ବିହାର ବିଧାନସଭାରେ ହଙ୍ଗାମା: ଶପଥ ଗ୍ରହଣ ବେଳେ ‘ହିନ୍ଦୁସ୍ତାନ’ କହିବା ନେଇ ଆପତ୍ତି ପ୍ରକାଶ କଲେ ବିଧାୟକ

1 min read

ପାଟଣା: ଦେଶ ବା କୌଣସି ରାଜ୍ୟର ବିଧାନସଭାର ଅଂଶହେବା ପ୍ରତ୍ୟେକ ନେତାଙ୍କ ସ୍ୱପ୍ନ ଥାଏ । କିନ୍ତୁ ବିଧାନସଭାର ସଦସ୍ୟ ହେବା ପୂର୍ବରୁ ନେତାଙ୍କୁ ଶପଥ ନେବା ଅତ୍ୟନ୍ତ ଜରୁରୀ । ତେବେ ପ୍ରଶ୍ନ ଉଠୁଛି, ଜଣେ ନେତାଙ୍କୁ ଶପଥ ଗ୍ରହଣ ବେଳେ ‘ହିନ୍ଦୁସ୍ତାନ’ କହିବାରେ ସମସ୍ୟା କାହିଁକି ରହୁଛି ।

୧୭ତମ ବିହାର ବିଧାନସଭା ଆରମ୍ଭ ହେବା ସହ ଗୋଟେପଟେ ସଦନରେ ପ୍ରବେଶ କରିବା ବେଳେ ସଦସ୍ୟ ମାନେ ସିଡ଼ିରେ ମୁଣ୍ଡିଆ ମାରିବା ଭଳି ସୁନ୍ଦର ଚିତ୍ର ସାମ୍ନାକୁ ଆସିଥିବାବେଳେ ଅନ୍ୟପଟେ ଅସରୁଦ୍ଦୀନ ଓବୈସୀଙ୍କ ଦଳ AIMIMର ବିଧାୟକ ଶପଥ ଗ୍ରହଣ ବେଳେ ‘ହିନ୍ଦୁସ୍ତାନ’ ନକହିବାରୁ ଏହାକୁ ନେଇ ଆରମ୍ଭ ହୋଇଯାଇଛି ହଙ୍ଗାମା ।

ସୂଚନା ଅନୁଯାୟୀ AIMIM ଦଳର ବିଧାୟକ ଶପଥ ଗ୍ରହଣ ବେଳେ ‘ହିନ୍ଦୁସ୍ତାନ’ ବଦଳରେ ‘ଭାରତ’ କହିବେ ବୋଲି ଜିଦ ଧରିଥିଲେ । ସେ ‘ହିନ୍ଦୁସ୍ତାନ’ କହିବାକୁ ନେଇ ଆପତ୍ତି ପ୍ରକାଶ କରିଥିଲେ । ତେବେ AIMIMଦଳର ଏହି ବିଧାୟକଙ୍କ ବ୍ୟବହାରକୁ ଦନତା ଦଳ ୟୁନାଇଟେଡ ଜୋରଦାର ବିରୋଧ କରୁଛି ।

ସୂଚନା ଅନୁଯାୟୀ, ଅସରୁଦ୍ଦୀନ ଓବୈସୀଙ୍କ AIMIM ଦଳର ବିଧାୟକ ଅଖତରୁଲ ଇମାନ ଶପଥ ଗ୍ରହଣ ବେଳେ ‘ହିନ୍ଦୁସ୍ତାନ’ ଶବ୍ଦକୁ ନେଇ ଆପତ୍ତି ପ୍ରକାଶ କରିଥିଲେ । ଅଖତରୁଲ ଇମାନଙ୍କୁ ଉର୍ଦ୍ଧୁ ଭାଷାରେ ଶପଥ ନେବାର ଥିଲା, କିନ୍ତୁ ଉର୍ଦ୍ଧୁରେ ‘ଭାରତ’ ବଦଳରେ ‘ହିନ୍ଦୁସ୍ତାନ’ ଶବ୍ଦର ବ୍ୟବହାରକୁ ନେଇ ସେ ଆପତ୍ତି ପ୍ରକାଶ କରିଥିଲେ ଏବଂ ପ୍ରୋଟେମ ସ୍ପିକରଙ୍କୁ ‘ଭାରତ’ ଶବ୍ଦର ବ୍ୟବହାର କରିବା ପାଇଁ ଦାବି କରିଥିଲେ । ଅବଶ୍ୟ ପରବର୍ତ୍ତୀ ସମୟରେ ସେ ଦାବି କରୁନଥିଲେ ବରଂ ପରାମର୍ଶ ଦେଉଥିଲେ କହିଛନ୍ତି । ହେଲେ ସେତେବେଳକୁ ଘଟଣାଟି ନିଆଁ ଧରିବା ଆରମ୍ଭ କରିସାରିଥିଲା ।

ଅନେକ ନେତା ରାଜନେତା ଅଖତରୁଲଙ୍କ ଏହି ବ୍ୟବହାରକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ବିଜେପି ବିଧାୟକ ନୀରଜ କୁମାର ବବଲୁ କହିଛନ୍ତି ଯେ, ଯଦି ତାଙ୍କୁ ‘ହିନ୍ଦୁସ୍ତାନ’ କହିବାରେ ଏତେ ଅସୁବିଧା ହେଉଛି ତେବେ ସେ ପାକିସ୍ତାନରେ ଯାଇ ରହିବା ଉଚିତ । ଏମିତି ବ୍ୟକ୍ତିମାନଙ୍କୁ ଭାରତରେ ରହିବାର କୌଣସି ଅଧିକାର ନାହିଁ । ଏମିତି ଲୋକ ଦେଶକୁ ଭାଙ୍ଗିଦେବେ ବୋଲି ସେ କହିଛନ୍ତି ।

Leave a Reply