ଅନଲାଇନରେ ଲିକ ହେଲା ବିବାଦୀୟ ଫିଲ୍ମ ‘ପଠାନ’ର ଟ୍ରେଲର,ଭିଡିଓ ହେଲା ଭାଇରାଲ

1 min read

ମୁମ୍ବାଇ : ବାଦ ବିବାଦ ଘେରରେ ରହିଥିବା ବଲିଉଡର ବାଦଶାହ ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ଅପ କମିଙ୍ଗ ଫିଲ୍ମ ‘ପଠାନ’ର ଟାଇଟଲ ବଦଳିବା ନେଇ  ଚର୍ଚ୍ଚା ଚାଲିଥିବା ବେଳେ  ପୁଣି ଏକ ବଡ ଖବର ସାମ୍ନାକୁ ଆସିଛି । ଫିଲ୍ମର ଟ୍ରେଲର ଆସନ୍ତା ସପ୍ତାହରେ ମୁକ୍ତିଲାଭ କରିବାକୁ ଥିବାବେଳେ  ଅନଲାଇନରେ ଫିଲ୍ମର ଟ୍ରେଲର ଲିକ ହୋଇଛି । ରିଲିଜ ହେବା ପୂର୍ବରୁ ହିଁ ପଠାନ ଚଳଚିତ୍ର ଖୁବ ଜୋରସୋରରେ ଚର୍ଚ୍ଚା ସାଉଁଟି ସାରିଲାଣି । ଦର୍ଶକ ଖୁବ ଉତ୍ସାହର ସହ ବାଦଶାହଙ୍କ ଏହି ଫିଲ୍ମକୁ ଦେଖିବାକୁ ଅପେକ୍ଷା କରି ରହିଛନ୍ତି । ଏହାର ଏକ ମୁଖ୍ୟ କାରଣ ହେଉଛି କିଙ୍ଗ ଖାନ ଦୀର୍ଘ ଚାରିବର୍ଷ ପରେ ବଡ ପରଦାକୁ କମବ୍ୟାକ କରୁଛନ୍ତି ।

ଫିଲ୍ମ ‘ପଠାନର ରିଲିଜ ହୋଇଥିବା ବେସରମ ଗୀତରେ ଦୀପିକାଙ୍କ ଗେରୁଆ ରଙ୍ଗର ବିକିନି କଷ୍ଟ୍ୟୁମକୁ ଦେଖି ଉତ୍ୟକ୍ତ ହୋଇପଡିଥିଲେ ହିନ୍ଦୁବାଦୀ । ଦୀପିକା ଗୀତରେ ଗେରୁଆ ବିକିନି ପିନ୍ଧି ନାଚିବା ହିନ୍ଦୁଧର୍ମ ପ୍ରତି ଅପମାନ ବୋଲି ଅଭିଯୋଗ ଆଣି ହଙ୍ଗାମା କରିଛନ୍ତି ବିରୋଧୀ । ଏସବୁ ବିବାଦ ଭିତରେ ଫିଲ୍ମର ରିଲିଜ ସ୍ଥଗିତ କରାଯାଇପାରେ ବୋଲି ଶୁଣିବାକୁ ମିଳୁଛି । ଜାନୁଆରୀ ୨୫ରେ କିଙ୍ଗ ଖାନଙ୍କର ଏହି ବିବାଦୀୟ ଫିଲ୍ମ ରିଲିଜ ହେବାକୁ ଯାଉଛି । ଏମିତିରେ ୟଶରାଜ ବ୍ୟାନରରେ ନିର୍ମିତ ପଠାନ ଫିଲ୍ମର ବର୍ତ୍ତମାନ ୨ଟି ଗୀତ ରିଲିଜ ହୋଇସାରିଛି । କିନ୍ତୁ ବର୍ତ୍ତମାନ ଯାଏଁ ଫିଲ୍ମର ଟ୍ରେଲର ରିଲିଜ ହୋଇନାହିଁ । କିନ୍ତୁ ଟ୍ରେଲର ରିଲିଜ ପୂର୍ବରୁ ହିଁ ବୁଧବାର ଏହା ଅନଲାଇନରେ ଲିକ ହୋଇସାରିଥିବା ଦାବି କରାଯାଉଛି । ପଠାନର ଟ୍ରେଲର ଲିକ ହେବା ଖବର ପୁଣି ଥରେ ଚଳଚିତ୍ରକୁ ଚର୍ଚ୍ଚାକୁ ଟାଣି ଆଣିଛି । ତେବେ କହି ରଖୁଛୁ, ସୋସିଆଲ ମିଡିଆ ସାଇଟ ଟ୍ୱିଟରରେ ଗୋଟିଏ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓଟି ‘ପଠାନ’ର ଟ୍ରେଲର ଥିବା ନେଇ ଦାବି କରାଯାଉଛି । ଉକ୍ତ ଭିଡିଓରେ ଶାହରୁଖ ଖାନ ଏକ ସିନରେ ଲଢୁଥିବା ନଜର ଆସିଛନ୍ତି ।ଟ୍ୱିଟରରେ ସେୟାର ହୋଇଥିବା ଏହି ଭିଡିଓର କ୍ୟାପସନରେ ‘ପଠାନର ଟ୍ରେଲର ଲିକ ‘ବୋଲି ସ୍ପଷ୍ଟ ଲେଖାହୋଇଛି । ଶାହରୁଖଙ୍କର ଜବରଦସ୍ତ ଆକ୍ସନ ମୁଭ୍ସ ସେହି ଭିଡିଓରେ ରହିଛି । ଶାହରୁଖଙ୍କ ଜନ୍ମଦିନରେ ‘ପଠାନ’ ର ଟିଜର ରିଲିଜ ସରିଥିଲା ।

 

ଫିଲ୍ମ ନିର୍ମାତାଙ୍କ ତରଫରୁ ଫିଲ୍ମର ଟ୍ରେଲର ରିଲିଜ ସଂପର୍କରେ କୌଣସି ଅପଡେଟ ମିଳିନି । ଏଠାରେ ମିଡିଆ ରିପୋର୍ଟ ଅନୁଯାୟୀ ‘ପଠାନ’ର ଟ୍ରେଲର ଏହି ସପ୍ତାହ କିମ୍ବା ଆଗାମୀ ସପ୍ତାହ ଶେଷ ସୁଦ୍ଧା ରିଲିଜ କରାଯାଇପାରେ । ଏହା ଛଡା ଜାନୁଆରୀ ୨୫ରେ ଫିଲ୍ମ ରିଲିଜ ହେଉଛି । ତେବେ ଏଠାରେ ଦେଖିବାକୁ ବାକି ରହିଲା ଫିଲ୍ମରେ ହିନ୍ଦୁ ସଂଗଠନ ବିରୋଧ କରିଥିବା ସିନ ସବୁ ଫିଲ୍ମରେ ଏଡିଟିଂ ହୋଇଛି ନା ନାହିଁ । ତାହା କେବଳ ପଠାନ ଫିଲ୍ମ ରିଲିଜରେ ପରେ ଜଣାପଡିବ ।