ଆଜୀବନ କାରାଦଣ୍ଡାଦେଶ ପରେ ଜଜଙ୍କ ଆଗରେ ହାତ ଯୋଡ଼ି କ୍ଷମା କରିବାକୁ ଭିକ ମାଗିଲା ଦୁଷ୍କର୍ମ ଅପରାଧୀ ବଜିନ୍ଦର ସିଂହ

ମୋହାଲି: ମୋର ଛୋଟ ଛୋଟ ପିଲା । ମୋ ସ୍ତ୍ରୀ ରୋଗାଗ୍ରସ୍ତ । ମୋ ଗୋଡରେ ରଡ଼ ଲାଗିଛି । ମୋ ପରିବାର ସାମାଜିକ ଜୀବନ ବିତାଉଛନ୍ତି । ମୋ ଉପରେ ଦୟା କରନ୍ତୁ । ମୋତେ କ୍ଷମା କରି ଦିଅନ୍ତୁ । ଏମିତି କହିବା ବେଳେ ହାତ ଯୋଡ଼ି ଜଜଙ୍କ ଆଗରେ କାନ୍ଦୁଥିଲେ ଦୁଷ୍କର୍ମ ଅଭିଯୁକ୍ତ ପାଦ୍ରୀ ବଜିନ୍ଦର ସିଂହ । ପଞ୍ଜାମର ମୋହାଲି ଜିଲ୍ଲା କୋର୍ଟ ଏକ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇବା ପରେ ହାତ ଯୋଡ଼ି କାନ୍ଦି କାନ୍ଦି ଏମିତି ନେହୁରା ହୋଇଥିଲେ ବଜିନ୍ଦର । ହେଲେ ଦୁଷ୍କର୍ମ ଅପରାଧୀର ଏମିତି କାନ୍ଦ ଜଜଙ୍କୁ ପ୍ରଭାବିତ କରି ନଥିଲା । ଜଜଙ୍କ ରାୟ ପରେ ପୋଲିସ ବଜିନ୍ଦରକୁ ପୁଣି ଜେଲକୁ ନେଇ ଯାଇଛି । ପୀଡ଼ିତଙ୍କ ଓକିଲ କହିଛନ୍ତି, କୋର୍ଟ ରାୟ ଶୁଣାଇବା ସହ ମୃତ୍ୟୁ ପର୍ଯ୍ୟନ୍ତ ବଜିନ୍ଦରଙ୍କୁ ଜେଲରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ଗତ ୨୮ ମାର୍ଚ୍ଚରେ ଜିଲ୍ଲା କୋର୍ଟ ବଜିନ୍ଦରଙ୍କୁ ମାମଲାରେ ଦୋଷୀ ବୋଲି ରାୟ ଦେଇଥିଲେ । ଏହାପରେ ତାଙ୍କୁ ପଟିଆଲା ଜେଲକୁ ପଠାଇ ଦିଆଯାଇଥିଲା । ପାଦ୍ରୀ ବଜିନ୍ଦର ସିଂହ ଚମତ୍କାରୀ ଚିକିତ୍ସା ଓ ପ୍ରାର୍ଥନା ସଭା ପାଇଁ ଲୋକପ୍ରିୟ ଥିଲେ । ଅତିରିକ୍ତ ଜିଲ୍ଲା ଓ ସେସନ ଜଜ୍ ବିକ୍ରାନ୍ତ ଗୁପ୍ତା ମାମଲାର ରାୟ ଶୁଣାଇବା ସହ କହିଥିଲେ, ନିଜକୁ ଜଣେ ଧାର୍ମିକ ନେତା ଭାବେ ଉପସ୍ଥାପିତ କରୁଥିବା ବ୍ୟକ୍ତି ଏମିତି ଜଘନ୍ୟ କାମ କରିପାରିବେ ନାହିଁ । ବିଶେଷ କରି, ସେମାନଙ୍କ ବିରୋଧ ଯେଉଁମାନଙ୍କର ତାଙ୍କ ଉପରେ ଆଶା ଓ ଭରସା ରହିଛି । କୋର୍ଟଙ୍କ ଏହି ରାୟ ନା କେବଳ ପୀଡ଼ିତାଙ୍କୁ ନ୍ୟାୟ ଦେଇଛି, ବରଂ ସେ ସମସ୍ତଙ୍କୁ ବି ନ୍ୟାୟ ଦେଇଛି ଯେଉଁମାନେ ବଜିନ୍ଦରଙ୍କ ବିରୋଧରେ ସ୍ବର ଉଠାଇଥିଲେ ।
କ’ଣ ଥିଲା ମାମଲା ?
ମାମଲା ୨୦୧୮ର । ଜିରକପୁରର ଜଣେ ମହିଳା ବଜିନ୍ଦର ସିଂହଙ୍କ ବିରୋଧରେ ଏତଲା ଦେଇଥିଲେ । ମହିଳା ଅଭିଯୋଗ କରିଥିଲେ ଯେ, ବଜିନ୍ଦର ତାଙ୍କୁ ବିଦେଶ ପଠାଇବାର ଲୋଭ ଦେଖାଇ ମୋହାଲି ସେକ୍ଟର ୬୩ରେ ଥିବା ତାଙ୍କ ବାସଭବନକୁ ଡକାଇଥିଲେ । ସେଠାରେ ସେ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଆଉ ଏହାର ଭିଡିଓ ରେକର୍ଡ କରି କାହାକୁ କିଛି କହିଲେ ସୋସିଆଲ ମିଡିଆରେ ଭାଇରାଲ କରି ଦେବାକୁ ଧମକ ଦେଇଥିଲେ । ଡରରେ କିଛି ଦିନି ମହିଳା ଜଣଙ୍କ ଚୁପ ରହିଥିଲେ । ଏହାପରେ ସାହସ କରି ୨୦୧୮ ଏପ୍ରିଲରେ ଜିରକପୁର ପୋଲିସ ଷ୍ଟେସନରେ ଏତଲା ଦେଇଥିଲେ । ଏତଲାକୁ ଆଧାର କରି ପୋଲିସ ବଜିନ୍ଦରଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ୩୭୬ (ଦୁଷ୍କର୍ମ), ୩୨୩ (ଜାଣତରେ ଆଘାତ ଦେବା) ଓ ୫୦୬ (ଅପରାଧିକ ଧମକ) ଆଧାରରେ ମାମଲା ରୁଜୁ କରିଥିଲା ।