ପ୍ରଦୂଷଣ ଗାଇଡଲାଇନକୁ ଫୁ: ମାନିଲେନି କଟକଣା, ପ୍ରଦୂଷିତ ମହାନଦୀ

1 min read

ପ୍ରଦୂଷଣ ଗାଇଡଲାଇନକୁ ଫୁ । ମାନିଲେନି କଟକଣା, ପ୍ରଦୂଷିତ ମହାନଦୀ । ପ୍ରଶାସନର ଅବହେଳାରୁ ସଂକଟରେ ଓଡ଼ିଶାର ଲାଇଫଲାଇନ୍ । ଗଣେଶ ବିସର୍ଜନ ପାଇଁ ନାହିଁ ଅସ୍ଥାୟୀ ପୋଖରୀ । ନଦୀ ଜଳରେ ବିସର୍ଜିତ ହେଲା ଶହଶହ ମୂର୍ତ୍ତି । କାର୍ଯ୍ୟାନୁଷ୍ଠାନ ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଚେତାବନୀ । ଚଳିତ ପାର୍ବଣରେ ସମ୍ବଲପୁର ସହରରେ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନଥିବା ଅଭିଯୋଗ ହୋଇଛି । ଫଳରେ ଲୋକେ ମହାନଦୀରେ ଗଣେଶ ମୂର୍ତ୍ତି ବିସର୍ଜନ କରିଛନ୍ତି । ଭଲଭାବେ ଦେଖନ୍ତୁ ମହାନଦୀର ଏହି ଦୃଶ୍ୟକୁ । ମୂର୍ତ୍ତି ବିସର୍ଜନ ଯୋଗୁଁ କିପରି ପ୍ରଦୂଷିତ ହୋଇଛି ନଦୀଜଳ । ରାସାୟନିକ ପାଣିରେ ବଦଳି ଯାଇଛି ସ୍ୱଚ୍ଛ ମହାନଦୀର ଅମୃତ ଧାରା ।

ପୂଜା ପୂର୍ବରୁ ସମ୍ବଲପୁର ମହାନଗର ନିଗମକୁ ଏନେଇ ଚିଠି ଲେଖିଥିଲା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ତଥାପି କୌଣସି ପଦକ୍ଷେପ ନେଇନି ପ୍ରଶାସନ । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛି ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ l ମହାନଦୀ ଜଳ ନମୂନା ପାଇଁ ଦୁଇଟି ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଛି । ମହାନଦୀର ବିଭିନ୍ନ ଘାଟକୁ ଯାଇ ଏହି ଟିମ୍ ନମୁନା ସଂଗ୍ରହ କରିବେ । ପାର୍ବଣ ପୂର୍ବରୁ ବିସର୍ଜନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ସହ ଆଇନ ନମାନିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ ବୋଲି ନିଆଯିବ ବୋଲି କହିଲେ ଅଧିକାରୀ ।