ପାର୍କିଂ କରି ଭ୍ୟାନ୍‌ରେ ବସିଥିଲେ ପୋଲିସ କର୍ମଚାରୀ: ଏମିତି ଆସିଲା ମୃତ୍ୟୁ

ପାଟଣା: ବେଉରରେ ବଡ଼ ଧରଣର ଅଘଟଣ । ଟ୍ରକ୍ ଧକ୍କା ପରେ ନିଆଁ ଲାଗି ଜଳିଗଲେ ୩ ପୋଲିସ କର୍ମଚାରୀଙ୍କ ଜୀବନ । ଆଉ ୨ଜଣ ପୋଲିସ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଏକ ଦ୍ରୁତଗତିରେ ଯାଉଥିବା ଟ୍ରକ ଓଭରଟର୍ଣ୍ଣ ବେଳେ ଓଲଟିପଡ଼ି ନିକଟରେ ଛିଡ଼ା ହୋଇଥିବା ଏକ ପୋଲିସ ଭ୍ୟାନ୍ ଉପରେ ପଡ଼ିଥିଲା । ସକାଳ ପ୍ରାୟ ସାଢ଼େ ୪ଟା ବେଳେ ଏହି ଦୁର୍ଘଟଣା ଘଟିଥିବା ପୋଲିସ ସୂଚିତ କରିଛି ।

ସୂଚନା ମୁତାବକ, ଦୁର୍ଘଟଣାଗ୍ରସ୍ତ ପୋଲିସ ଜିପ୍ସି ଗାଡ଼ି ଉନିସାବାଦରୁ ବେଉର ଆଡକୁ ଯାଉଥିଲା । ଏହି ସମୟରେ ହଠାତ୍ ଦ୍ରୁତଗତିରେ ଏକ ଟ୍ରକ୍ ଆସିଥିଲା ଓ ଜିପ୍ସିକୁ ଧକ୍କା ଦେଇଥିଲା । ଧକ୍କା ଦେବାପରେ ଟ୍ରକଟି ନିୟନ୍ତ୍ରଣ ହରାଇ ପୋଲିସ ଜିପ୍ସି ଉପରେ ଓଲିଟି ପଡିଥିଲା ଓ ଓଲିଟିବା ମାତ୍ରେ ହିଁ ଜିପ୍ସିରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା । ନିଆଁ ଲାଗିବା ଯୋଗୁଁ ଜିପ୍ସିରେ ଥିବା ୫ ଜଣ ଜଳିଯାଇଥିଲେ । ଘଟଣାସ୍ଥଳରେ ୩ ଜଣ ପୁଲିସ ମୃତ୍ୟୁବରଣ କରିଥିବାବେଳେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମୃତକ ୩ ଜଣଙ୍କ ମଧ୍ୟରୁ ୨ ଜଣ ହୋମଗାର୍ଡ ଯବାନ ଥିଲେ ଓ ଜଣେ ଜିଲ୍ଲା ପୁଲିସ ବଳର ଡ୍ରାଇଭର ଥିଲେ । ଏହି ୨ ହୋମଗାର୍ଡ ଯବାନଙ୍କ ନାମ ପ୍ରଭୁ ସାହା ଓ ପୁଖରାଜ କୁମାର, ଡ୍ରାଇଭରଙ୍କ ନାମ ରାଜେଶ କୁମାର ବୋଲି ଚିହ୍ନଟ ହୋଇଛନ୍ତି । ଆହତ ୨ ପୁଲିସକର୍ମୀଙ୍କ ମଧ୍ୟରେ ଜଣେ ଏ.ଏସ୍.ଆଇ. ଅଛନ୍ତି ଯାହାଙ୍କ ନାମ ସିଆଚରଣ ପାସଓ୍ଵାନ, ଅନ୍ୟ ଜଣେ ଆହତ ହେଉଛନ୍ତି ହୋମଗାର୍ଡ ଶ୍ରୀକାନ୍ତ ସିଂହ  ।

Leave a Reply