ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଏକମାତ୍ର ଦୋଷୀ ପୁଞ୍ଜିଲାଲ ମେହେରକୁ ଆଜୀବନ କାରାବାସ

ବଲାଙ୍ଗୀର : ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣା । ସାଢେ ସାତ ବର୍ଷ ପରେ ଆସିଲା ଚୂଡାନ୍ତ ରାୟ ।  ଏକମାତ୍ର ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ମେହେରକୁ ଆଜୀବନ ଦଣ୍ଡାଦେଶ । ବୃତ୍ତିଗତ ଶତ୍ରୁତାରୁ ପୁଞ୍ଜିଲାଲ କରିଥିଲା ନାରକୀୟକାଣ୍ଡ । ୨୦୧୮ ଫେବୃଆରୀ ୨୩ ତାରିଖରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡରେ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ଘରେ ଫୁଟିଥିଲା ପାର୍ସଲ ବୋମା । ପୁଅ ସୌମ୍ୟଶେଖରଙ୍କ ବାହାଘରରେ ମିଳିଥିବା ଗିଫ୍ଟ ଖୋଲିଲାବେଳେ ଏହି ପାର୍ସଲ ବୋମା ଫୁଟିଥିଲା । ଏଥିରେ ନବବିବାହିତ ସୌମ୍ୟଶେଖର ଓ ତାଙ୍କ ସମ୍ପର୍କୀୟ ଜେଜେମାଙ୍କ ମୃତ୍ୟୁ ହୋଇଥିଲା । ସୋମ୍ୟଶେଖରଙ୍କ ନବବିବାହିତା ପତ୍ନୀ ରିମାରାଣୀ ସାହୁ ଗୁରୁତର ଆହତ ହୋଇଥିଲେ । ଏହି ଲୋମହର୍ଷଣକାରୀ ଘଟଣାର ପ୍ରଥମେ ସ୍ଥାନୀୟ ପୋଲିସ ତଦନ୍ତ କରୁଥିବା ବେଳେ ପ୍ରାୟ ଦେଢ ମାସ ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଭାର ନେଇଥିଲା । ତଦନ୍ତରୁ ଜଣାପଡିଥିଲା ଯେ, ବୃତ୍ତିଗତ ଶତୃତାରୁ ଭଇଁସା କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ରାୟପୁରରୁ ପାଟଣାଗଡକୁ ପାର୍ସଲ କରିଥିଲା ବୋମା । ପୁଅ ବାହାଘର ପରେ ପରିବାର ଲୋକେ ଖୋଲିଥିଲେ ଉପହାର ।ଗୋଟିଏ ପରେ ଗୋଟିଏ ଉପହାର ଖୋଲିବା ପରେ ଗୋଟିଏ ଗିଫ୍ଟ ଖୋଲିବା ମାତ୍ରେ ହୋଇଥିଲା ବିସ୍ଫୋରଣ  । ବିସ୍ପୋରଣରେ ପ୍ରଚଣ୍ଡ ଶଦ୍ଦ ହେବା ସହ ଘରର ଛାତ ସହ କାନ୍ଥ ଫାଟିଥିଲା ।ବହୁ ତନାଘନା ପରେ କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲକୁ ଗିରଫ କରିଥିଲା । ଆଉ ଆଜି ତାକୁ ଦଣ୍ଡାଦେଶ ଶୁଣାଇଛନ୍ତି ପାଟଣାଗଡ଼ ଏଡିଜେ କୋର୍ଟ । ଦଣ୍ଡାଦେଶ ପରେ ସୌମ୍ୟଶେଖରଙ୍କ ପରିବାର ସାମାନ୍ୟ ଆଶ୍ବସ୍ତି ହୋଇଛନ୍ତି ।

କ୍ରାଇମବ୍ରାଞ୍ଜ ଟିମ୍ ପାଟଣାଗଡ, ଭଇଁସା କଲେଜ ଓ ରାୟପୁର ଯାଇ ତଦନ୍ତ କରିଥିଲା। ସାଢେ ୭ବର୍ଷର ନ୍ୟାୟିକ ପ୍ରକ୍ରିୟାରେ ୬୨ ଜଣଙ୍କ ସାକ୍ଷ୍ୟଗ୍ରହଣ କରାଯାଇଥିଲା । କୋର୍ଟରେ ଶହେ ଦଲିଲ ଓ ୫୨ ଉପକରଣ ଉପସ୍ଥାପିତ କରାଯାଇଥିଲା । କୋର୍ଟ ଆଇପିସିର ଧାରା ୩୦୨, ୩୦୭, ୨୦୧ ସହ ବିସ୍ଫୋରକ ସାମଗ୍ରୀ ଆଇନର ଧାରା ୩ ଓ ୪ ଆଧାରରେ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ଦଣ୍ଡାଦେଶ ପରେ ପୁଞ୍ଜିଲାଲ କାନ୍ଦି ପକାଇଥିଲେ । ସେପଟେ ଏଡିଜେ କୋର୍ଟଙ୍କ ରାୟକୁ ଉପର କୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି ସେ କହିଛନ୍ତି । ସୌମ୍ୟଶେଖରଙ୍କ ପରିବାର କହିଛନ୍ତି, ପୁଞ୍ଜିଲାଲ ଉପର କୋର୍ଟକୁ ଗଲେ ସେମାନେ ମଧ୍ୟ ନ୍ୟାୟିକ ପ୍ରକ୍ରିୟାକୁ ସମ୍ମାନ ଦେବେ ।