ପଞ୍ଚମ ଓ ଅଷ୍ଟମରେ ପାସ୍, ଫେଲ ବ୍ୟବସ୍ଥା ଲାଗୁ; ଛାତ୍ରଛାତ୍ରୀଙ୍କୁ ମାନସିକ ସ୍ତରରେ ଦୃର୍ବଳ କରିବା ଆଶଙ୍କା ପ୍ରକାଶ କଲେ ଶିକ୍ଷକ

ନନ୍ଦିଘୋଷ ବ୍ୟୁରୋ: ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପାସ୍ ଫେଲ୍ ବ୍ୟବସ୍ଥା ଲାଗୁ ହୋଇଛି । ନୂତନ ଶିକ୍ଷା ନୀତି-୨୦୨୦ ଆଧାରରେ ଏହି ନୂଆ ନିୟମ ପ୍ରଣୟନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡ୍ଲାଇନ୍ ଜାରି କରିବା ସହ ତ୍ରୀସ୍ତରୀୟ ଷ୍ଟିୟରିଂ କମିଟି ଗଠନ କରାଯାଇଛି । ହେଲେ ଫେଲ୍ ବ୍ୟବସ୍ଥାକୁ ନେଇ ଶିକ୍ଷକ ମହଲରେ କେଁ ଦେଖାଦେଲାଣି । ଏତେ ଦିନରୁ ଫେଲ୍ ବ୍ୟବସ୍ଥା ନଥିବାରୁ ହଠାତ ଫେଲ ଲାଗୁ ହେଲେ ମାନସିକ ସ୍ତରରେ ଛାତ୍ର ଦୁର୍ବଳ ହେବା ନେଇ କିଛି ଶିକ୍ଷକ ଆଶଂକା ପ୍ରକାଶ କରିଛନ୍ତି । ସେପଟେ ଶିକ୍ଷାରେ ସଂସ୍କାର ପାଇଁ ଏହା କରାଯାଉଥିବା ଷ୍ଟିୟରିଂ କମିଟି ପକ୍ଷରୁ କୁହାଯାଇଛି ।
ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷାର ମୂଲ୍ୟାୟନ କରାଯିବ । ଫେଲ ହେଲେ ସପ୍ଲିମେଣ୍ଟାରୀ ଦେବାକୁ ପଡ଼ିବ । ଫେଲ ହେଲେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇ ପାରିବେ ନାହିଁ ଛାତ୍ରଛାତ୍ରୀ । ଏହି ଗାଇଡଲାଇନ ଅନୁସାରେ, ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ମୌଖିକ ଓ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ମୋଟ ୫୦ ମାର୍କରୁ ୧୦ ମାର୍କ ମୌଖିକ ଓ ୪୦ ମାର୍କ ଲିଖିତ ପରୀକ୍ଷା ରହିବ । ୮ମ ଶ୍ରେଣୀ ପାଇଁ କେବଳ ୫୦ ମାର୍କର ଲିଖିତ ପରୀକ୍ଷା କରାଯିବ । ପ୍ରଶ୍ନପତ୍ରରେ ସମିଟିଭ୍ ଆସେସମେଣ୍ଟ – ୧ ପୂର୍ବରୁ ପଢ଼ାଯାଇଥିବା ପାଠ୍ୟକ୍ରମରୁ ୩୦ ପ୍ରତିଶତ ପ୍ରଶ୍ନ ଓ ପରେ ପଢ଼ାଯାଇଥିବା ପାଠ୍ୟକ୍ରମରୁ ୭୦ ପ୍ରତିଶତ ପ୍ରଶ୍ନ ରହିବ । ୩୦ ପ୍ରତିଶତ ସହଜ, ୪୦ ପ୍ରତିଶତ ହାରାହାରି ଓ ୩୦ ପ୍ରତିଶତ କଷ୍ଟକର ପ୍ରଶ୍ନ ରହିବ । ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ୬୦ ପ୍ରତିଶତ ଅର୍ଥାତ୍ ୩୦ ମାର୍କ ଓ ଦୀର୍ଘ ଉତ୍ତରମୂଳକ ୪୦ ପ୍ରତିଶତ ଅର୍ଥାତ୍ ୨୦ ମାର୍କର ରହିବ । ସ୍କୁଲ ସ୍ତରରେ ବିଷୟ ଭିତ୍ତିକ ଶିକ୍ଷକଙ୍କ ଦ୍ବାରା ଉତ୍ତର ଖାତାଗୁଡ଼ିକର ମୂଲ୍ୟାୟନ କରାଯାଇ ଛାତ୍ରଛାତ୍ରୀଙ୍କୁ ପ୍ରୋଗ୍ରେସ୍ ରିପୋର୍ଟ ଦିଆଯିବ । ଫେବ୍ରୁଆରୀରେ ପରୀକ୍ଷା କରାଯିବା ସହ ମାର୍ଚ୍ଚ ଶେଷ ସପ୍ତାହ ସୁଦ୍ଧା ଫଳ ପ୍ରକାଶ କରିବା ଦିଗରେ ପଦକ୍ଷେପ ନେବେ । ୩୦ ପ୍ରତିଶତ ମାର୍କ ରଖିଲେ ପିଲା ପାସ୍ କରିବେ । ଯେଉଁମାନେ କୃତକାର୍ଯ୍ୟ ହେବେ ନାହିଁ, ସେମାନଙ୍କ ପାଇଁ ସପ୍ଲିମେଣ୍ଟାରୀ ପରୀକ୍ଷା କରାଯିବ । ତା’ପୂର୍ବରୁ ଅକୃତକାର୍ଯ୍ୟ ହୋଇଥିବା ପିଲାଙ୍କ ପାଇଁ ବିଦ୍ୟାଳୟ ପକ୍ଷରୁ ରେମେଡିଆଲ୍ ଟିଚିଂ ବ୍ୟବସ୍ଥା ହେବ ।
ସେପଟେ ଫେଲ ବ୍ୟବସ୍ଥାକୁ ନେଇ ଅନେକ ଶିକ୍ଷକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏତେ ବର୍ଷରୁ ଫେଲ ବ୍ୟବସ୍ଥା ବନ୍ଦ ଥିଲା । ଯଦି ସପ୍ଲିମେଣ୍ଟାରୀ ପରୀକ୍ଷାରେ ବି ଫେଲ ହେବେ ଛାତ୍ରଛାତ୍ରୀ, ସେମାନେ ମାନସିକ ଚାପରେ ରହିବେ । ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ନ ହେବାରୁ ଡ୍ରପଆଉଟ ବି ବଢିବ ।
ପରୀକ୍ଷା ସୁପରିଚାଳନା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ ଜାରି ସହ ୩ ସ୍ତରୀୟ ଷ୍ଟିୟରିଂ କମିଟି ଗଠନ କରାଯାଇଛି । ଗଣଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ରାଜ୍ୟ ସ୍ତରୀୟ ଷ୍ଟିୟରିଂ କମିଟିରେ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ମାଧ୍ୟମିକ, ପ୍ରାଥମିକ, ଏସସି, ଏସଟି ଉନ୍ନୟନ ବିଭାଗ ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି, ଟେକ୍ସଟ୍ବୁକ୍ ପ୍ରଡକ୍ସନ୍ ଆଣ୍ଡ ମାର୍କେଟିଂ ନିର୍ଦ୍ଦେଶକ, ଆରଆଇଇ ଭୁବନେଶ୍ଵରର ଅଧ୍ୟକ୍ଷ ଏହି କମିଟିର ସଦସ୍ୟ ରହିଛନ୍ତି । ଟିଇ ଆଣ୍ଡ୍ ଏସସିଇଆରଟି ନିର୍ଦ୍ଦେଶକ ସଦସ୍ୟ ଆବାହକ ଭାବେ ସ୍ଥାନ ପାଇଛନ୍ତି । ସେହିପରି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପରିଚାଳନା କମିଟି ଏବଂ ବ୍ଲକସ୍ତରରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି । ଫେଲ୍ ବ୍ୟବସ୍ଥାକୁ ନେଇ ଶିକ୍ଷକମାନଙ୍କ ଆବେଗକୁ ଦୃଷ୍ଟିରେ ରଖି ଷ୍ଟିୟରିଂ କମିଟି ସଫେଇ ଦେଇଛି ଯେ ଜାତୀୟ ଶିକ୍ଷା ନୀତି ୨୦୨୦ ଶିକ୍ଷାରେ ସଂସ୍କାର ପାଇଁ ପରୀକ୍ଷା ବ୍ୟବସ୍ଥାରେ ସଂଶୋଧନ କରୁଛି ।
କେବଳ ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ହିଁ ଫେଲ୍ ବ୍ୟବସ୍ଥା କାହିଁକି ଲାଗୁ କରାଗଲା ? ଏ ପ୍ରଶ୍ନ ଏଥିପାଇଁ ସନ୍ଦେହ ଟାଣୁଛି । କାରଣ ଉତ୍ତୀର୍ଣ୍ଣ ନ ହୋଇ ପାରୁଥିବା ଛାତ୍ରଛାତ୍ରୀଙ୍କ ବୟସ ନିୟମ ଜାତୀୟ ଶିକ୍ଷା ନୀତିକୁ ପ୍ରଭାବିତ କରିପାରେ ।