Sushant Singh Rajput Case : ଖୁବଶୀଘ୍ର ବିହାର ଫେରିବ ପାଟନା ପୋଲିସ,ସାଥିରେ ଆଣୁଛି ଗୁରୁତ୍ୱପୁର୍ଣ୍ଣ ପ୍ରମାଣ

ମୁମ୍ବାଇ:  ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁ ମାମଲାର ଗୁମର ଖୋଲିବା ପାଇଁ ଅଣ୍ଟା ଭିଡ଼ିଛି ବିହାର ପୋଲିସ୍ । କିନ୍ତୁ ମାମଲାର ପର୍ଦ୍ଦାଫାଶକୁ ନେଇ ମୁମ୍ବାଇ ପୋଲିସ ବାଧା ସୃଷ୍ଟି କରୁଥିବା ଅଭିଯୋଗ ଆଣିଥିଲା ବିହାର ପୋଲିସ୍ । ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ଯାଂଚ ପାଇଁ ଲକ୍ଷ ଲକ୍ଷ ପ୍ରଶଂସକ ଦାବି କରୁଥିବା ବେଳେ ସୁଶାନ୍ତଙ୍କ ବାପା ବିହାରର ମୁଖ୍ୟମନ୍ତ୍ରୀ ନିତିଶ୍ କୁମାରଙ୍କୁ ଦେଖା କରି ସିବିଆଇ ଯାଂଚ ପାଇଁ ସୁପାରିଶ୍ କରିବାକୁ ଅନୁରୋଧ କରିଥିଲେ । ବିହାର ସରକାର ମଧ୍ୟ ଏହି ମାମଲାକୁ ସିବିଆଇକୁ ସ୍ଥାନାନ୍ତର କରି ସାରିଛନ୍ତି । ତେବେ ସୁଶାନ୍ତଙ୍କ ମୃତ୍ୟୁର ସତ୍ୟାସତ୍ୟ ସାମ୍ନାକୁ ଆଣିବା ପାଇଁ ମୁମ୍ବାଇ ଯାଇଥିବା ବିହାର ପୋଲିସ୍ ଗତ ଦୁଇ ତିନି ଦିନ ମଧ୍ୟରେ ପାଟନା ଫେରି ପାରନ୍ତି । ଜାତୀୟ ଗଣମାଧ୍ୟମର ଖବର ଅନୁସାରେ ସିବିଆଇ ଯାଂଚ ପାଇଁ ସୂଚନା ଜାରି ହେବା ପରେ ବିହାର ପୋଲିସ କୌଣସି ବ୍ୟକ୍ତିକୁ ପଚରା ଉଚରା କରି ନାହାଁନ୍ତି ଏବଂ ଏପର୍ଯ୍ୟନ୍ତ ସଂଗ୍ରହ କରିଥିବା ସମସ୍ତ ପ୍ରମାଣର ଫାଇଲ ପ୍ରସ୍ତୁତ କରୁଛନ୍ତି, ଯାହା ଯାଂଚ ସମୟରେ ସିବିଆଇକୁ ସାହାଯ୍ୟ କରିବ ।

