ବାଦ ବିବାଦ ଭିତରେ ଜାନୁଆରୀ ୨୫ରେ ରିଲିଜ୍ ହେଉଛି ଫିଲ୍ମ ‘ପଠାନ’

1 min read

ନୂଆଦିଲ୍ଲୀ: ବାଦ ବିବାଦ ଭିତରେ ଜାନୁଆରୀ ୨୫ରେ ରିଲିଜ୍ ହେଉଛି ଫିଲ୍ମ ‘ପଠାନ’। ‘ବେସରମ ରଙ୍ଗ’ ଗୀତରେ ଦୀପିକାଙ୍କ ବୋଲ୍ଡ ଓ ଗ୍ଲାମରସ୍ ଲୁକ ଖୁବ୍ ଚର୍ଚ୍ଚାରେ ଥିଲେ । କେହି କେହି ଏହି ଲୁକକୁ ପସନ୍ଦ କରିଥିଲେ, ହେଲେ ଗେରୁଆ ବିକିନି ପିନ୍ଧା ନାଚ ସମସ୍ତଙ୍କୁ ପସନ୍ଦ ଆସିନଥିଲା । ହିନ୍ଦୁଧର୍ମ ପ୍ରତି ଅପମାନ ଅଭିଯୋଗ କରି ହଙ୍ଗାମା କରିଥିଲେ ବିରୋଧୀ। ଯାହା ପରେ ସେନସର୍ ବୋର୍ଡ ଫିଲ୍ମର ଟାଇଟଲ୍ ସହ କିଛି ସିନକୁ ହଟାଇବେ ବୋଲି ଚର୍ଚ୍ଚା ହୋଇଥିଲା।  ତେବେ ସେ ଯାହା ହେଉନା କାହିଁକି ରିଲିଜ ପୂର୍ବରୁ କେଜିଏଫ୍ ୨ର ରେକର୍ଡ ଭାଙ୍ଗିଥିଲା ‘ପଠାନ’ । ପ୍ରି-ବୁକିଂରେ ୯ କୋଟି ଟଙ୍କାର ବିଜନେସ କରିଥିଲା ଶାହରୁଖଙ୍କ ଏହି ଫିଲ୍ମ । ତେବେ ଆସନ୍ତୁ ଜାଣିବା ‘ପଠାନ’କୁ ନେଇ କ’ଣ ରହିଛି ବିବାଦ…

ଗୁଜୁରାଟର ଅହମ୍ମଦାବାଦର ଏକ ମଲ୍ଟିପ୍ଲେକ୍ସରେ ପଠାନର ପ୍ରମୋଶନ ଚାଲିଥିବା ବେଳେ ହୋଇଥିଲା ହଙ୍ଗାମା । ବଜରଙ୍ଗ ଦଳର କର୍ମୀ ହଲ ଭିତରେ ପୋଷ୍ଟର ଫାଡ଼ି ହଙ୍ଗାମା କରିଥିଲେ । ମଲ ଭିତରକୁ ଜୋର ଜବରଦସ୍ତି ପଶି କର୍ମୀମାନେ ପ୍ରଥମେ ପୋଷ୍ଟର ଫାଡିବା ପରେ  ଥିଏଟର ଭିତରେ ଭଙ୍ଗାରୁଜା କରିଥିଲେ । ଏହା ସହିତ ଫିଲ୍ମକୁ ରିଲିଜ ନକରିବା ପାଇଁ ଖୁଲମଖୁଲା ଧମକ ମଧ୍ୟ ଦେଇଥିଲେ। ଭିଏଚପିର ମୁଖ୍ୟ ହିତେନ୍ଦ୍ର ସିଂ ରାଜପୁତ କହିଥିଲେ, ଗୁଜୁରାଟରେ ପଠାନର ସ୍କ୍ରିନିଂକୁ ଆମେ କେବେ ବି ଅନୁମତି ଦେବୁନି।

