବନେଶ୍ବର: ବିଜେପି ସରକାର ଉପରେ କ୍ଷୁବ୍ଧ ରାଜ୍ୟର ୯୦ ଲକ୍ଷ ଅସ୍ପୃଶ୍ୟ ଦଳିତ ବର୍ଗ । ଅନ୍ୟ ପଛୁଆ ଜାତିର ଲୋକେ ଗଳାବାଟରେ ଅନୁସୂଚିତ ଜାତି ବର୍ଗରେ ସାମିଲ ହୋଇ ସେମାନଙ୍କ ଅଧିକାରକୁ ଲୁଟି ଚାଲିଛନ୍ତି । ସମ୍ବିଧାନ ପୂର୍ବରୁ ଦଳିତ ବର୍ଗର ମାନ୍ୟତା ପାଇଥିବା ଲୋକେ ଏବେ ଅସହାୟ । ସେମାନଙ୍କ କୋଟା ବ୍ୟବହାର କରୁଛନ୍ତି ଅନ୍ୟ ଜାତିର ଲୋକେ । ହାଇକୋର୍ଟ ଓ ସୁପ୍ରମିକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରି ଶକ୍ତିଶାଳୀ ବର୍ଗ ଏମାନଙ୍କୁ ହଇରାଣ କରୁଛନ୍ତି ବୋଲି ଅସଲି ଦଳିତ ବର୍ଗର ଲୋକେ ଅଭିଯୋଗ କରିଛନ୍ତି । ବିଜେପି ସରକାର ଏହାକୁ ଅନୁଧ୍ୟାନ କରି ନକଲି ଦଳିତଙ୍କୁ ତାଲିକାରୁ ହଟାଇବାକୁ ଦାବି ହୋଇଛି । ସରକାର ଏଥିପ୍ରତି ଦୃଷ୍ଟଇ ନଦେଲେ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି ଦିଆଯାଇଛି ଚେତାବନୀ ।

ସମାଜରେ ଅଛୁଆଁ ବ୍ୟାଧି ଦ୍ବାରା ପୀଡ଼ିତ ବର୍ଗ ଅନୁସୂଚିତ ଜାତିରେ ହୋଇଥିଲେ ସାମିଲ । ଏମାନଙ୍କ ପାଇଁ ଶିକ୍ଷା, ଚାକିରି, ପଦୋନ୍ନତିରେ ରହିଛି ସଂରକ୍ଷଣ ବ୍ୟବସ୍ଥା । ହେଲେ ଦଳିତଙ୍କ ସଂରକ୍ଷଣକୁ ଲୁଟୁଛନ୍ତି ଅନ୍ୟ ଜାତିର ଲୋକେ । କେଉଟ, କୈବର୍ତ୍ତ, ରାଢୀ, ନିଆରୀ ଭଳି ଜାତି ବେଆଇନ ଭାବେ ଅନୁସୂଚିତ ଜାତିରେ ସାମିଲ ହୋଇ ଅସଲି ଦଳିତଙ୍କ ଅଧିକାରକୁ ଲୁଟି ଚାଲିଥିବା ଅଭିଯୋଗ ହୋଇଛି । ୨୦୦୨ ମସିହାରେ ବନଜାରା ବା ଯାଯାବର ଯାହାକୁ ‘ଦେବର’ ସଂପ୍ରଦାୟ ବୋଲି କୁହାଯାଏ, ସେମାନଙ୍କୁ ଦଳିତ ବର୍ଗରେ ସାମିଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ଏହାର ଫାଇଦା ଉଠାଉଛନ୍ତି ରାଜ୍ୟର କିଛି ଜାତି। ‘ଦେବର’ ପ୍ରତି ଶବ୍ଦ ଧିବର କହି କେଉଟ, କୈବର୍ତ୍ତ, ରାଢୀ, ନିଆରୀ ଭଳି ଜାତିକୁ ଅନୁସୂଚିତ ବର୍ଗରେ ସାମିଲ କରାଯାଇଛି । ଏହା ସମ୍ପୂର୍ଣ୍ଣ ବେଆଇନ ଓ ଜାଲିଆତି ବୋଲି ଅଭିଯୋଗ କରିଛି ଅସ୍ପୃଶ୍ୟ ଦଳିତ ବର୍ଗ । ସମାଜରେ ଏମାନେ ଅଛୁଆଁ ନ ହୋଇ ମଧ୍ୟ ଦଳିତ ବର୍ଗଙ୍କ ପାଇଁ ଥିବା ସଂରକ୍ଷଣ ବ୍ୟବସ୍ଥାର ଲାଭ ନେଉଛନ୍ତି । ଏମାନଙ୍କୁ ଅନୁସୂଚିତ ଜାତି ତାଲିକାରୁ ବାଦ୍ ଦେବାକୁ ଦଳିତ ବର୍ଗ ଦାବି କରିଛି । ବିଜେପି ସରକାର ସତ ମିଛ ଅନୁଧ୍ୟାନ କରି ତୁରନ୍ତ ଏମାନଙ୍କୁ ଦଳିତ ତାଲିକାରୁ ହଟାଇବାକୁ ଦାବି କରିଛନ୍ତି ।