ଏହା ମଧ୍ୟରେ କେନ୍ଦ୍ରାଞ୍ଚଳ ଆଇଜି ସଞ୍ଜୟ ସିଂଙ୍କ ବୟାନ ସାମ୍ନାକୁ ଆସିଛି । ଯେଉଁଥିରେ ମୁମ୍ବାଇ ଯାଇଥିବା ପାଟନା ପୋଲିସ ଖୁବଶୀଘ୍ର ଫେରି ପାରନ୍ତି ଏବଂ କାଗଜପତ୍ରରେ ଏହାର ଯାଂଚ ଆରମ୍ଭ ହୋଇ ସାରିଲାଣି ବୋଲି ସେ ସୂଚନା ଦେଇଛନ୍ତି । ତଦ୍‌ସହିତ ଏପର୍ଯ୍ୟନ୍ତ ୧୨ ଜଣଙ୍କୁ ପଚରା ଉଚରା କରି ଖୁବ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ସଂଗ୍ରହ କରିଛି ବିହାର ପୋଲିସ୍ । ୨୭ ଜୁଲାଇକୁ ମୁମ୍ବାଇ ପହଂଚିଥିବା ବିହାର ପୋଲିସ୍ ଏପର୍ଯ୍ୟନ୍ତ ସୁଶାନ୍ତଙ୍କ ଭଉଣୀ, ଅଙ୍କିତା ଲୋଖଣ୍ଡେ,ଫିଲ୍ମ ନିର୍ଦ୍ଦେଶକ ମୁକେଶ ଛାବଡ଼ା ଏବଂ ରୁମି ଜାଫରୀ, ଚାକର ନିରଜ, ଗାର୍ଡ, ରୋଷେୟା, ଦୀପେଶ୍ ସାଓ୍ୱନ୍ତ ଓ ସିଦ୍ଧାର୍ଥ ପିଠାନିଙ୍କ ସମେତ ପ୍ରାୟ ୧୨ ଜଣ ଲୋକଙ୍କ ବୟାନ୍ ନେଇ ସାରିଛି ପୋଲିସ୍ । କେବଳ ସେତିକି ନୁହେଁ ବରଂ ସୁଶାନ୍ତଙ୍କ ମୋବାଇଲର ସିଡିଆର ରିପୋର୍ଟ ଓ ବ୍ୟାଙ୍କ୍ ଷ୍ଟେଟମେଂଟ ସହିତ ଅନ୍ୟ ସମସ୍ତ ପ୍ରମାଣ ମଧ୍ୟ ଏକାଠି କରିଛି ପୋଲିସ୍ ।

ପାଟନା ପୋଲିସର ଜଣେ ଅଧକାରୀଙ୍କ କହିବା ମୁତାବକ ଯେବେ ପାଟନା ପୋଲିସ ମଲାଡ଼ରେ ସୁଶାନ୍ତଙ୍କ ପୂର୍ବ ମ୍ୟାନେଜର ଦିଶାଙ୍କ ମୃତ୍ୟୁ ମାମଲା ସମ୍ବଦ୍ଧିତ ଫାଇଲ ତଦନ୍ତ କରୁଥିବା  ଥାନାକୁ ମାଗିଲେ ତାହା କମ୍ପ୍ୟୁଟରରୁ ଡିଲିଟ ହୋଇ ଯାଇଛି ବୋଲି କୁହାଗଲା । ଏହା ସହିତ ଯେତେବେଳେ ପାଟନା ପୋଲିସ୍ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଥିଲେ ସେତେବେଳେ ମୁମ୍ବାଇ ପୋଲିସ୍ ଏହି ମାମଲାକୁ ନେଇ ଏତେ ଗମ୍ଭୀର ନଜର ଆସୁନଥିଲେ ଯେତିକି ଦିଶାଙ୍କ ମାମଲାକୁ ନେଇ ଗମ୍ଭୀର ଥିବାର ଦେଖିବାକୁ ମିଳିଥିଲା। ଦିଶାଙ୍କ ମାମଲାକୁ ତନାଘନା କରିବା ମାତ୍ରେ ମୁମ୍ବାଇ ପୋଲିସ ହଠାତ୍ ତଦନ୍ତ କରିବା ଆରମ୍ଭ କଲା । ପୋଲିସର କହିବା ଅନୁସାରେ ଦିଶାଙ୍କ ମୃତ୍ୟୁ ମାମଲାର ପ୍ରମାଣ ନଷ୍ଟ କରିବା ପରେ ଏବେ ମୁମ୍ବାଇ ପୋଲିସ୍ ନିଜେ ବୁଣିଥିବା ଜାଲରେ ଛନ୍ଦି ହୋଇ ଯାଇଛି ।

Leave a Reply