ହନୁମାନ ମନ୍ଦିରରେ ଜୋତା ପିନ୍ଧି ନାଚିବାରୁ ବିବାଦ

ନୂଆଦିଲ୍ଲୀ:  କରୋନା ସ୍ଥିତି ସାମାନ୍ୟ ନିୟନ୍ତ୍ରଣ ହେଉ ହେଉ ପୁଣିଥରେ ଧର୍ମନଗରୀ କାଶୀରେ ଚମକ ଫେରିଥିବା ନଜର ଆସିଛି । ନିକଟରେ  ବଲିଉଡ ଫିଲ୍ମ ଏବଂ ସେଗୁଡ଼ିକର ଗୀତର ସୁଟିଂ ବାରଣାସୀରେ ଗଙ୍ଗାଘାଟରେ ଏବଂ ଅନ୍ୟ କିଛି ସ୍ଥାନରେ ଚାଲିଥିବା ଦେଖିବାକୁ ମିଳିଛି । କିନ୍ତୁ ସିଙ୍ଗର ସୁଖବିନ୍ଦର ସିଂ ନିଜର ନୂଆ ଡ୍ୟାନ୍ସ ଭିଡ଼ିଓକୁ ନେଇ ବିବାଦକୁ ଆସି ଯାଇଛନ୍ତି ।

ବାରଣାସୀର ଚେତାସିଂହ ଘାଟୀରେ ପ୍ରସିଦ୍ଧ ଗାୟକ,ଗୀତିକାର ଏବଂ ସଙ୍ଗୀତକାର ସୁଖବିନ୍ଦର ସିଂ ତାଙ୍କର ଆଗାମି ମ୍ୟୁଜିକ୍‌ ଭିଡ଼ିଓ ‘ହନୁମାନ ଚାଳିସା’ରେ ଡ୍ୟାନ୍ସ କରୁଥିଲେ ।  ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଡ୍ୟାନ୍ସ ସମୟରେ ତାଙ୍କୁ ଜୋତା ପିନ୍ଧିଥିବାର ଦେଖିବାକୁ ମିଳିଛି । ଏହି ସମୟରେ ତାଙ୍କର ଏକାଧିକ ଆର୍ଟିଷ୍ଟଙ୍କୁ ମଧ୍ୟ ଜୋତା ପିନ୍ଧିଥିବାର ଦେଖିବାକୁ ମିଳିଛି । ତେବେ ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ସିଙ୍ଗର ସୁଖବିନ୍ଦର ସିଂ । ସୁଖବିନ୍ଦର କହିଛନ୍ତିଯେ, ଯଦି ଏଭଳି କରିବା ଦ୍ୱାରା ଭାବନା କମିଯାଉଛି ତେବେ ପ୍ରମାଣ କରି ଦେଖାନ୍ତୁ ।  ଆମ ଲକ୍ଷ୍ୟ କାହାର ଭାବନାକୁ ଆଘାତ ପହଞ୍ଚାଇବା ନୁହେଁ ।

ହନୁମାନ ଚାଳିସାରେ ଗଗନ ପବନ ଗୁଞ୍ଜରିତ ହୋଇ ଉଠୁଥିଲା, ହାତରେ ପତାକା ଧରି ସୁଟିଂରେ ମାତିଥିଲେ ପୂରା ଟିମ୍‌ । କିନ୍ତୁ ନଜରକୁ ଆସିଗଲା ସମସ୍ତଙ୍କ ପାଦରେ ଥିବା ଜୋତା । ଆଉ ସେହି ଜୋତା ସୁଖବିନ୍ଦରଙ୍କୁ ବିବାଦ ମଧ୍ୟକୁ ଟାଣି ଆଣିଲା ।

ସୂଚନାଯୋଗ୍ୟ ସୁଖବିନ୍ଦରଙ୍କ ଏହି ଗୀତ ୭ ଏପ୍ରିଲକୁ ରିଲିଜ ହେବାକୁ ଯାଉଛି ।  ଅନ୍ୟପଟେ ସୁଖବିନ୍ଦର ‘ଦ କାଶ୍ମୀର ଫାଇଲ୍ସ’ ଉପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ବୟାନକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ।