ଆର୍ମେନିଆ-ଆଜରବୈଜାନ ଓ୍ବାରଜୋନରେ ବ୍ୟବହାର କରାଯାଇଛି ପେଗାସସ୍ ସଫ୍ଟଓ୍ୱେର

1 min read

ନୂଆଦିଲ୍ଲୀ: ଏନଏସଓ ଗ୍ରୁପର ପେଗାସସ୍ ସଫ୍ଟଓ୍ବେରକୁ ନେଇ ପୁଣି ଚାଞ୍ଚଲ୍ୟକର ତଥ୍ୟ । ବିଭିନ୍ନ ରାଜନୈତିକ ଦଳ ଓ ଅଧିକାର ସଂଗଠନ ପକ୍ଷରୁ ସମାଲୋଚନାର ଶିକାର ହୋଇଥିବା ପେଗାସସକୁ ଓ୍ବାର ଜୋନରେ ବ୍ୟବହାର କରାଯାଇଛି ବୋଲି ତଥ୍ୟ ପଦାକୁ ଆସିଛି । ଆର୍ମେନିଆର ବହୁ ସାମ୍ବାଦିକ, ମାନବାଧିକାର ସଂଗଠନ, ଆଇନଜୀବୀ, ଜାତିସଂଘର ଜଣେ ଅଧିକାରୀ ଆଦି ବ୍ୟକ୍ତିବିଶେଷଙ୍କୁ ପେଗାସସ ଜରିଆରେ ଟାର୍ଗେଟ କରାଯାଇଛି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଆର୍ମେନିଆର ନାଗୋର୍ଣ୍ଣୋ-କାରାବାଖ ଅଞ୍ଚଳରେ ସଂଘର୍ଷ ଜାରି ରହିଥିବାବେଳେ ପେଗାସସକୁ ବ୍ୟବହାର କରାଯାଇଥିଲା । ବିବାଦୀୟ ନାଗୋର୍ଣ୍ଣ-କାରାବାଖ ଅଞ୍ଚଳକୁ ନେଇ ଦୀର୍ଘ ବର୍ଷ ଧରି ଆର୍ମେନିଆ ଓ ଆଜରବୈଜାନ ମଧ୍ୟରେ ସଂଘର୍ଷ ଜାରି ରହିଛି । ଏହି ଅଞ୍ଚଳ ଆଜରବୈଜାନର ହୋଇଥିଲେ ସୁଦ୍ଧା ଆର୍ମେନିଆ ଏହାକୁ ନିଜର ବୋଲି ଦାବି କରୁଛି । ଉଭୟ ପକ୍ଷରୁ ଯୁଦ୍ଧ ଅପରାଧ ଘଟାଯାଉଥିବାବେଳେ ଆର୍ମେନିଆର ଯୁଦ୍ଧବନ୍ଦୀଙ୍କୁ ଗଣହତ୍ୟା କରାଯାଉଛି ବୋଲି ଆର୍ମେନିଆ ଅଭିଯୋଗ କରିଆସୁଛି ।

୨୦୨୧ରେ ଆର୍ମେନିଆର ବୈଦେଶିକ ବ୍ୟାପାର ବିଭାଗ ମୁଖପାତ୍ର ଆନ୍ନା ନାଗଦାଲ୍ୟାନଙ୍କ ଆଇ-ଫୋନକୁ ଏକ ବିଦେଶୀ ସରକାରଙ୍କ ଦ୍ବାରା ହ୍ୟାକ କରାଯାଉଛି ବୋଲି ପ୍ରମାଣ ମିଳିଥିଲା । ଏହା ସହ ଜାତିସଂଘର ଜଣେ କର୍ମକର୍ତ୍ତାଙ୍କ ସମେତ ବହୁ ବ୍ୟକ୍ତିଙ୍କୁ ପେଗାସସ୍ ଜରିଆରେ ଟାର୍ଗେଟ କରାଯାଇଥିବା ସୂଚନା ମିଳିଥିଲା । ୨୦୧୧ରେ ଏନଏସଓ ଗ୍ରୁପ ଯେଉଁ ମିଲିଟାରୀ ଗ୍ରେଡର ସ୍ପାଏଓ୍ବେର ପେଗାସସର ବଜାର ପ୍ରବେଶ କରାଇଥିଲା ତାହା ଜରିଆରେ ବହୁ ବେଆଇନ କାର୍ଯ୍ୟକଳାପ ଚାଲିଥିଲା । ୟୁଜରଙ୍କ ଅଜଣାତରେ ସେମାନଙ୍କ ଫୋନରୁ ପେଗାସସ ଜରିଆରେ ସମସ୍ତ ଗୋପନ ତଥ୍ୟକୁ ହ୍ୟାକ କରାଯାଉଥିଲା । ବିଶେଷ କରି ସାମ୍ବାଦିକ, ବିରୋଧୀ ଦଳ, ସମାଲୋଚକ, ଅଧିକାର କର୍ମୀ, ନେତା, ମନ୍ତ୍ରୀ, ବିଚାରପତି ପ୍ରମୁଖଙ୍କୁ ଟାର୍ଗେଟ କରିବା କ୍ଷେତ୍ରରେ ପେଗାସସର ବହୁଳ ବ୍ୟବହାର ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି । ଗତବର୍ଷ ଏହି ପ୍ରସଙ୍ଗକୁ ନେଇ ଜାତିସଂଘ ବି କ୍ଷୋଭ ପ୍ରକାଶ କରିଥିଲେ । ୨୦୨୧ ପରଠାରୁ ବିଶ୍ବର ୧୨ରୁ ଅଧିକ ରାଷ୍ଟ୍ରରେ ଏହାର ଅପପ୍ରୟୋଗ ହୋଇଆସୁଥିବାରୁ ଏହାର ବ୍ୟବହାର ଉପରେ କଟକଣା ଲଗାଇବାକୁ ଏହି ସମସ୍ତ ରାଷ୍ଟ୍ର ପକ୍ଷରୁ ଦାବି ହୋଇଆସୁଛି । ବିଶ୍ବରେ ପେଗାସସର ବ୍ୟାପକ ଦୂରୁପଯୋଗ ହୋଇଥିବା ନେଇ ୧୭ଟି ମିଡିଆ ଏଜେନ୍ସିକୁ ନେଇ ହୋଇଥିବା ଯାଞ୍ଚରୁ ଜଣାପଡ଼ିଥିଲା । ଭାରତରେ ବି ପେଗାସସ ଜରିଆରେ ୫୦ ହଜାରରୁ ଅଧିକ ଫୋନକୁ ହ୍ୟାକ୍ କରାଯାଇଥିବା ତଥ୍ୟକୁ ନେଇ ଝଡ ସୃଷ୍ଟି ହୋଇଥିଲା ।