ବିଜେପି ପାଇଁ କଂଗ୍ରେସରେ କଳି, ପିସିସି ସଭାପତି ଓ ଦଳର ବରିଷ୍ଠ ନେତା ମୁହାଁମୁହିଁ

ଭୁବନେଶ୍ୱର: ବିଜେପି ପାଇଁ କଂଗ୍ରେସରେ କଳି । ପିସିସି ସଭାପତି ଓ କଂଗ୍ରେସ ନେତ୍ରୀ ମୁହାଁମୁହିଁ । ପିସିସି ସଭାପତିଙ୍କ ନାଁରେ ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ଦଳର କଟକ ଜିଲ୍ଲା ପୂର୍ବତନ ସଭାନେତ୍ରୀ ଗିରିବାଳା ବେହେରା ସାଂଘାତିକ ଅଭିଯୋଗ ଆଣିଛନ୍ତି । ନିଜସ୍ବାର୍ଥ ପାଇଁ ବିଜେପି ଏଜେଣ୍ଡାରେ ରାଜ୍ୟ କଂଗ୍ରେସକୁ ପିସିସି ସଭାପତି ଚଳାଇଛନ୍ତି । ବିଜେପିର ବରିଷ୍ଠ ନେତାଙ୍କ ସହ ପିସିସି ସଭାପତି ଶରତ ପଟ୍ଟନାୟକ ବୁଝାମଣା କରି ରାଜ୍ୟ କଂଗ୍ରେସକୁ ବୁଡ଼ାଇ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ଗିରିବାଳା । ପିସିସି ସଭାପତିଙ୍କ ବିଜେପି ପ୍ରୀତି ଯୋଗୁ କଂଗ୍ରେସରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ବିଜେପି ସହ କଂଗ୍ରେସ ମେଣ୍ଟ କରିନାହିଁ କହି ଖସିଯିବାକୁ ଉଦମ୍ୟ କରୁଥିବା ପିସିସି ସଭାପତିଙ୍କୁ ଦଳର ନେତାମାନେ ପ୍ରଶ୍ନବାଣରେ ଘାଇଲା କରିଛନ୍ତି।

ବିଜେପି ଏଜେଣ୍ଡାରେ କଂଗ୍ରେସ ଚାଲିଥିବା ଅଭିଯୋଗ ପରେ ରାଜ୍ୟ କଂଗ୍ରେସରେ କମ୍ପନ ସୃଷ୍ଟି ହୋଇଛି । ବିଜେପି ସହ ପିସିସି ସଭାପତିଙ୍କ ସମ୍ପର୍କ ନେଇ ଦଳର ବରିଷ୍ଠ ନେତାମାନେ ଖୋଲାଖୋଲି ମୁହଁ ଖୋଲୁନଥିଲେ ମଧ୍ୟ ଭିନ୍ନ ଇସାରା ଦେଇଛନ୍ତି । କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ବିଜେପି ସହ କଂଗ୍ରେସର ସମ୍ପର୍କ ପ୍ରସଙ୍ଗକୁ ଏଡ଼ାଇଯାଇ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ବାଳଙ୍କ ନିଲମ୍ବନ ପରେ ଦଳୀୟ କନ୍ଦଳକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ୨୩ ବର୍ଷ ଧରି ରାଜ୍ୟରେ କଂଗ୍ରେସ କ୍ଷମତା ବାହାରେ ରହିଛି । ଜାତୀୟସ୍ତରରେ ବିଜେପି ସହ ଲଢୁଥିବା କଂଗ୍ରେସ ଓଡ଼ିଶାରେ ପିସିସି ସଭାପତିଙ୍କ ସ୍ବାର୍ଥପାଇଁ ବିଜେପିକୁ ମିତ୍ର କରିଥିବା ଅଭିଯୋଗ ବଢୁଛି । ଯାହାକୁ ନେଇ କଂଗ୍ରେସ ସଂଗଠନରେ ସୃଷ୍ଟି ହୋଇଛି ହଲଚଲ୍‌ ।