‘ମାଇଣ୍ଡ ଗେମ୍’ ନାଁରେ ବଡ଼ ପରଦାକୁ ଆସିବ ‘ପାଟଣାଗଡ଼’ ବିସ୍ଫୋରଣ କାହାଣୀ

Patnagarh Movie To Be Released As Mind Game

ଭୁବନେଶ୍ୱର: ନାଁକୁ ନେଇ ବିବାଦ ପରେ ବଦଳିଲା ଟାଇଟେଲ । ‘ପାଟଣାଗଡ଼’ ଚଳଚ୍ଚିତ୍ର ନାଁ ହେଲା ‘ମାଇଣ୍ଡ ଗେମ୍’ । ଖୁବଶୀଘ୍ର ବଡ଼ ପରଦାରେ ରିଲିଜ୍ ହେବ ବହୁଚର୍ଚ୍ଚିତ ପାଟଣାଗଡ଼ ବୋମା ବିସ୍ଫୋରଣ ଘଟଣାକୁ ନେଇ ତିଆରି ହୋଇଥିବା ଚଳଚ୍ଚିତ୍ର ‘ମାଇଣ୍ଡ ଗେମ୍’ । ଏ ନେଇ ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ଫିଲ୍ମଟି ପ୍ରଯୋଜନା କରିଛନ୍ତି ପ୍ରଯୋଜକ ଶ୍ରୀଧର ମାର୍ଥା । ୨୦୧୮ମସିହାର ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣକୁ ନେଇ ତିଆରି ହୋଇଥିଲା ଓଡ଼ିଆ ଚଳଚ୍ଚିତ୍ର ‘ପାଟଣାଗଡ଼’ ।

ଓଡ଼ିଆ ଓ ତେଲୁଗୁ ଭାଷାରେ ନିର୍ମାଣ ହୋଇଛି ଫିଲ୍ମ । ଓଲିଉଡ୍, ବଲିଉଡ୍ ଓ ଟଲିଉଡର ଅଭିନେତା ଏହି ଫିଲ୍ମରେ ଅଭିନୟ କରିଛନ୍ତି । ପୁଞ୍ଜିଲାଲ ମେହେର ଭୂମିକାରେ ଅଭିନୟ କରୁଛନ୍ତି ଓଡ଼ିଆ ଅଭିନେତା ମନୋଜ ମିଶ୍ର । ଏହାସହ ଅତୁଲ କୁଲକର୍ଣ୍ଣି, ଓ ପଙ୍କଜ ମିଶ୍ରଙ୍କ ଭଳି ବହୁ ଅଭିନେତା ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ଟଲିଉଡର ଫେମସ୍ ନିର୍ଦ୍ଦେଶକ ରାଜେଶ ଟଚରିଭର ଏହାର ନିର୍ଦ୍ଦେଶନା ଦେଇଛନ୍ତି ।

May be an image of 6 people, beard and text

୨୭ ତମ କୋଲକାତା ଇଣ୍ଟର ନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ସିଲେକ୍ଟ ହୋଇଛି ‘ମାଇଣ୍ଡ ଗେମ୍’ । ପୂର୍ବରୁ ପାଟଣାଗଡ଼ ନାମକୁ ନେଇ ବିବାଦ ଦେଖା ଦେଇଥିଲା । ଯାହାଫଳରେ ଫିଲ୍ମିଟି ରିଲଜ୍ ହୋଇ ପାରିନଥିଲା । ମୋଟ ୬ ଭାଷାରେ ଏହି ଫିଲ୍ମ ରିଲିଜ କରିବାକୁ ସଂସ୍ଥା ଲକ୍ଷ୍ୟ ରଖିଛି । ବଡ଼ ପରଦା ସହ ଓଟିଟି ପ୍ଳାଟ ଫର୍ମରେ ମଧ୍ୟ ଚଳଚ୍ଚିତ୍ରଟି ରିଲିଜ୍ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି ।

Leave a Reply