ଶିବସେନା ନେତା ହରିଶ ସିଙ୍ଗଲା ଗିରଫ

ପଟିଆଲା: ପଞ୍ଜାବ ପଟିଆଲାରେ ଗୋଷ୍ଠୀ ସଂଘର୍ଷ ମାମଲା । ଘଟଣାରେ ଶିବସେନା ନେତା ହରିଶ ସିଙ୍ଗଲା ଗିରଫ ହୋଇଛନ୍ତି । ତେଣେ ଶିବସେନା ପଞ୍ଜାବ ଶାଖା କାର୍ଯ୍ୟକାରୀ ସଭାପତି ପଦରୁ ତାଙ୍କୁ କରାଯାଇଛି ବହିଷ୍କାର । ଖଲିସ୍ତାନୀ ସଂଗଠନ ବିରୋଧରେ ଶିବସେନା (ବାଲଠାକରେ) ଗୋଷ୍ଠୀର ଏକ ଶୋଭାଯାତ୍ରା ବାହାରିବା ପରେ ଗତକାଲି କେତେକ ଶିଖ ସଂଠଗନ ପକ୍ଷରୁ କରାଯାଇଥିଲା ପ୍ରତିବାଦ ।

ଦୁଇ ଗୋଷ୍ଠୀ ପରସ୍ପର ଉପରକୁ ଟେକାପଥର ମାଡ଼ କରିବା ସହ ଘଟଣାସ୍ଥଳରେ ବୁଲିଥିଲା ଖଣ୍ଡା । ଉତ୍ତେଜନା ରୋକିବା ଲାଗି ପୋଲିସ କରିଥିଲା ଫାଙ୍କା ଗୁଳିଚାଳନା । ସେପଟେ ରାଜ୍ୟରେ ଅସ୍ଥିରତାକୁ ପ୍ରୋତ୍ସାହନ ଦିଆଯିବ ନାହିଁ ଏବଂ ଅଶାନ୍ତି ସୃଷ୍ଟିକାରୀଙ୍କୁ କଠୋର ହସ୍ତରେ ଦମନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ । ସ୍ଥିତି ନିୟନ୍ତ୍ରଣ ଲାଗି ଗତକାଲି ରାତି ୭ଟାରୁ ଆଜି ଭୋର ଯାଏ ଲାଗୁ ହୋଇଥିଲା କର୍ଫ୍ୟୁ ।