ପୋଲିସ ଆଗରେ ମାଜିଷ୍ଟ୍ରେଟଙ୍କ କଲର ଘୋଷାଡ଼ି ମାଡ଼, ଭିଡିଓ ଭାଇରାଲ

ପାଟଣା: ବିହାରର ପାଟଣାରେ ପୋଲିସ ଉପସ୍ଥିତିରେ ମାଜିଷ୍ଟ୍ରେଟଙ୍କୁ ମାଡ । ଉତ୍ତ୍ୟକ୍ତ ଲୋକ ସାର୍ଟ କଲର ଧରି ଘୋଷାଡିଲେ, ମାଡ ମାରିବା ସହ ଅସଭ୍ୟ ଭାଷାରେ କଲେ ଗାଳିଗୁଲଜ । ସବୁ ଘଟଣା ପୋଲିସ ଉପସ୍ଥିତିରେ ଘଟୁଥିଲେ ବି ନାଚାର ପୋଲିସ୍ କର୍ମଚାରୀ ଦେଖଣାହାରୀ ସାଜିଥିଲେ ।

ଘଟଣା ପାଟଣା ମ୍ୟୁନିସିପାଲ କର୍ପୋରେସନର ୬୦ ନମ୍ବର ଓ୍ବାର୍ଡ ଖାଜେକଲା ଥାନା ଅଞ୍ଚଳରେ ଘଟିଛି । ଏକ ସରକାରୀ ଜମିରୁ ଜବରଦଖଲ ହଟାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ମାଜିଷ୍ଟ୍ରେଟ ନଗରନିଗମ ଟିମ୍ ସହ ଯାଇଥିବା ବେଳେ ଘଟଣା ଘଟିଛି । ସାଙ୍ଗରେ ଜେସିବି ମେସିନ ଓ ପୂରା ପୋଲିସ ଟିମ ଥିଲେ । ହେଲେ ଲୋକେ ତାଙ୍କୁ ମୁଥା ମାରିବା ସହ ଗାଳିଗୁଲଜ କରିଥିଲେ । ନଗରନିଗମର ଅନ୍ୟ କର୍ମଚାରୀ ତାଙ୍କୁ ଉଦ୍ଧାର କରିବା ବଦଳରେ ଘଟଣା ସ୍ଥଳରୁ ଦୌଡ଼ି ପଳାଇଥିଲେ ।

ଏହି ସମୟରେ ମାଜିଷ୍ଟ୍ରେଟ୍ ଉଦ୍ଧାର ପାଇଁ ବଞ୍ଚାଅ ବଞ୍ଚାଅ ଚିଲ୍ଲାଉ ଥିଲେ । ହେଲେ ନା ନଗର ନିଗମ କର୍ମଚାରୀ, ନା ଉପସ୍ଥିତ ପୋଲିସ କେହି ତାଙ୍କୁ ଉଦ୍ଧାର କରିବାକୁ ଆସି ନଥିଲେ । ଏପରିକି ଉତ୍ତ୍ୟକ୍ତ ଲୋକେ ମାଡ ମାରୁଥିବା ବେଳର ଭିଡିଓ ରେକର୍ଡିଂ କରି ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲେ ।

ଏବେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତି ଚଲାଇଛି ।

ସୂଚନାଯୋଗ୍ୟ ମ୍ୟୁନିସିପାଲିଟିର ୬୦ ନମ୍ବର ଓ୍ବାର୍ଡରେ ଏକ ପାନୀୟଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଉଛି । ହେଲେ ଜବରଦଖଲ କାରଣରୁ ଏହି ପ୍ରକଳ୍ପ ପ୍ରାୟ ବର୍ଷେ ହେବ ବନ୍ଦ ରହିଛି । ଯାହାକୁ ନେଇ ଉପରିସ୍ଥ ଅଧିକାରୀଙ୍କ ବିରୋଧରେ ଏହାକୁ ନେଇ ଅଭିଯୋଗ ହୋଇଥିଲା । ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜବରଦଖଲ ହଟାଇବାକୁ ମାଜିଷ୍ଟ୍ରେଟ୍ ସେଠାରେ ପହଞ୍ଚିଥିଲେ ।

Leave a Reply