ଦୁର୍ନୀତି, ଜାଲିଆତି ପରେ ଚର୍ଚ୍ଚାରେ ଘରୋଇ ସହାୟିକାଙ୍କ ମୃତ୍ୟୁ ରହସ୍ୟ

1 min read
Pathak Son In Law Maid Unnatural Death

ସୁବର୍ଣ୍ଣପୁର: ଖୋଲୁଛି ପାଠକ ପରିବାରର କଳା ଚିଠା । ଦୁର୍ନୀତି, ଜାଲିଆତି ପରେ ଏବେ ଚର୍ଚ୍ଚାକୁ ଆସିଛି ଘରୋଇ ସହାୟିକାଙ୍କ ମୃତ୍ୟୁ ରହସ୍ୟ । ସୋନପୁରରୁ ୨ ନାବାଳିକାଙ୍କୁ ନେଇ ଝିଅ, ଜ୍ୱାଇଁଙ୍କ ଘରେ କାମ କରାଉଥିଲେ ପାଠକ ପରିବାର । ଦୁଇ ନାବାଳିକା ଘରକୁ ଫେରୁଥିବା ବେଳେ ଜଣେ ଅସ୍ୱାଭାବିକ ଭାବେ ପ୍ରାଣ ହରାଇଥିଲେ । ତେବେ ମୃତ୍ୟୁ ପଛରେ କାରଣ କଣ ? ନାବାଳିକାଙ୍କ ପରିବାରକୁ କେବେ ମିଳିବ ନ୍ୟାୟ ? ଏହି ଘଟଣାର ତଦନ୍ତ ପାଇଁ ଦାବି ହେଉଛି ।

Pathak Son In Law Maid Unnatural Death

ସୁବର୍ଣ୍ଣପୁର ଉଲୁଣ୍ଡା ବ୍ଲକ କାଦୋଦର ଗାଁର ଜଣେ ନାବାଳିକାଙ୍କୁ ପାଠକ ପରିବାର କାମ କରାଇବାକୁ ଭୁବନେଶ୍ୱର ନେଇଥିଲେ । କିଛି ଦିନ ଘରେ କାମ କରାଇବା ପରେ ତାଙ୍କୁ ବିହାରର ପାଟଣାରେ ରହୁଥିବା ଝିଅ, ଜ୍ୱାଇଁଙ୍କ ଘରକୁ ପଠାଇଥିଲେ ପାଠକ । ସେଠାରେ ପୂର୍ବରୁ ବୀରମହାରାଜପୁର ଲୁମୁରଜୁନା ଗାଁର ଅନ୍ୟ ଜଣେ ଯୁବତୀ କାମ କରୁଥିଲେ । ଉଭୟ ଗତ ନଭେମ୍ବର ୪ ତାରିଖରେ ପାଟଣାରୁ ଟ୍ରେନ୍‌ରେ ଘରକୁ ଫେରୁଥିଲେ । ତେବେ କଟକ ବାରଙ୍ଗ ଷ୍ଟେସନରେ ଲୁମରଜୁନା ଗାଁର ଯୁବତୀଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଥିଲା । ସେପଟେ କାଦୋଦର ଗାଁର ନାବାଳିକାଙ୍କୁ ପାଠକ ପରିବାର ଠିକରେ ପାରିଶ୍ରମିକ ଦେଇନଥିବା ଅଭିଯୋଗ ହୋଇଛି ।

Pathak Son In Law Maid Unnatural Death

ଦୁର୍ନୀତି ଅଡ଼ୁଆ ସୂତାରେ ଛନ୍ଦି ହୋଇଛନ୍ତି ଅଭୟକାନ୍ତ ପାଠକ । ଏବେ ସନ୍ଦେହ ପାରା ବଢାଇଛି ଘରୋଇ ସହାୟିକାଙ୍କ  ରହସ୍ୟଜନକ ମୃତ୍ୟୁ । କେମିତି ପ୍ରାଣ ହରାଇଲେ ନାବାଳିକା ? ଏନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ତେବେ ତରବରିଆ ଭାବେ ବନ ବିଭାଗ ଗାଡ଼ିରେ ପରିବାର ଲୋକଙ୍କୁ ଡାକି ଆର୍ଥିକ ପ୍ରଲୋଭନ ଦେଖାଇ ଘଟଣାକୁ ଚାପି ଦିଆଯାଇଥିବା ଚର୍ଚ୍ଚା ହେଉଛି । ନାବାଳିକାଙ୍କ ପାଇଁ ନ୍ୟାୟ ମାଗିଛି ସୁବର୍ଣ୍ଣପୁର ଡୁମ୍ବାଳ ଯୁବ ସମାଜ ।

Pathak Son In Law Maid Unnatural Death

ଜାଲିଆତି ଜାଲରେ ପାଠକ ବାପା-ପୁଅ । ସେପଟେ ନାବାଳିକାଙ୍କ ରହସ୍ୟମୟ ମୃତ୍ୟୁ ନେଇ ମିଳୁନି ଖିଅ । ଏହି ଘଟଣାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଦାବି ହୋଇଛି ।

Leave a Reply