ପିସିଆର ଡ୍ରାଇଭରଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ

ପୁରୀ: ମାଟିତୋଟା ବାସେଳୀ ସାହି ଥାନା ପିସିଆର ଡ୍ରାଇଭରଙ୍କୁ ଆକ୍ରମଣ । କର୍ମଚାରୀ ଜଣକ ହେଲେ ଗୃହରକ୍ଷୀ ଦୀପକ ମାଝି । ଦୀପକଙ୍କ ଉପରକୁ ଚାରି ଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ ଦୀପକ ବାସେଳୀ ସାହି ଥାନାରେ ଏତଲା ଦେଇଛନ୍ତି । ବୁଧବାର ରାତିରେ ଦୀପକ ବାସେଳୀ ସାହି ଥାନା ପିସିଆର ଭ୍ୟାନରେ ଯାଉଥିବାବେଳେ ମାଟିତୋଟାଠାରେ ଚାରି ଜଣ ଅଜ୍ଞାତ ଯୁବକ ତାଙ୍କ ଉପରକୁ ଆକ୍ରମଣ କରିଥିଲେ ।

ଭୁଜାଲିରେ ତାଙ୍କ ଉପରକୁ ଆକ୍ରମଣ କରାଯାଇଥିବାବେଳେ ସେ ସେଠାରୁ ଖସି ଚାଲି ଆସିଥିଲେ । ତାଙ୍କ ଆଖି ପତା ଫାଟି ଯାଇଛି । ବେକ ଓ କାନ୍ଧରେ ମଧ୍ୟ ଆଘାତ ଲାଗିଛି । ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ସାରି ଘରକୁ ପଠାଇ ଦିଆଯାଇଛି । ତେବେ ଏନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।