ବିଦେଶୀ ମଦ ବେଆଇନ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ନନ୍ଦିଘୋଷ ବ୍ୟୁରୋ: ବିଦେଶୀ ମଦ ବେଆଇନ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ । ପିକଅପଭ୍ୟାନ ସହ ଡ୍ରାଇଭର ଓ ସହଯୋଗୀ ଗିରଫ୍ । ପାଟଣାଗଡ଼ ପୋଲିସ ସୁନାମୁଦି ଛକ ଠାରେ ଚେକିଂ କରୁଥିବା ସମୟରେ ଏକ ପିକଅପ ଭ୍ୟାନକୁ ଅଟକାଇଥିଲେ । ଯାଞ୍ଚ ସମୟରେ ଗାଡ଼ିରେ ବିଦେଶୀ ମଦ ଥିବା ପୋଲିସ ଜାଣିବାକୁ ପାଇଥିଲା । ଗାଡ଼ି ମଧ୍ୟରୁ ୨୫୪ ଲିଟର ବିଦେଶୀ ମଦ ସହ ଗାଡିକୁ ଜବତ କରିଥିଲା ପୋଲିସ । ଏହାସହ ସଂପୃକ୍ତ ଡ୍ରାଇଭର ଓ ସହଯୋଗୀକୁ ମଧ୍ୟ ଗିରଫ କରାଯାଇଛି । ଗିରଫ ଦୁଇ ଜଣ ହେଲେ ଡ୍ରାଇଭର ଚୁଳା ଚକ୍ରବର୍ତ୍ତୀ କାଣ୍ଡ ଓ ତାଙ୍କ ସହଯୋଗୀ ରବିନ୍ଦ୍ର କୁମାର ବାବୁ । ଦୁଇ ଅଭିଯୁକ୍ତଙ୍କୁ ପୋଲିସ ପଚରାଉଚରା କରିବା ବେଳେ ଏକ ବିଦେଶୀ ମଦ ଦୋକାନରୁ ବିଦେଶୀ ମଦ ସୁନାମୁଦିର ଏକ ବେଆଇନ ମଦ ବେପାରୀ ପାଖକୁ ନେଉଥିବା ସ୍ବୀକାର କରିଥିଲେ ଅଭିଯୁକ୍ତ । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।