ଚଳିତ ହକି ବିଶ୍ୱକପରେ ଦଳ ବଦଳାଇଛନ୍ତି ପେଲାଟ୍ ଓ ମେନିନି

ଭୁବନେଶ୍ୱର: ଆରମ୍ଭ ହୋଇସାରିଛି ହକି ମହାକୁମ୍ଭ । ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯାଉଛି ହକି ବିଶ୍ୱକପର ୧୫ତମ ସଂସ୍କରଣ । ଚଳିତ ବିଶ୍ୱକପରେ ଦେଖିବାକୁ ମିଳୁଛି ରୋଚକ ତଥ୍ୟ । ଚଳିତ ବିଶ୍ୱକପରେ ଦୁଇ ଜଣ ଖେଳାଳି ଦଳ ବଦଳ କରି ଖେଳୁଛନ୍ତି । ଆର୍ଜେଣ୍ଟିନା ପକ୍ଷରୁ ପୂର୍ବରୁ ଖେଳୁଥିବା ଗୋଞ୍ଜାଲୋ ପେଲାଟ୍ ଓ ଜୋଆକ୍ୱିନ୍ ମେନିନି ଅଲଗା ଦେଶରୁ ଖେଳୁଛନ୍ତି । ପେଲାଟ୍ ଚଳିତ ବିଶ୍ୱକପରେ ଜର୍ମାନୀ ପକ୍ଷରୁ ଖେଳୁଥିବାବେଳେ ମେନିନି ସ୍ପେନକୁ ବଦଳ ହୋଇଆସିଛନ୍ତି ।

ଆର୍ଜେଣ୍ଟିନାର ଦୁର୍ଦ୍ଦଷ ଡ୍ରାଗ୍ ଫ୍ଲିକର ଗୋଞ୍ଜାଲୋ ପେଲାଟ୍ । ଏହି ୩୦ ବର୍ଷୀୟ ହକି ଖେଳାଳି ଆର୍ଜେଣ୍ଟିନା ବହୁ ସଫଳତା ଆଣିଛନ୍ତି । ୨୦୧୬ ରିଓ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ହେଉ କିମ୍ବା ୨୦୧୪ ବିଶ୍ୱକପରେ ବ୍ରୋଞ୍ଜ ପଦକ । ଏହି ଟୁର୍ଣ୍ଣାମେଣ୍ଟରେ ପଦକ ଜିତିଇବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ୨୦୧୬ ଅଲମ୍ପିକ୍ସରେ ପେଲାଟ୍ ଆର୍ଜେଣ୍ଟିନା ପକ୍ଷରୁ ୧୧ଟି ଗୋଲ୍ ଦେଇ ଶ୍ରେଷ୍ଠ ଗୋଲ ସ୍କୋରର ହୋଇଥିଲେ । ସେହିପରି ୨୦୧୪ ହକି ବିଶ୍ୱକପରେ ୧୦ଟି ଗୋଲ ସ୍କୋର କରି ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।

ଆର୍ଜେଣ୍ଟିନା ପକ୍ଷରୁ ଗୋଞ୍ଜାଲ ପେଲାଟ୍ ୧୫୩ଟି ମ୍ୟାଚ୍ ଖେଳି ୧୭୬ଟି ଗୋଲ୍ ସ୍କୋର କରିବାରେ ସଫଳ ହୋଇଥିଲା । କିନ୍ତୁ ୨୦୧୯ରେ ଆର୍ଜେଣ୍ଟିନା କୋଚ୍ ଜର୍ମାନ ଓରୋଜକୋଙ୍କ ସହ ତାଙ୍କର ବିବାଦ ଯୋଗୁ ଦଳ ଛାଡ଼ିବାକୁ ବାଧ୍ୟ ହୋଇଥିଲେ ପେଲାଟ୍ । ପରେ ୨୦୨୨ରେ ସେ ଜର୍ମାନୀ ନାଗରିକତ୍ୱ ଗ୍ରହଣ କରିବା ସହ ଜାତୀୟ ହକି ଦଳରେ ସାମିଲେ ହୋଇଥିଲେ ।

ସେହିପରି ୨୦୧୪ରେ ଆର୍ଜେଣ୍ଟିନା ପାଇଁ ଡେବ୍ୟୁ କରିଥିବା ଜୋଆକ୍ୱିନ୍ ମେନିନି ୨୦୨୮ ବିଶ୍ୱକପ୍ ଖେଳିବା ପରେ ଆଉ ଦଳରେ ସ୍ଥାନ ପାଇନଥିଲେ । ତେଣୁ ସେ ୨୦୨୨ରେ ସ୍ପେନ୍ ଦଳରେ ସାମିଲ ହୋଇଥିଲେ । ମେନିନି ଆର୍ଜେଣ୍ଟିନା ପକ୍ଷରୁ ୧୧୦ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ତେବେ ଉଭୟ ଖେଳାଳି ଚମତ୍କାର ପ୍ରଦର୍ଶନ କରି ଆର୍ଜେଣ୍ଟିନା ପାଇଁ ବହୁ ସଫଳତା ଆଣିଥିଲେ । ଏବେ ଏହି ଦୁଇ ଖେଳାଳି ଜର୍ମାନୀ ଓ ସ୍ପେନ ପକ୍ଷରୁ ଖେଳି କେତେ ସଫଳ ହେଉଛନ୍ତି ତାହା ଦେଖିବାର ବିଷୟ ।