ଭୁଲ ହୋଇଗଲା ଅପରାଜିତାଙ୍କ ଅଙ୍କ; କାମ ଦେଲାନି ଡ୍ରିମର୍ଗାଲ କାର୍ଡ

ଭୁବନେଶ୍ବର: ଭୁଲ୍ ହୋଇଗଲା ବିଜେପିର ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କ ଅଙ୍କ । ପ୍ରଥମେ ଜନତା, ତା’ପରେ ନିଜ ଦଳ ଭିତରୁ କ୍ରମାଗତ ବିରୋଧରେ ସାମ୍ନା କରୁଥିବା ଅପରାଜିତା ନିଜ ପ୍ରଚାର ପାଇଁ ଡକାଇଥିଲେ ଡ୍ରିମ୍ ଗାର୍ଲ ହେମାମାଳିନୀଙ୍କୁ । ହେଲେ ସେ ବି ମାରିଲା ଫେଲ୍ । ଲୋକଙ୍କୁ ଟାଣି ପାରିଲେନି ହେମା । ଓଡ଼ିଶାରେ ବିଜେପି ପ୍ରତି ଜନ ସମର୍ଥନ ଏମିତି କମୁଛି ଯେ, ବଲିଉଡ୍ ହିରୋଇନ୍ ହେମାମାଳିନୀଙ୍କ ନିର୍ବାଚନୀ ସଭାରେ ଦର୍ଶକ ନାହାନ୍ତି । ଫାଙ୍କା ପଡ଼ିଛି ଚେୟାର। ଫାଙ୍କା କ’ଣ, ଚେୟାର ଥାକରୁ ଖୋଲା ବି ହୋଇନାହିଁ । ଚର୍ଚ୍ଚା ଚାଲିଛି, ଏଠି କେବଳ ଜଣେ ହିଁ ହିରୋ, ଆଉ ସେ ହେଉଛନ୍ତି ନବୀନ ପଟ୍ଟନାୟକ ।

ବଲିଉଡ ହିରୋଇନ ଡ୍ରିମ୍ ଗାର୍ଲ ହେମାମାଳିନୀଙ୍କୁ ଦେଖାଇ, ସାଲିଆ ସାହି ବାସିନ୍ଦାଙ୍କୁ ଭୁତେଇ ଭୋଟ୍ ହାସଲ କରିବାକୁ ଅପରାଜିତା କରିଥିବା ପ୍ଲାନ୍ ହୋଇଗଲା ଫୁସ୍ । ହେମାମାଳିନୀଙ୍କୁ ନେଇ ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ଵର ସାଲିଆ ସାହିରେ ଯେଉଁ ନିର୍ବାଚନୀ ସଭା କରିଥିଲେ, ସେଠାରେ ଫାଙ୍କା ପଡ଼ିଲା ଚେୟାର । କଥା ସେତିକି ନୁହେଁ, ସ୍ଥିତି ଏପରି ଯେ, ଟେଣ୍ଟ ହାଉସରୁ ଯେଉଁ ଚେୟାର ଆସିଥିଲା, ତାହା ସେମିତି ଥାକ ଥାକ ହୋଇ ରହିଥିଲା । ଖୋଲା ବି ହେଲାନାହିଁ । ଲୋକେ ଆସିଥିଲେ ସିନା ଚେୟାର ବାହାର କରାଯାଇଥାନ୍ତା, ଲୋକେ ବସିଥାନ୍ତେ । ବିଜେପି କର୍ମୀ କି ଦର୍ଶକ ତ ନାହାନ୍ତି, ବସିବ କିଏ । ଅପରାଜିତାଙ୍କ ପ୍ରତି ଭୁବନେଶ୍ଵରରେ ଜନ ସମର୍ଥନ କମିବାର ଏହା ଏକ ନିଦର୍ଶନ ବୋଲି ରାଜନୈତିକ ସମୀକ୍ଷକ କହୁଛନ୍ତି ।

ବସ୍ତି ବାସିନ୍ଦାଙ୍କ କହିବା କଥା ହେଲା, ଓଡ଼ିଶାରେ ଜଣେ ମାତ୍ର ହିରୋ । ଆଉ ସେ ହେଲେ, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯିଏ ଜାଗା ମିଶନ ଜରିଆରେ କୋଠା ଘରେ ରହିବାର ସାଧାରଣ ଲୋକଙ୍କ ସ୍ଵପ୍ନକୁ ସାକାର କରିଛନ୍ତି । କେବଳ କଥାରେ ନୁହେଁ, କାମରେ କରି କି ଦେଖାଇଛନ୍ତି । ତାଙ୍କର କଥା ଉପରେ, ତାଙ୍କର ପ୍ରତିଶ୍ରୁତି ଉପରେ ଲୋକଙ୍କ ଆସ୍ଥା ଓ ଭରସା ରହିଛି । ରାଜ୍ୟର ସାଢ଼େ ୪ କୋଟି ଓଡ଼ିଆଙ୍କ ବିଶ୍ଵାସ ତ ମୁଖ୍ୟମନ୍ତ୍ରୀଙ୍କ ଉପରେ ଅଛି, ସାରା ବିଶ୍ଵ ବି ଏହା ଜାଣିଛି । ନବୀନ ଶାସନର ଏହି ରୂପାନ୍ତର ଦେଖି ଖୋଦ୍ ମାଇକ୍ରୋ ସଫ୍ଟର ପ୍ରତିଷ୍ଠାତା ଓ ପୂର୍ବତନ ଚେୟାରମ୍ୟାନ ବିଲ୍ ଗେଟସ୍ ଅବିଭୂତ ହୋଇ ଭୁରି ଭୁରି ପ୍ରଶଂସା କରିଥିଲେ । କାରଣ ବସ୍ତି ବାସନ୍ଦା ବି ଚକାଚକ୍ ବହୁ ତଳ ଆପାର୍ଟମେଣ୍ଟରେ ରହନ୍ତି, ନିଜ ଆଖିରେ ଏହା ଦେଖି ନଥିଲେ ବିଶ୍ଵାସ କରିବା ମୁସ୍କିଲ । ଗତ ଫେବ୍ରୁଆରିରେ ଭୁବନେଶ୍ଵର ଗସ୍ତ ବେଳେ ଏହା ଦେଖି ବହୁତ ପ୍ରଶଂସା କରିଥିଲେ ବିଲ୍ ଗେଟସ ।

ସେଥିପାଇଁ ତ ଭୁବନେଶ୍ଵର ସାଲିଆ ସାହିରେ ଆଉ କୌଣସି ହିରୋଇନ୍ କି ହିରୋଙ୍କ କ୍ରେଜ୍ ନାହିଁ । ଏପରିକି ବଲିଉଡର ଡ୍ରିମ୍ ଗାର୍ଲ ହେମାମାଳିନୀ ବି ଲୋକଙ୍କୁ ଟାଣି ଆଣି ପାରି ନାହାନ୍ତି ।