ଜମି ବିକିବାକୁ କହି ଠକିନେଲେ ଲକ୍ଷଲକ୍ଷ ଟଙ୍କା !

ପାଟକୁରା : ଜମି ବିକିବାକୁ କହି ଟଙ୍କା ନେଲେ। ହେଲେ ଏବେ ଧରା ଦେଉନାହାନ୍ତି ଜମି ମାଫିଆ। କେନ୍ଦ୍ରାପଡା ଡେରାବିଶ ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ। ଜମି ବିକ୍ରି କରିବାକୁ କହି ଗୋଟିଏ ପରିବାରଠାରୁ ଲୁଟି ନେଇଛନ୍ତି ସାଢେ ୫ ଲକ୍ଷ ଟଙ୍କା। ଡେରାବିଶ ଥାନା ବଡ଼ଫୁଗଳ ଗାଁର ବାସନ୍ତୀ ଶତପଥି ଏହି ଠକାମିର ଶିକାର ହୋଇଛନ୍ତି। ଡେରାବିଶ ଚଷାଖଣ୍ଡ ଅଞ୍ଚଳର ଅଜୟ ସିଂ ନାମକ ବ୍ୟକ୍ତିଙ୍କଠାରୁ ୩ ଗୁଣ୍ଠ ଜମି କିଣିବା ପାଇଁ ସାଢେ ୫ ଲକ୍ଷ ଟଙ୍କା ଦେଇଥିଲେ। ହେଲେ ଅଜୟ ସିଂ ଟଙ୍କା ନେବା ପରେ ସେହି ୩ ଗୁଣ୍ଠ ଜମିକୁ ରେଜିଷ୍ଟ୍ରି ନକରି ଫେରାର ହୋଇଯାଇଥିଲେ। ଏହାକୁ ନେଇ ଅଜୟ ସିଂଙ୍କ ପରିବାର ଲୋକଙ୍କୁ କହିବାରୁ ପୁଅକୁ ସମର୍ଥନ କରି ବାସନ୍ତୀଙ୍କ ପରିବାର ଲୋକଙ୍କୁ ମାଡ଼ ମାରିଥିଲେ। ଏନେଇ ବାସନ୍ତୀ ଶତପଥି ଓ ସ୍ୱାମୀ ବିଚିତ୍ର ଶତପଥି ଡେରାବିଶ ଥାନାରେ ଅଭିଯୋଗ କରିଛନ୍ତି।ଠକେଇକୁ ନେଇ ସେ ମୁଖ୍ୟମନ୍ତ୍ରୀ ଓ ପୋଲିସ ଡିଜିଙ୍କ ଦ୍ଵାରସ୍ଥ ମଧ୍ୟ ହୋଇଥିଲେ। ମାମଲାକୁ ନେଇ କେନ୍ଦ୍ରାପଡ଼ା କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜମି ଦଲାଲ ଓ ଜମି ମାଫିଆଙ୍କ ବଶବର୍ତ୍ତୀ ହୋଇ ବାସନ୍ତିଙ୍କ ପରିବାର ସର୍ବସ୍ୱ ହରାଇଥିବା କହିଛନ୍ତି।