ବେସରମ ରଙ୍ଗ, ଗୀତରେ ଶାହାରୁଖ ଓ ଦୀପିକା ପାଦୁକୋନଙ୍କ ଡ୍ରେସକୋଡକୁ ନେଇ ବର୍ଷିଥିଲେ ମଧ୍ୟପ୍ରଦେଶ ମନ୍ତ୍ରୀ ଡକ୍ଟର ନରୋତ୍ତମ ମିଶ୍ର। ଯଦି ଫିଲ୍ମକୁ ପୁନଃସମ୍ପାଦିତ ନକରାଯାଏ ତେବେ ରାଜ୍ୟରେ ଫିଲ୍ମକୁ ନିଷିଦ୍ଧ କରାଯିବ ବୋଲି ସେ ଧମକ ଦେଇଥିଲେ । ଆଉ କହିଥିଲେ- ଗୀତରେ ବ୍ୟବହୃତ ହୋଇଥିବା ପୋଷାକ ଅତ୍ୟନ୍ତ କୁତ୍ସିତ, ଯାହାକୁ ତୁରନ୍ତ ହଟାଇବା ଦରକାର ।  ସେପଟେ ସ୍ବାମୀ ଚକ୍ରପାଣି ମହାରାଜ ମଧ୍ୟ ଗୀତର ତୀବ୍ର ବିରୋଧ କରି ସେନସର ବୋର୍ଡ ବିରୋଧରେ ଗର୍ଜିଥିଲେ।  ବିଶ୍ୱ ହିନ୍ଦୁ ପରିଷଦ ପଦାଧିକାରୀ କହିଥିଲେ, ଯଦି ଶାହାରୁଖ କ୍ଷମା ନ ମାଗନ୍ତି ତେବେ ଫିଲ୍ମକୁ ରିଲିଜ କରିବାକୁ ଦିଆଯିବ ନାହିଁ ।

ଖାଲି ଦେଶରେ ନୁହେଁ ଓଡ଼ିଶାରେ ମଧ୍ୟ ‘ପଠାନ’ ଫିଲ୍ମକୁ ବିରୋଧ କରାଯାଉଛି। କଳିଙ୍ଗସେନା ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି । କଳିଙ୍ଗସେନାର ଅଭିଯୋଗ ମୁତାବକ ଗୀତ ଓ ନୃତ୍ୟରେ ଅଶ୍ଳୀଳତାର ଚରମ ସୀମାରେ ପହଞ୍ଚିଛି ଏହି ଫିଲ୍ମ। ଗୀତରେ ଯେଉଁ ଭଳି ଅଙ୍ଗଭଙ୍ଗୀ ପ୍ରଦର୍ଶନ କରାଯାଇଛି, ତାହା ଛୋଟପିଲା ଓ ଛାତ୍ରଛାତ୍ରୀଙ୍କ ଉପରେ କୁପ୍ରଭାବ ପକାଇବ ବୋଲି ଏତଲାରେ ଦର୍ଶାଇଛି କଳିଙ୍ଗସେନା।

ୟଶରାଜ ବ୍ୟାନରରେ ନିର୍ମିତ ଚଳଚ୍ଚିତ୍ର ‘ପଠାନ’ ୨୦୨୩ର ସବୁଠୁ ଚର୍ଚ୍ଚିତ ଓ ବିବାଦୀୟ ଫିଲ୍ମ । ବିବାଦ ଅନୁସାରେ ‘ପଠାନ’ ବକ୍ସ ଅଫିସରେ କେତେ ଆୟ କରୁଛି ତାହା ଉପରେ ସମସ୍ତଙ୍କ ନଜର।  ପ୍ରାୟ ୪ ବର୍ଷ ଧରି ବଡ଼ ସ୍କ୍ରିନରୁ ଦୂରରେ ରହିଥିବା କିଙ୍ଗ ଖାନଙ୍କ ଫିଲ୍ମ ପଠାନକୁ ଅତି ଉତ୍ସାହର ସହ ଅପେକ୍ଷା କରିଛନ୍ତି ପ୍ରଶଂସକ।