୩ ଦିନ ଧରି ଅଶାନ୍ତ ପରିବେଶ ପରେ ସୀମାରେ ଫେରୁଛି ଶାନ୍ତି
1 min read
ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକିସ୍ତାନ ସୀମାରେ ସୁଧୁରୁଛି ସ୍ଥିତି। ଦୀର୍ଘ ୩ ଦିନ ଧରି ଅଶାନ୍ତ ପରିବେଶ ପରେ ଫେରିଛି ଶାନ୍ତି। ଗତକାଲି ସିଜଫାୟର ଘୋଷଣା ପରେ ବନ୍ଦ ରହିଛି ଦୁଇ ସୀମାନ୍ତରୁ ଗୁଳିଗୋଳା ବର୍ଷଣ। ପାକିସ୍ତାନ ପଟୁ ଗତକାଲି ରାତିରୁ ଗୁଳିମାଡ଼ ବନ୍ଦ ରହିଛି। ଜାମ୍ମୁ କାଶ୍ମୀର, ପଞ୍ଜାବ, ରାଜସ୍ଥାନ ଓ ଗୁଜରାଟ ସୀମାରେ ଗୁଳିମାଡ଼ ବନ୍ଦ ରହିଛି। ଗତକାଲି ରାତିରେ ଭାରତ ସୀମାର ଆକାଶରେ କିଛି ଡ୍ରୋନ ଉଡୁଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ। ତେବେ ଏବେ ଡ୍ରୋନ ଉଡାଣ ମଧ୍ୟ ବନ୍ଦ ରହିଛି। ସ୍ଥିତି ସୁଧୁରିବା ପରେ କିଛି ଅଂଚଳରେ ବ୍ଲାକଆଉଟ ମଧ୍ୟ ଉଠାଇ ଦିଆଯାଇଛି। ବିଳମ୍ବିତ ରାତିରୁ ଏ ପର୍ଯ୍ୟନ୍ତ ସୀମାରେ ବନ୍ଦ ରହିଛି ଗୁଳିମାଡ଼। ଅଖନୁର, ପୁଞ୍ଚ, ପଞ୍ଜାବ ଓ ରାଜସ୍ଥାନ ସୀମାରେ ହୋଇନି ଫାୟାରିଂ। ସାଇରନ ବଜାଇବା ସହ ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ କରାଯାଉଥିବା ଘୋଷଣା ମଧ୍ୟ ବନ୍ଦ ରହିଛି। ତେବେ ସୁରକ୍ଷା ଦୃଷ୍ଟିରୁ ଲୋକେ ନିଜେ ସେମାନଙ୍କର ଘରର ଲାଇଟ ସବୁକୁ ବନ୍ଦ କରି ରଖିଥିଲେ। ଭାରତ-ପାକ ସୀମାରେ ଉତ୍ତେଜନା ଦେଖାଦେବା ପରଠାରୁ ପାକିସ୍ତାନ୍ ପଟୁ ଗୁଳିଗୋଳା ମାଡ଼ରେ ୬ ସୁରକ୍ଷାକର୍ମୀଙ୍କ ସମେତ ୨୨ ଜଣଙ୍କ ମୃତ୍ୟୁ ହୋଇଛି। ଗତ ୭ ତାରିଖରୁ ପାକ ସୀମାପଟୁ ଗୁଳିଗୋଳା ମାଡ ଆରମ୍ଭ ହୋଇଥିଲା। ବିଜୁଳି ସେବା ମଧ୍ୟ ସଂପୂର୍ଣ୍ଣ ସ୍ବାଭାବିକ୍ ହୋଇଛି। ହେଲେ ସୁରକ୍ଷା ଦୃଷ୍ଟିରୁ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।