ଭୋଟର ତାଲିକାରୁ କେମିତି କଟିଲା ନାଁ ? ବିଡିଓ ତୁମେ ଜବାବ ଦିଅ…

ଦିଗପହଣ୍ଡି: ଭୋଟର ତାଲିକାରେ ନାଁ ନଥିବାରୁ ବିଡିଓଙ୍କୁ ଆକ୍ରମଣ କରିବା ସହିତ ଅଟକ ରଖିଛନ୍ତି ଗ୍ରାମବାସୀ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବିଡିଓଙ୍କୁ ରାସ୍ତା ଉପରୁ ଉଠାଇ ନେଇ ଅଟକ ରଖିଛନ୍ତି ଧାଡ଼ିଆମ୍ବ ଗ୍ରାମବାସୀ । ଭୋଟର ତାଲିକାରେ ନାଁ ନଥିବାରୁ ଭୋଟ୍ ଦାନରୁ ବଞ୍ଚିତ ହୋଇଥିଲେ ତୁମ୍ବା ପଞ୍ଚାୟତର ଧାଡ଼ିଆମ୍ବ ଗ୍ରାମବାସୀ । ଆଜି ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ସମୀକ୍ଷା କରି ଫେରିବା ବେଳେ ଗ୍ରାମବାସୀ ବିଡିଓଙ୍କୁ ରାସ୍ତାରୁ ଉଠାଇ ନେଇଛନ୍ତି ।
ଖବର ପାଇ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ, ବ୍ରହ୍ମପୁର ଉପଜିଲ୍ଲାପାଳ, ପାତ୍ରପୁର ତହସିଲଦାର ଓ ପୋଲିସ ଘଟଣାସ୍ଥଳକୁ ଯାଇଛନ୍ତି । ଗତ ୨୦ ତାରିଖରେ ତୁମ୍ବା ପଞ୍ଚାୟତରେ ଭୋଟିଂ ହୋଇଥିଲା । ୩ ନମ୍ବର ବୁଥରେ ୨୫ରୁ ଅଧିକ ପରିବାରର ନାଁ ଭୋଟର ତାଲିକାରୁ କଟିଯାଇଥିବାରୁ ପୁନଃ ଭୋଟ ଗ୍ରହଣ ପାଇଁ ଦାବି କରିଥିଲେ ଗ୍ରାମବାସୀ ।
ସେହିଦିନ ହିଁ ବାଲାଟ୍ ବାକ୍ସ ସହିତ ପ୍ରିଜାଇଡିଂ ଓ ପୋଲିଂ ଅଫିସର ଏବଂ ତହସିଲଦାରଙ୍କୁ ଗ୍ରାମବାସୀ ୪ ଘଣ୍ଟା କାଳ ଅଟକ ରଖିଥିଲେ । ବୁଝାସୁଝା ପରେ ସମସ୍ତଙ୍କୁ ଗ୍ରାମବାସୀ ଛାଡ଼ି ଦେଇଥିଲେ । ଆଜି ପୁଣି ବିଡିଓଙ୍କୁ ଅଟକ ରଖିଥିବା ଜଣାପଡ଼ିଛି ।