ବିକାଶ ଏଠି ଅପହଞ୍ଚ: ନା ପହଞ୍ଚିଛି ରାସ୍ତା ନା ଲୋକଙ୍କୁ ମିଳୁଛି ବିଶୁଦ୍ଧ ପାନୀୟ ଜଳ

ବିକାଶ ଏଠି ଅପହଞ୍ଚ । ନା ପହଞ୍ଚିଛି ରାସ୍ତା ନା ଲୋକଙ୍କୁ ମିଳୁଛି ବିଶୁଦ୍ଧ ପାନୀୟ ଜଳ । କାଦୁଅ ପଚପଚ ରାସ୍ତା ପାଲଟିଛି ଯୋଗାଯୋଗର ମାଧ୍ୟମ । ପାଠ ପଢିବାକୁ ଆଣ୍ଠୁଏ ପାଣିରେ ପଶି ଯାଉଛନ୍ତି ପିଲା । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ତାଟିପଦର ଗାଁ ଲୋକଙ୍କ ପାଖରେ ପହଞ୍ଚି ପାରିନି ମୌଳିକ ସବିଧା ସୁଯୋଗ । ଏହି ଗାଁରେ ୪ ଶହ ଲୋକ ବସବାସ କରୁଥିବା ବେଳେ ଲୋକଙ୍କ ପାଇଁ ରହିଛି ଗୋଟିଏ ନଳକୂପ । ତାହା ପୁଣି ଦୀର୍ଘ ଦିନ ହେଲା ଅଚଳ ହୋଇପଡିଛି । ବାଧ୍ୟ ହୋଇ ବର୍ଷା ଦିନେ ଗୋଳିଆ ପାଣି ପିଇ ବିଭିନ୍ନ ରୋଗରେ ପଡୁଛନ୍ତି ଲୋକେ । ଅନ୍ୟପଟେ ଗାଁରେ ଅଙ୍ଗନବାଡି କେନ୍ଦ୍ର କି ବିଦ୍ୟାଳୟଟିଏ ନାହିଁ । ଫଳରେ କାଦୁଅ ପଚପଚ ରାସ୍ତାରେ ପିଲା ପାଠ ପଢିବାକୁ ଯାଉଛନ୍ତି ତିନି କିଲୋମିଟର ଦୂର ଗାଁକୁ । ରାସ୍ତାର ଦୁରାବସ୍ଥା ପାଇଁ ଗାଁକୁ ଆମ୍ବୁଲାନ୍ସଟିଏ ବି ଆସି ପାରୁନାହିଁ । ସଠିକ ସମୟରେ ଚିକିତ୍ସା ନପାଇ ଅନେକଙ୍କ ଜୀବନ ଯାଉଥିବା ଅଭିଯୋଗ ହୋଇଛି । ତାଟିପଦର ଗାଁରେ ରହିଥିବା ସମସ୍ୟା ସମ୍ପର୍କରେ ଗ୍ରାମବାସୀ ଅନେକ ଥର ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ ।