ମହାରାଷ୍ଟ୍ର ବାରମତିରେ ପାଓ୍ବାର ବନାମ ପାଓ୍ବାର ଲଢ଼େଇ

ମୁମ୍ବାଇ: ମହାରାଷ୍ଟ୍ରରେ ନିର୍ବାଚନ ତାତି । ବିଶେଷ କରି ବାରମତି ଆସନକୁ ନେଇ ସାରା ଦେଶରେ ଚର୍ଚ୍ଚା । ଏଠାରେ ହେବାକୁ ଯାଉଛି ହାଇଭୋଲଟେଜ ଲଢେଇ । ମୁହାଁମୁହିଁ ହୋଇଛନ୍ତି ଏନସିପି ବନାମ ଏନସିପି । ପାଓ୍ବାର ବନାମ ପାଓ୍ବାର ଫାଇଟ୍ । ଏନସିପି  ଶରଦ ପାଓ୍ବାର ଗୋଷ୍ଠୀ ନେତ୍ରୀ ତଥା ସୁପ୍ରିମୋ ଶରଦ ପାଓ୍ବାରଙ୍କ ଝିଅ ସୁପ୍ରିୟା ସୁଲେଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଶରଦ ପାଓ୍ବାରଙ୍କ ପୁତୁରା ଅଜିତ ପାଓ୍ବାରଙ୍କ ପତ୍ନୀ ସୁନେତ୍ର ପାଓ୍ବାର ।

ପୁଣେ ଜିଲ୍ଲାର ବାରମତିରେ ଶିଳ୍ପ, କୃଷି, ବାଣିଜ୍ୟ କ୍ଷେତ୍ରରେ ନାନା ସଙ୍କଟ ଦେଖା ଦେଇଥିବାବେଳେ ଏହି ପାରିବାରିକ ଲଢେଇ ଚର୍ଚ୍ଚାର କାରଣ ହୋଇଛି । ୫୪ ବର୍ଷ ବୟସ୍କ ସୁପ୍ରିୟାଙ୍କୁ ଏହି ଆସନରେ ଟକ୍କର ଦେବେ ତାଙ୍କ ସମ୍ପର୍କୀୟା ୬୦ ବର୍ଷ ବୟସ୍କା ସୁନେତ୍ର ।

ଗତବର୍ଷ ଜୁଲାଇ ୨ରେ ମୂଳ ଏନସିପିରୁ ଅଲଗା ହୋଇ ଅଜିତ ପାଓ୍ବାର ବିଜେପି ସରକାରରେ ସାମିଲ ହେବା ସହ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୯୬୯ ମସିହାରୁ ବାରମତି ଆସନ ଶରଦ ପାଓ୍ବାରଙ୍କ ଦୁର୍ଗ ଭାବେ ପରିଗଣିତ ହୋଇଆସିଛି । ୧୯୯୧ରୁ ଅଜିତ ପାଓ୍ବାର ବାରମତି ବିଧାନସଭା ଆସନରୁ ପ୍ରତିନିଧିତ୍ବ କରିଆସୁଛନ୍ତି । ବାରମତି ଲୋକସଭା କ୍ଷେତ୍ରର ୭ଟି ନିର୍ବାଚନ ମଣ୍ଡଳୀରୁ ଦୁଇଟିରେ କଂଗ୍ରେସ, ଦୁଇଟିରେ ଏନସିପି ଓ ଦୁଇଟିରେ ବିଜେପି ବିଧାୟକ ଅଛନ୍ତି । ୨୦୧୯ରେ ସୁପ୍ରିୟା ତୃତୀୟ ଥର ଲାଗି ଏହି ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ବାରମତିରେ ତୃତୀୟ ପର୍ଯ୍ୟାୟ ଅର୍ଥାତ ମେ’ ୭ ତାରିଖରେ ହେବ ନିର୍ବାଚନ ।