ରାଜ୍ୟରେ ୧୭ ପ୍ରତିଶତରୁ ଅଧିକ ଅନୁସୂଚିତ ବର୍ଗର ଲୋକେ ଅଛନ୍ତି । ଏମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ସମ୍ବିଧାନର ନିୟମ ଅନୁସାରେ ଶିକ୍ଷା, ଚାକିରି, ନିର୍ବାଚନରେ ୮ରୁ ୧୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି । ତାଲିକାରେ ଅସଲି ଦଳିତ ବର୍ଗ ପ୍ରାୟ ୯୦ ଲକ୍ଷ ଲୋକେ ଥିବା ବେଳେ ୨୦୦୨ ପରେ ଜାଲିଆତି କରି କେଉଟ, କୈବର୍ତ୍ତ, ଧୀବର, ରାଢୀ, ନିଆରି ଭଳି ୮ରୁ ୧୦ ଲକ୍ଷ ଅନୁସୂଚିତ ବର୍ଗରେ ସାମିଲ ହୋଇଗଲେ । ଏମାନେ ପ୍ରଭାବ ବିସ୍ତାର କରି ଅସଲି ଦଳିତଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରିବା ସହ ସମୋନଙ୍କ ସଂରକ୍ଷିତ ଆସନର ଫାଇଦା ନେଉଛନ୍ତି । ବିଧାୟକ, ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ ସବୁ ଜାଗାରେ ଏମାନେ ପ୍ରାଧାନ୍ୟ ବିସ୍ତାର କରୁଛନ୍ତି । ଯେଉଁଥି ପାଇଁ ରାଜ୍ୟରେ ଜାଲ ଜାତି ରାକେଟ ସକ୍ରିୟ ହେବା ସହ ଅନେକ ଅଭିଯୋଗ ଆସୁଛି । ବିଜେପି ସରକାର ତୁରନ୍ତ ସମସ୍ୟାର ମୂଳକୁ ଯାଇ ଏହାର ସମାଧାନ ପାଇଁ ପ୍ରୟାସ କରିବା ଦରକାର ବୋଲି ବିଶେଷଜ୍ଞ କହିଛନ୍ତି ।

ମିଛ ଜାତି ପ୍ରମାଣପତ୍ର ପ୍ରସଙ୍ଗରେ ବଲାଙ୍ଗୀରରୁ ବରଗଡ଼, ମାଲକାନାଗିରିରୁ ମୟୂରଭଞ୍ଜ, କେନ୍ଦୁଝରରୁ କେନ୍ଦ୍ରାପଡ଼ା, ସବୁଠି ପୁଳା ପୁଳା ମାମଲା । ଅସ୍ପୃଶ୍ୟ ଦଳିତ ବର୍ଗ ନିଜ ଅଧିକାର ପାଇଁ ବର୍ଷ ବର୍ଷ ଧରି ସଂଘର୍ଷ କରୁଥିବା ବେଳେ ଶୁଣିବାକୁ କେହି ନାହିଁ । ସରକାର ବଦଳିଲେ ସେମାନଙ୍କ ଭାଗ୍ୟ ବଦଳିବ ବୋଲି ଯେଉଁ ଆଶା ଥିଲା, ତାହା ବି ମଉଳିବାକୁ ବସିଲାଣି ।