ଓଡ଼ିଶାରେ ଠାବ ହୋଇଛି ଚୀନର କୋଭିଡ ଭାରିଆଣ୍ଟ BF.7 

1 min read

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାରେ ଠାବ ହୋଇଛି ଚୀନର କୋଭିଡ ଭାରିଆଣ୍ଟ  । ମିଳିଥିବା ସୂଚନା ମୁତାବକ ଭାରତରେ ଠାବ ହୋଇଛି ଓମିକ୍ରନର ସବଭ୍ୟାରିଆଣ୍ଟ BF.7  । ଯାହା ମଧ୍ୟରେ ଗୁଜରାଟରେ ଦୁଇଟି ଓ ଓଡ଼ିଶାରେ ଗୋଟିଏ ମାମଲା ଠାବ ହୋଇଛି  । ଗତ ଅକ୍ଟୋବରରେ ଠାବ ହୋଇଥିଲା BF.7  । ଗୁଜରାଟ ବାୟୋଟେକନୋଲୋଜି ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଏନେଇ ସ୍ପଷ୍ଟ ହୋଇଛି  ।

ସେପଟେ କର ଲେଉଟାଇଛି କୋଭିଡ  । ଯେଉଁଥିପାଇଁ ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ବ୍ୟବହାର କରନ୍ତୁ । ଦେଶରେ କୋଭିଡ ନିୟନ୍ତ୍ରଣ ଲାଗି ସାପ୍ତାହିକ ସମୀକ୍ଷା ବୈଠକ ବସୁ । ଦିଲ୍ଲୀରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ପରାମର୍ଶ ଦିଆଯାଇଛି । ମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ବି ଦେଶରେ କୋଭିଡ ବିପଦ ଟଳିନାହିଁ । ସର୍ଭେଲାନ୍ସକୁ ଶକ୍ତିଶାଳୀ କରିବା ସହ ଆଲର୍ଟ ରହିବା ଲାଗି ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ତେବେ କୋଭିଡ ନେଇ ଆତଙ୍କିତ ହେବା ଅନୁଚିତ ବୋଲି କହିଛନ୍ତି ନୀତି ଆୟୋଗ ସଦସ୍ୟ ଭି.କେ. ପଲ ।

ଚୀନରେ କରୋନା ଆତଙ୍କ ପରେ ପରବର୍ତ୍ତୀ ପଦକ୍ଷେପ ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାଣ୍ଡଭିୟଙ୍କ ନେତୃତ୍ବରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ କରାଯାଇଛି ସ୍ଥିତି ସମୀକ୍ଷା । ବୈଠକରେ ସ୍ବାସ୍ଥ୍ୟବିଭାଗ ସମେତ ଅନ୍ୟାନ୍ୟ ବିଭାଗର ପଦାଧିକାରୀ ଓ ବିଶେଷଜ୍ଞ ଯୋଗଦେଇଥିଲେ । ଆନ୍ତର୍ଜାତିକ ଓ ଆଭ୍ୟନ୍ତରୀଣ ବିମାନ ବନ୍ଦରରେ ସତର୍କତାମୂଳକ ପଦକ୍ଷେପ, ବିଦେଶରୁ ଆସୁଥିବା ଯାତ୍ରୀଙ୍କ ସକାଶେ ଗାଇଡଲାଇନ, କୋଭିଡର ନୂଆ ଭାରିଆଣ୍ଟ ସମ୍ପର୍କରେ ବିଶେଷଜ୍ଞଙ୍କ ସହ ଆଲୋଚନା କରାଯାଇଛି । ଆଗକୁ ନୂଆବର୍ଷ ଆସୁଥିବାରୁ ସମ୍ଭାବ୍ୟ ସଂକ୍ରମଣ ରୋକିବା ଲାଗି ପଦକ୍ଷେପ ଉପରେ ଗୁରୁତ୍ବ ଦିଆଯାଇଛି ।

ଚୀନ, ଆମେରିକା, ଜାପାନ, କୋରିଆ, ବ୍ରାଜିଲ ଆଦି ରାଷ୍ଟ୍ରରେ କୋଭିଡ ରୋଗୀ ସଂଖ୍ୟା ବଢୁଥିବାରୁ ଭାରତରେ ଏହାର ମୁକାବିଲା ଲାଗି ତତ୍ପର ହୋଇଛନ୍ତି ସରକାର । ସେପଟେ ଗତ ୨୪ ଘଣ୍ଟା ଭିତରେ ୧୨୯ଟି ନୂଆ ସଂକ୍ରମଣ ଚିହ୍ନଟ ହୋଇଥିବାବେଳେ ଦେଶରେ ଆକ୍ଟିଭ କେସ ସଂଖ୍ୟା ରହିଛି ୩ ହଜାର ୪୦୮ । ପୂର୍ବରୁ ବିଭିନ୍ନ ରାଜ୍ୟ ସରକାରଙ୍କୁ କରୋନା ସଂକ୍ରମିତ ବ୍ୟକ୍ତିଙ୍କର ଜିନମ ସିକୁଏନ୍ସ କରିବା ପାଇଁ ପରାମର୍ଶ ଦେଇଥିଲେ କେନ୍ଦ୍ର ସରକାର । ଏନେଇ ସ୍ବାସ୍ଥ୍ୟ ସଚିବ ରାଜେଶ ଭୁଷଣ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଥିଲେ । ସେପଟେ ଭାରତ ଯୋଡୋ ଯାତ୍ରାରେ କରୋନା ଗାଇଡଲାଇନ ପାଳନ କରିବା ଲାଗି ରାହୁଲ ଗାନ୍ଧୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ଯ ମନ୍ତ୍ରୀ । ନଚେତ ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ଏହି ଯାତ୍ରାକୁ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେବେ ବୋଲି କହିଛନ୍ତି ମନ୍ତ୍ରୀ ।