ଦ୍ୱନ୍ଦ୍ୱରେ ଷ୍ଟାଣ୍ଡକୁ ଆସିଲେନି ଯାତ୍ରୀ: କିଛି ସ୍ଥାନରେ ବିନା ଯାତ୍ରୀରେ ଗଡ଼ିଲା ବସ୍‌

ଭୁବନେଶ୍ୱର: ଲକଡାଉନ 4.0ର ଶେଷ ଭାଗରେ ରାଜ୍ୟରେ ଗଡ଼ିଛି ଘରୋଇ ବସ । ପ୍ରଥମ ଦିନରେ ହାତ ଗଣତି ବସ ଗଡିଥିବାବେଳେ କିଛି ସ୍ଥାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବସ୍‌ ଯାତ୍ରା ଆରମ୍ଭ ହୋଇପାରିନି । ତେବେ ଅନେକ ଥର ନିଷ୍ପତ୍ତି ପରିବର୍ତ୍ତନ ଯୋଗୁ ବସ୍‌ ଚାଲିବ କି ନାହିଁ ସେହି ଦ୍ୱନ୍ଦ୍ୱରେ ଷ୍ଟାଣ୍ଡକୁ ଆସିନଥିଲେ ଯାତ୍ରୀ ।

ତେଣୁ ତାଳଚେରରେ ବିନା ଯାତ୍ରୀରେ ବସ୍‌ ଗଡ଼ଥିବା ଦେଖିବାକୁ ମିଳିଛି । ତେବେ ବସ୍‌ ଗଡିବାକୁ ନେଇ ଏବେ ବି ଅନେକ ସମସ୍ୟା ରହିଛି । ବସ ଚଳାଇବାକୁ ଡ୍ରାଇଭର ରାଜି ହେଉନଥିବାବେଳେ ଅନେକ ଗାଡ଼ି ଅଚଳ ହୋଇ ପଡ଼ିରହିଛି ।

ରାତି ପାହିଲାବେଳକୁ ବସ ଷ୍ଟାଣ୍ଡରେ ପହଞ୍ଚିଯାଇଥିଲେ ଯାତ୍ରୀ ।  ବସ ଚାଲିବା ନିଷ୍ପତ୍ତି ପରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଯାତ୍ରୀଙ୍କ ଆଶା ସଞ୍ଚାର ହୋଇଥିଲା । କିନ୍ତୁ ବାସ୍ତବ ରୂପ ଥିଲା ଆଉ କିଛି । ଭୁବନେଶ୍ୱରରୁ ଗଡ଼ିଲା ମାତ୍ର ହାତ ଗଣତି ବସ । ଯାତ୍ରା କରୁଥିଲେ ବି ଯାତ୍ରୀଙ୍କ ମନରେ ଥିଲା କରୋନା ଭୟ ।

ସେହିପରି ଯାତ୍ରୀ ନଥିବାରୁ ଅନେକ ବସ ମଧ୍ୟ ଷ୍ଟାଣ୍ଡରୁ ବାହାରିପାରିନି । ଯାଜପୁରରୁ ଭୁବନେଶ୍ୱରକୁ ବସ ଗଡିବା ପାଇଁ ସବୁ ବ୍ୟବସ୍ଥା ହୋଇଥିବାବେଳେ ଯାତ୍ରୀଙ୍କ ଦେଖା ନଥିଲା । ସେହିପରି ଅନୁଗୁଳ, ବାଲେଶ୍ୱରରେ ଓ ରାଉରକେଲାରୁ ବି ଗଡିନି ବସ । ତେବେ ଭଦ୍ରକରୁ ଗୋଟିଏ ବସ୍‌ ଗଡିଥିବାବେଳେ ତାଳଚେରରୁ ବିନା ଯାତ୍ରୀରେ ଗଡିଛି ବସ ।

ଭୁବନେଶ୍ୱର, ପୁରୀ, ବାଲେଶ୍ୱର, ତାଳଚେର ଓ କଟକରୁ ମାତ୍ର ଗୋଟିଏ ଦୁଇଟି ଲେଖାଏଁ ବସ ଗଡ଼ିଛି । ଆଗକୁ ପରିସ୍ଥିତି କିଭଳି ସ୍ୱାଭାବିକ ହେବ ସେ ନେଇ ଘରୋଇ ବସ ମାଲିକ ସଂଘର ତୁହାକୁ ତୁହା ବୈଠକ ଚାଲିଛି । ତେବେ ଜୁନ ପହିଲା ସୁଦ୍ଧା ବସ ଚଳାଚଳ ସ୍ୱାଭାବିକ ହେବ ବୋଲି ପରିବହନ ମନ୍ତ୍ରୀ ଅଶା ଦେଇଛନ୍ତି ।

ତେବେ କର୍ମଚାରୀ ଛୁଟିରେ ଥିବାବେଳେ ଏବେ ବସ ଗଡେଇଲେ ମେ’ ମାସର ରୋଡ ଟିକସ ଦେବାକୁ ପଡିବ ବୋଲି ବସ ମାଲିସ ସଂଘ କହିଛି ।

Leave a Reply