spot_img

Latest Posts

ବାଟ ହୁଡିଛି ବିକାଶ: ବିଦ୍ୟୁତ ତାର ସାହାଯ୍ୟରେ ଭରା ନଦୀ ପାର ହେଉଛନ୍ତି ଲୋକେ

ଉଛୁଳା ନଦୀ । ତା ଭିତରେ ମାଆଟିଏ ପୁଅକୁ କୋଳରେ ବାନ୍ଧି ହେଉଛି ନଦୀ ପାର । ଖାଲି ସିଏ କାହିଁକି ଏମିତି ଅନେକ ଲୋକେ ଜୀବନକୁ ବାଜି ଲଗାଇ ବିଦ୍ୟୁତ ତାର ଯୋଗେ ନଦୀ ପାର ହେଉଛନ୍ତି । ଏ ଦୃଶ୍ୟ ଆପଣଙ୍କୁ ବିଚଳିତ କରିଥାଇପାରେ । ହେଲେ ଏଠାକାର ଲୋକେ ନିତି ଏଭଳି ନଦୀ ପାର ହେଉଛନ୍ତି । ନଦୀର ପ୍ରଖର ସ୍ରୋତରେ ଭାସିଯାଉଛି ଅନେକ ନୀରିହ ଜୀବନ । ହେଲେ ଦୁଃଖ ଶୁଣୁନି ସ୍ଥାନୀୟ ପ୍ରଶାସନ ।… କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତର ସୁନାପାଙ୍ଗ ଗାଁ ନିକଟରେ ବୋହିଯାଇଥିବା ଡିମ୍ବୁଲି ନଦୀ ଉପରେ ପୋଲଟିଏ ନାହିଁ । ଫଳରେ ଦୀର୍ଘ ବର୍ଷ ଧରି ଯମ ଯନ୍ତ୍ରଣା ଭୋଗୁଛନ୍ତି ସୁନାପାଙ୍ଗ ଗାଁ ସମେତ କୋଟଗଡ ବ୍ଲକର ୫ ଗୋଟି ଗାଁ ଲୋକେ । ଏଠାକାର ଲୋକମାନେ ଦାରିଙ୍ଗବାଡି ମାର୍କେଟ କି ମେଡିକାଲ ଯିବାକୁ ହେଲେ ଡିମ୍ବୁଲି ନଦୀରେ ବିପଦପୂର୍ଣ୍ଣ ଭାବେ ନଦୀ ପାର ହେଉଛନ୍ତି । ବର୍ଷା ଦିନେ ନଦୀର ସ୍ରୋତ ଅଧିକ ଥିବାରୁ ବୃଦ୍ଧବୃଦ୍ଧାଙ୍କ ସମେତ ଗର୍ଭବତୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସୁନାପାଙ୍ଗ ଗାଁରେ ଦୀର୍ଘ ବର୍ଷ ଧରି ୧୫ ପରିବାର ବସବାସ କରିଆସୁଛନ୍ତି । ହେଲେ ଗାଁକୁ ରାସ୍ତା ସଂଯୋଗୀ କରଣ ହୋଇନଥିବାରୁ କୋମଳମତି ଶିଶୁ ମାନେ ପାଠପଢାରୁ ବଞ୍ଚିତ ହେଉଛନ୍ତି । ଆଜି ପର୍ଯ୍ୟନ୍ତ ଅଙ୍ଗନବାଡି କେନ୍ଦ୍ର କେମିତିକା ପିଲା ଦେଖି ନାହାନ୍ତି । ଅନ୍ୟପଟେ ଗାଁକୁ ରାସ୍ତା ,ପାନୀୟଜଳ ଓ ବିଦ୍ୟୁତ ସଂଯୋଗୀକରଣ ବ୍ୟବସ୍ଥା ନକହିବା ଭଲ । ଗାଁରେ ଲାଗିରହିଥିବା ସମସ୍ୟା ସଂପର୍କରେ ଗ୍ରାମବାସୀ ଅନେକ ଥର ବ୍ଲକ ପ୍ରଶାସନିକ ଅଧିକାରୀ ଓ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ । ନାପାଙ୍ଗ ଗାଁକୁ ମୌଳିକ ସୁବିଧା ସୁଯୋଗ କେବେ ପହଞ୍ଚିବ ? କୋମଳମତି ଶିଶୁ କେବେ ପାଇବେ ପ୍ରାକ ଶିକ୍ଷା ? ନା ଅନ୍ଧାରୀମୂଲକରେ ପେଷି ହୋଇଯିବ ସେମାନଙ୍କ ଭାଗ୍ୟ ଓ ଭବିଷ୍ୟତ ?

Latest Posts

Don't Miss