ପାଦ ଥାପି ଥାପି ଆଶୁଛି ଶୀତ, କନ୍ଧମାଳରେ ପହିଲି ଶୀତର ସ୍ପର୍ଷ

ବାଲିଗୁଡ଼ା: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର କନ୍ଧମାଳ ଜିଲ୍ଲାରେ ଶୀତର ଲହରୀ । ଜିଲ୍ଲାର ଦାରିଙ୍ଗିବାଡ଼ି, ବାଲିଗୁଡ଼ା,ବେଲଘର, ତୁମୁଡ଼ିବନ୍ଧ,କୋଟଗଡ଼ ଆଦି ଅଞ୍ଚଳରେ ଧିରେଧିରେ ପାରଦ ଖସିବା ସହ ଘନ କୁହୁଡ଼ିର ଆସ୍ଥରଣ ଦେଖିବାକୁ ମିଳୁଛି । କରୋନା କଟକଣା ଯୋଗୁଁ ପାର୍କ, ଷ୍ଟାଡିୟମ ବନ୍ଦ ରହିଥିବା ବେଳେ ସ୍ଥାନୀୟ ଲୋକେ ରାସ୍ତାରେ ପ୍ରାତଃ ଭ୍ରମଣ କରୁଥିବା ଦେଖିବାକୁ ମିଳୁଛି ।

ଅନ୍ୟପଟେ ଯୁବଗୋଷ୍ଠୀ ନିଜକୁ ଫିଟ୍ ରଖିବା ପାଇଁ ଖୋଲା ପଡ଼ିଆରେ ବ୍ୟାୟାମ କରିବାସହ ଖେଳକୁଦ କରୁଥିବା ଦେଖିବାକୁ ମିଳୁଛି । ଜିଲ୍ଲାକୁ ଚଳିତବର୍ଷ ଶୀତ ବିଳମ୍ବରେ ଆସିଛି ସତ କିନ୍ତୁ, ଶୀତର ବେସ୍ ମଜା ଉଠାଇବା ପାଇଁ ସମସ୍ତେ ତୟାର୍ । ଶୀତୁଆ ସକାଳକୁ ବେସ୍ ଉପଭୋଗ କରୁଛନ୍ତି ଅଞ୍ଚଳବାସୀ ।

ଅନ୍ୟପଟେ ଘନ କୁହୁଡ଼ି ଯୋଗୁଁ ରାସ୍ତାଘାଟ ଠିକ୍ ଭାବରେ ଦେଖାଯାଉନାହିଁ । ଯାହାଫଳରେ ଗାଡ଼ି ଚଳାଚଳରେ ମଧ୍ୟ ବାଧା ସୃଷ୍ଟି ହେଉଛି । ରାସ୍ତାରେ ମର୍ଣ୍ଣିଂ ଓ୍ୱାକ୍ କରିବା ସମୟରେ ଅଞ୍ଚଳବାସୀ ସତର୍କତା ଅବଲମ୍ବନ କରୁଛନ୍ତି ।

Leave a Reply