spot_img

Latest Posts

ପିସିଆର ଭ୍ୟାନ ଉପରେ ଚଢିଗଲା ହାଇୱା, ଜଣେ ପୋଲିସ କର୍ମଚାରୀ ଓ ଜଣେ ହୋମଗାର୍ଡଙ୍କ ମୃତ୍ୟୁ

କଟକ : ବିପର୍ଯ୍ୟୟ ଘଟାଇଲା ବାଲି ବୋଝେଇ ହାଇୱା । କଟକ ଗତିରାଉତ ପାଟଣା ମହାନଦୀ ବନ୍ଧ ଉପରେ ଦୁର୍ଘଟଣା । ଠିଆ ହୋଇଥିବା ପିସିଆର ଭ୍ୟାନ ଉପରେ ଚଢିଗଲା ହାଇୱା । ଜଣେ ପୋଲିସ କର୍ମଚାରୀ ଓ ଜଣେ ହୋମଗାର୍ଡଙ୍କ ମୃତ୍ୟୁ । CRI ଥାନା ୧୫ ନମ୍ବର PCR ଧରି ଜଣେ ପୋଲିସ କର୍ମଚାରୀ ଓ ଦୁଇଜଣ ହୋମଗାର୍ଡ ପାଟ୍ରୋଲିଂ କରୁଥିଲେ । ଚୋରା ବାଲି ଗାଡି ଯାଉଥିବା ଖବର ପାଇ ଅଟକାଇବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଅଣଓସାରିଆ ରାସ୍ତାରେ କନ୍ଦରପୁର ଆଡୁ ଦୃତ ଗତିରେ ଆସୁଥିବା ବାଲି ବୋଝେଇ ହାଇୱାଟି ପିସିଆର ଉପରେ ଚଢି ଯାଇଥିଲା । ଫଳରେ ଭାରସାମ୍ଯ ହରାଇ ଦୁଇଟିଯାକ ଗାଡ଼ି ବନ୍ଧ ତଳକୁ ଖସି ପଡ଼ିଥିଲା । ପୋଲିସ, ଅଗ୍ନିଶମ ଓ ସ୍ଥାନୀୟ ଲୋକେ ଗ୍ୟାସ କଟରରେ କାଟି ୩ ଜଣଙ୍କୁ ଉଦ୍ଧାର କରିଥିଲେ । ମୃତ ହୋମଗାର୍ଡ ଜଗବନ୍ଧୁ ମାହାଲି ଏବଂ ଓପିଏଏଫ ଯବାନ ଲୋକନାଥ ଶବରଙ୍କ ମରଶରୀରକୁ ଗାର୍ଡ ଅଫ ଅନର ଦେବା ପରେ ତାଙ୍କ ଗାଁକୁ ପଠାଯାଇଥିଲା । ସେପଟେ  ଆହତ ହୋମଗାର୍ଡ ପବିତ୍ର ମୋହନ ସେଠୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।

ଜଗବନ୍ଧୁଙ୍କ ମର ଶରୀର ନିଜ ଯଶପଡାରେ ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଷ ସୃଷ୍ଟି ହୋଇଥିଲା । ରୋଜଗାରିଆ ପୁଅକୁ ହରାଇ ଅସହାୟ ହୋଇପଡ଼ିଛନ୍ତି ବୃଦ୍ଧ ମାଆ-ବାପା । ସ୍ତ୍ରୀ ଓ ୬ ବର୍ଷର ଝିଅ ଓ ୩ ବର୍ଷର ପୁଅକୁ ନେଇ ଜଗବନ୍ଧୁଙ୍କ ସଂସାର । ତେଣୁ ପରିବାର ଲୋକଙ୍କ ଉପଯୁକ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ପରିବାର ଓ ପୋଲିସ କର୍ମଚାରୀ ସଂଘ ପକ୍ଷରୁ ଦାବି କରାଯାଇଛି । ସେପଟେ   ସମସ୍ତ ସହଯୋଗ ଯୋଗାଇ ଦେବାସହ ରାଜ୍ଯ ସରକାରଙ୍କୁ ଏନେଇ ଅବଗତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସ୍ଥାନୀୟ ବିଧାୟକ ।ଏହା ଏକ ଦୁର୍ଘଟଣା ନା ଯୋଜନାବଦ୍ଧ ହତ୍ଯାକାଣ୍ଡ ତାହା ସ୍ପଷ୍ଟ ହୋଇ ନଥିବାବେଳେ ହାଇୱା ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ ।

Latest Posts

Don't Miss