ବନ୍ଦ ହୋଇପଡିଛି ପଥପ୍ରାନ୍ତ ସୁବିଧା କେନ୍ଦ୍ର । ଲାଗୁନି ଯାତ୍ରୀଙ୍କ ହିତରେ । ହନ୍ତସନ୍ତ ଯାତ୍ରୀ ଓ ଗାଡ଼ିଚାଳକ । ଢେଙ୍କାନାଳ ଜିଲ୍ଲା ସଦରମହକୁମାରୁ କାମାକ୍ଷାନଗର ଦେଇ ଯାଇଥିବା ପୂର୍ତ୍ତବିଭାଗ ରାସ୍ତାଟି ପୂର୍ବ ଓଡିଶାରୁ ପଶ୍ଚିମ ଓଡିଶାକୁ ଯୋଗାଯୋଗର ପ୍ରମୁଖ ମାଧ୍ୟମ l ଯାତ୍ରୀ ତଥା ଗାଡି ଚାଳକଙ୍କ ସୁବିଧା ପାଇଁ ପୂର୍ବ ସରକାର କାମାକ୍ଷାନଗର ସହର ଠାରୁ ୬ କିଲୋମିଟର ଦୂର ମହୁଲପାଳ ନିକଟରେ ନିର୍ମାଣ କରିଥିଲେ ପଥପ୍ରାନ୍ତ ସୁବିଧା କେନ୍ଦ୍ର । ଚାରିକୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ କେନ୍ଦ୍ରରେ ସ୍ନାନ, ଶୌଚାଳୟ ଠାରୁ ଆରମ୍ଭ କରି ଭୋଜନାଳୟ ବ୍ୟବସ୍ଥା କରାଯାଇଥିଲା । ହେଲେ ଏବେ ତାହା ବନ୍ଦ ହୋଇପଡିଛି । କେନ୍ଦ୍ର ପରିସରରେ ଥିବା ଉଦ୍ୟାନ ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଥିବା ବେଳେ ଅନ୍ୟ ଆସବାବପତ୍ର ଗୁଡିକ ଭାଙ୍ଗିରୁଜି ଗଲାଣି ।
ଏହି କେନ୍ଦ୍ରଟି ପୂର୍ତ୍ତବିଭାଗ ଅଧୀନରେ କାର୍ଯ୍ୟକ୍ଷମ ହୋଇ ଆସୁଥିଲା । ମାତ୍ର ସରକାର ପରିବର୍ତ୍ତନ ପରେ ଏହି କେନ୍ଦ୍ର ପର୍ଯ୍ୟଟନ ବିଭାଗକୁ ହସ୍ତାନ୍ତର କରାଯାଇଛି । କାମାକ୍ଷାନଗରରେ ପର୍ଯ୍ୟଟନ ବିଭାଗର କୌଣସି କାର୍ଯ୍ୟାଳୟ ନଥିବା ବେଳେ କୌଣସି ଅଧିକାରୀ କି କର୍ମଚାରୀ ନାହାନ୍ତି । ଫଳରେ କେନ୍ଦ୍ରଟି ଅବ୍ୟବହୃତ ହୋଇ ପଡିରହିଛି। ଯାତ୍ରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି କେନ୍ଦ୍ରକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ସାଧାରଣରେ ଦାବି ହୋଇଛି।

