ବିଦ୍ୟୁତ ନଥିବାରୁ ମୋବାଇଲ ଟର୍ଚ୍ଚ ଲାଇଟରେ ରୋଗୀଙ୍କର ହେଲା ଡ୍ରେସିଂ

ନୟାଗଡ: ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା । ମୋବାଇଲ ଟର୍ଚ୍ଚ ଲାଇଟରେ ଚିକିତ୍ସା କରାଯାଇଛି । ୪ ଘଣ୍ଟା ଧରି ବିଦ୍ୟୁତ ନଥିବାରୁ ମୋବାଇଲ୍ ଟର୍ଚ୍ଚ ଲାଇଟରେ ଚିକିତ୍ସା ଚାଲୁଥିବା ଦେଖିବାକୁ ମିଳିଛି । ଅପରାହ୍ନ ୪ଟାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜରୁରୀକାଳୀନ ଚିକିତ୍ସା ୱାର୍ଡ, ମେଡିସିନ୍ ଏବଂ ସର୍ଜରୀ ୱାର୍ଡରେ ଏହି ଅସୁବିଧା ଦେଖିବାକୁ ମିଳିଥିଲା । ଏପରିକି ଏହି ସମୟରେ ଦୁର୍ଘଟଣାର ଶିକାର ହୋଇ ମେଡିକାଲ ଆସିଥିବା ଦୁଇଜଣ ରୋଗୀଙ୍କୁ ମଧ୍ୟ ମୋବାଇଲ ଟର୍ଚ୍ଚ ଲାଇଟରେ ଡ୍ରେସିଂ କରାଯାଇଥିଲା । ସେହିପରି ଡାକ୍ତର ମଧ୍ୟ ମୋବାଇଲ୍ ଟର୍ଚ୍ଚ ଲାଇଟରେ ୱାର୍ଡ ବୁଲି ରୋଗୀ ଦେଖୁଥିବା ଦେଖିବାକୁ ମିଳିଥିଲା । ରୋଗୀମାନେ ଗରମରେ ସିଝୁଥିବା ବେଳେ ସାଲାଇନ୍, ଇଞେକସନ୍ ବନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ପ୍ରାୟ ୩ଘଣ୍ଟା ପରେ ଜରୁରୀକାଳୀନ ଚିକିତ୍ସା ୱାର୍ଡରେ ବିଦ୍ୟୁତ ଆସିଥିଲେ ମଧ୍ୟ ଅନ୍ୟ ୱାର୍ଡ ଗୁଡିକରେ ଲାଇଟ୍ ଆସିନଥିଲା । ଯାହାକୁ ନେଇ ମେଡିକାଲରେ ଉତ୍ତେଜନା ଦେଖାଦେଇଥିଲା ।