କଂଗ୍ରେସକୁ ପୁଣି ଝଟ୍‌କା, ଦଳ ଛାଡ଼ିଲେ ଭେଟେରାନ୍‌ ଲିଡର ପିସି ଚାକୋ

1 min read
PC CHako

ନୂଆଦିଲ୍ଲୀ: ସୁଧୁରିବାର ନାଁ ଧରୁନି କଂଗ୍ରେସର ସ୍ଥିତି । ଦିନକୁ ଦିନ ଆହୁରି ତଳକୁ ଖସୁଛି ଦଳ । ବୁଧବାର ପୁଣି ଜଣେ ଭେଟରାନ କଂଗ୍ରେସ ନେତା ଦଳରୁ ଇସ୍ତଫା ଦେଇଛନ୍ତି । ଖାଲି ଇସ୍ତଫା ନୁହେଁ ସେ କଂଗ୍ରେସ ହାଇକମାଣ୍ଡକୁ ଏଥିପାଇଁ ଦୋଷ ମଧ୍ୟ ଦେଇଛନ୍ତି ।

କଂଗ୍ରେସର ଭେଟେରାନ୍‌ ଲିଡର ପିସି ଚାକୋ ବୁଧବାର ଦଳରୁ ଇସ୍ତଫା ଦେଇଥିବା ନେଇ ନିଜେ ଘୋଷଣା କରିଛନ୍ତି । ସେ ନିଜ ଇସ୍ତଫା ପତ୍ର ଦଳର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି । ଆଗକୁ ନିର୍ବାଚନ ଯେତିକି ପାଖେଇ ଆସୁଛି କଂଗ୍ରେସ କନ୍ଦଳ ସେତିକି ପଦାକୁ ଆସୁଛି । ଗୋଟିଏ ପଟେ ଜି-୨୩ ନେତା ଏକ ସିଣ୍ଡିକେଟ୍‌ ପ୍ରସ୍ତୁତ କରୁଥିବା ବେଳେ ଅନ୍ୟପଟେ ଭେଟେରାନ୍‌ ନେତାମାନେ ଦଳ ଛାଡ଼ୁଛନ୍ତି । ଯାହାକି ଆଗାମୀ ନିର୍ବାଚନରେ କଂଗ୍ରେସ ପାଇଁ ବଡ଼ ଘାଟା ବୋଲି କୁହାଯାଇପାରେ । ସେହିଭଳି କେରଳ ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ବରିଷ୍ଠ ନେତା ପିସି ଚାକୋଙ୍କ ଇସ୍ତଫା ଦଳ ପାଇଁ ଏକ ଶକ୍ତ ଧକ୍କା କୁହାଯାଉଛି । ଏହା ଦ୍ୱାରା କଂଗ୍ରେସକୁ ଏକ ବଡ଼ ପ୍ରାପ୍ୟ ଦେବାକୁ ପଡ଼ିପାରେ ଆଶଙ୍କା ରହିଛି ।

ତେବେ ଚାକୋ ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, ‘ମୁଁ ଦଳ ପାଇଁ କଠିନ ପରିଶ୍ରମ କରିଛି । କିନ୍ତୁ, ଏବେ କେରଳ କଂଗ୍ରେସ ତାଙ୍କୁ ଗୁରୁତ୍ୱ ଦେଉନାହିଁ । ଏଠାରେ ଗୋଷ୍ଠିବାଦ ରାଜନୀତି ଚାଲିଛି । ହାଇକମାଣ୍ଡଙ୍କ ବାରଣ ସତ୍ତ୍ୱେ ଏହା ଚାଲିଛି । ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ଏନେଇ ଅବଗତ ଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । କେରଳ କଂଗ୍ରେସ ରାଜନୀତିରେ ଏବେ ଓମେନ ଚାଣ୍ଡି ଏବଂ ରମେଶ ଚେନ୍ନାଇଥାଲାଙ୍କ କଥାକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ସେମାନେ ଏକ ଗୋଷ୍ଠି କରି ରାଜନୀତି କରୁଛନ୍ତି । ତେବେ ସବୁ ଜାଣି ମଧ୍ୟ ହାଇକମାଣ୍ଡ ଚୁପ୍‌ ରହିଥିବାରୁ ଦଳ ଏଭଳି ଦୁର୍ଦଶା ଭୋଗୁଛି ।

Leave a Reply