ବିଜୟ ପରେ ଯୋଗୀ ଜଣାଇଲେ ଧନ୍ୟବାଦ
1 min readଲକ୍ଷ୍ନୌ: ଉତ୍ତର ପ୍ରଦେଶବାସୀ ବିଜେପି ଉପରେ ପୁନର୍ବାର ଭରସା ପ୍ରକଟ କରିଛନ୍ତି । ଦେଶର ୪ ରାଜ୍ୟରେ ପ୍ରଚଣ୍ଡ ବହୁମତ ସହ ସରକାର ଗଢିବାକୁ ସମର୍ଥ ହୋଇଛି ଭାରତୀୟ ଜନତା ପାର୍ଟି । ବିଜେପି ବିଜୟର ସମସ୍ତ ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଇଛନ୍ତି ଯୋଗୀ ଆଦିତ୍ୟନାଥ । ସେହିପରି ଯୋଗୀ କହିଛନ୍ତି ଏ ବିଜୟ ସାଧାରଣ ଜନତାର ବିଜୟ । ଭାରତୀୟ ଜନତା ପାର୍ଟି ସମଗ୍ର ଦେଶରେ ସୃଷ୍ଟି କରିଥିବା ନିଜର ଛବି ହିଁ ଏହାକୁ ପ୍ରତିପାଦନ କରିଛି । ରାଷ୍ଟ୍ରର କଲ୍ୟାଣ ନିମନ୍ତେ ବିଜେପିର ପ୍ରତିଟି କର୍ମୀ ସମର୍ପିତ । ତେଣୁ ରାଷ୍ଟ୍ରବାଦ-ବିକାଶ ଏବଂ ସୁଶାସନ ପାଇଁ ମିଳିଛି ଜନତାଙ୍କ ଏ ବିପୁଳ ଜନ-ସମର୍ଥନ ।
ଉତ୍ତର ପ୍ରଦେଶରେ ବିଜେପିର ବମ୍ଫର ଜିତ ପରେ ନିବାସରୁ ବାହାରକୁ ବାହାରିଛନ୍ତି ପୋଷ୍ଟର ବୟ ଯୋଗୀ ଆଦିତ୍ୟନାଥ । ଲକ୍ଷ୍ନୌରେ ଥିବା ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଯାଇ ବିଜୟ ଉତ୍ସବ ପାଳିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଉତ୍ତରପ୍ରଦେଶ ବିଜେପି ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂ ଏବଂ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ମଧ୍ୟ ଉପସ୍ଥିତ ରହିଥିଲେ । ଯୋଗୀ ଆଦିତ୍ୟନାଥ ପହଁଚିବା ପରେ ଉପସ୍ଥିତି ହଜାର ହଜାର ସମର୍ଥକ ଯୋଗୀ ଆଦିତ୍ୟନାଥଙ୍କ ଉପରକୁ ଫୁଷ୍ପ ବର୍ଷା କରିଥିଲେ । ମଞ୍ଚରେ ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟାନ ନେତା ହୋଲି ଉତ୍ସବ ମଧ୍ୟ ପାଳନ କରିଥିଲେ । ଏହାପରେ ଉପସ୍ଥିତ ସମର୍ଥକଙ୍କୁ ସମ୍ବୋଧନ କରିଥିଲେ ଯୋଗୀ ।
ୟୁପି ହିଁ ଭାରତର କ୍ଷମତା କେନ୍ଦ୍ରକୁ ଶକ୍ତି ଦେଇଥାଏ । ଉତ୍ତରପ୍ରଦେଶ ନିର୍ଧାରଣ କରିଥାଏ ଭବିଷ୍ୟତ । ତେବେ ଉତ୍ତର ପ୍ରଦେଶବାସୀଙ୍କ ଆଭିମୁଖ୍ୟ ହିଁ ପୁଣି ଥରେ ୨୦୨୪ର ସରକାରକୁ ପ୍ରମାଣିତ କରିଥିବା କହିଛନ୍ତି ଯୋଗୀ ଆଦିତ୍ୟନାଥ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ରାଜ୍ୟବାସୀଙ୍କ ଅକୁଣ୍ଠ ଆଶୀର୍ବାଦକୁ ନେଇ ଆଗାମୀ ଦିନରେ ଉତ୍ତରପ୍ରଦେଶ ଶକ୍ତ ଓ ସାମର୍ଥ୍ୟବାନ ହେବ ବୋଲି କହିଥିଲେ ଯୋଗୀ । ସେହିପରି ନିର୍ବାଚନରେ ଶାନ୍ତି ବଜାୟ ରଖିଥିବା ରାଜ୍ୟବାସୀ, ଶୃଙ୍ଖଳିତ ପରିଚାଳନା ନେଇ ନିର୍ବାଚନ ଆୟୋଗକୁ ମଧ୍ୟ ଧନ୍ୟବାଦ ଜ୍ଞାପନ କରିଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।