ଉପଦ୍ରବ ମଚାଇଛି ବେଙ୍ଗଲୀ ଦନ୍ତା: ସଞ୍ଜ ନଇଁଲେ ହେଉଛି ଗାଁ ମୁହାଁ

ଆସୁଛି, ଖାଉଛି, ଭାଙ୍ଗୁଛି, ଆଉ ଚାଲିଯାଉଛି । ଉପଦ୍ରବ ମଚାଇଛି ବେଙ୍ଗଲୀ ଦନ୍ତା । ସଞ୍ଜ ନଇଁଲେ ହେଉଛି ଗାଁ ମୁହାଁ । ମୟୂରଭଞ୍ଜ କପ୍ତିପଦା ବନାଞ୍ଚଳ ଅଧୀନ ଅନନ୍ତପୁର ଅଞ୍ଚଳରେ ରଚିଛି ଆତଙ୍କ। ଫଳରେ ଭୟଭୀତ ଅବସ୍ଥାରେ ଉପର ବାରଡାଙ୍ଗୁଆ ଗାଁର ୫୦ ରୁ ଅଧିକ ପରିବାର। ଆଉ ୫ ଦିନ ହେବ ୨ ଟି ଘରେ ପଶି ଧାନ ଚାଉଳ ଭାତ ଖାଉଛି। କାହାର ଘର ଓ ଚାଳ ଛପର ଭାଙ୍ଗି ନଷ୍ଟ କରି ଦେଲାଣି ତ ଆଉ କାହାର କାନ୍ଥ ଭାଙ୍ଗି ଦେଲାଣି। ସେହିପରି ତାଳସରି ଓ ଭୁଣ୍ଡାସାହିରେ ମଧ୍ୟ ୫ ରୁ ଅଧିକ ଘର ଭାଙ୍ଗିଛି ଦନ୍ତା। କୁଇଣ୍ଟାଲ କୁଇଣ୍ଟାଲ ଧାନ ଚାଉଳ ଖାଇବା ସହ ଅନ୍ୟ ସାମଗ୍ରୀ ନଷ୍ଟ କରି ଦେଉଛି। ଗାଁରେ ଦନ୍ତା ବୁଲୁଥିବାରୁ ଭୟରେ ସ୍କୁଲ ଘରେ ଓ କାହା ଛାତ ଉପରେ ଜରିପାଲ ଟାଣି ଜୀବନ କାଟୁଛନ୍ତି ଗ୍ରାମବାସୀ ।ଏକପ୍ରକାର ଗ୍ରାମବାସୀଙ୍କ ଜୀବନ ଦୁର୍ବିସହ କରି ସାରିଲାଣି ଦନ୍ତା।

ଗ୍ରାମବାସୀ ଏ ନେଇ ବନ ବିଭାଗକୁ ଖବର ଦେଇଥିବା ବେଳେ କାଁ ଭାଁ କେତେବେଳେ ଆସୁଛନ୍ତି ବନ କର୍ମଚାରୀ। ହାତୀକୁ ଗାଁକୁ ଆସିବାକୁ ଅଟକାଇବାକୁ ଚେଷ୍ଟା କରି ଚାଲି ଯାଉଛନ୍ତି । ହେଲେ ହାତୀକୁ ଉକ୍ତ ଅଞ୍ଚଳରୁ ଘଉଡ଼ାଇ ପାରୁ ନାହାଁନ୍ତି। ଯାହାକୁ ନେଇ ବନ ବିଭାଗ ଉପରେ ଅସନ୍ତୋଷ ବାଢିଛନ୍ତି ଗ୍ରାମବାସୀ । ଗ୍ରାମବାସୀଙ୍କ ନିଦ ହଜାଇଥିବା ଏହି ଦନ୍ତାକୁ ତୁରନ୍ତ ଘଉଡ଼ା ନଗଲେ ଆଗାମୀ ଦିନରେ ବଡ଼ ଅଘଟଣ ଯେ ନ ଘଟିବ ତାହା କହିବା ମୁସ୍କିଲ।