ବିମାନରେ ନମାଜ ପଢାକୁ ବାରଣ କରିବାକୁ ଝରକା ଭାଙ୍ଗିବାକୁ ଉଦ୍ୟମ, ଭିଡିଓ ଭାଇରାଲ

1 min read

ଇସ୍‌ଲାମାବାଦ: ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (ପିଆଇଏ)ର ପେଶାୱାର-ଦୁବାଇ ବିମାନରେ ଯାତ୍ରୀଙ୍କ ତୁମୁଳକାଣ୍ଡ  । ଭାଙ୍ଗିଦେଲେ ବିମାନର ଝରକା  । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି  । ବିମାନରେ ନମାଜ ପଢିବାକୁ ବାରଣ କରାଯିବାରୁ ଯାତ୍ରୀ ଜଣଙ୍କ ଏଭଳି କାଣ୍ଡ ଘଟାଇଛନ୍ତି । ଘଟଣା ପରେ ତାଙ୍କୁ ବିମାନ ଭିତରେ ବାନ୍ଧି ଦେଇଥିଲେ କ୍ରୁ ମେମ୍ବର ।

ପିଆଇଏର ପିକେ ୨୮୩ ନମ୍ବର ବିମାନ ଉଡାଣ ଭରିବା ପରେ ହଠାତ ଜଣେ ଯାତ୍ରୀ ବିମାନର ସିଟ୍‌କୁ ମୁଥା ମାରିବା ଆରମ୍ଭ କରିଦେଇଥିଲେ  । ଏହାପରେ ଯାତ୍ରୀ ଜଣକ ତଳେ ବସି ପଡି ମୁଣ୍ଡରେ କପଡା ବାନ୍ଧି ନମାଜ ପଢିବା ଆରମ୍ଭ କରିଦେଇଥିଲେ  । ବିମାନର କ୍ରୁ ମେମ୍ବର ତାଙ୍କୁ ଅଟକାଇବାରୁ ଯାତ୍ରୀ ଜଣକ ଆହୁରି ଉତ୍‌କ୍ଷିପ୍ତ ହୋଇ ଉଠିଥିଲେ  ।

ସିଟ୍‌ ଗୁଡିକୁ ଗୋଇଠା ମାରିବା ସହ ସାର୍ଟ ଖୋଲି ବିମାନର ଝରକା ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ପୁଣି କେତେବେଳେ ତଳେ ଶୋଇପଡି ଜିନିଷପତ୍ର ଗୁଡିକୁ ବାହାର କରିବାରେ ଲାଗି ପଡିଥିଲେ । ଯାହା ଦେଖିବା ପରେ ଆତଙ୍କିତ ହୋଇପଡିଥିଲେ ସହଯାତ୍ରୀ  ।

ଦୀର୍ଘ ସମୟ ଧରି ଯାତ୍ରୀଙ୍କ ହଙ୍ଗାମାରେ ଅତିଷ୍ଠ ହୋଇ ତାଙ୍କୁ ବିମାନ ସିଟ୍‌ରେ ବାନ୍ଧି ପକାଇଥିଲେ କ୍ରୁ ମେମ୍ବର  । ଏହାସହ ପ୍ରୋଟୋକଲ ଅନୁସାରେ ପାଇଲଟ ଦୁବାଇ ଏୟାର ଟ୍ରାଫିକ କଣ୍ଟ୍ରୋଲରଙ୍କ ସହ ଯୋଗାଯୋଗ କରିଥିଲେ  । ଦୁବାଇ ବିମାନ ବନ୍ଦରରେ ଅବତରଣ କରିବା ପରେ ସୁରକ୍ଷାକର୍ମୀ ଯାତ୍ରୀ ଜଣଙ୍କୁ ଗିରଫ କରିଛନ୍ତି  । ସେହିପରି ଯାତ୍ରୀ ଜଣଙ୍କୁ ବ୍ଲାକଲିଷ୍ଟ୍‌ କରିଛି ପାକିସ୍ତାନ ଏୟାରଲାଇନ୍ସ  ।