ପ୍ରାର୍ଥୀ ନଥିବାରୁ କଂଗ୍ରେସ ନେତାକୁ ନେଇଛି ବିଜେପି: କଂଗ୍ରେସ

1 min read

ଭୁବନେଶ୍ୱର: ଉପନିର୍ବାଚନ ତାରିଖ ଘୋଷଣା ହୋଇନାହିଁ । କିନ୍ତୁ ସବୁ ଦଳ ବଳ ଯୋଗାଡ଼ କରିବାରେ ବ୍ୟସ୍ତ । ଆରମ୍ଭ ହୋଇଛି ଦଳ ବଦଳ ପର୍ବ । ଏନେଇ କଂଗ୍ରେସ ଓ ବିଜେପି ମୁହାମୁହିଁ ହୋଇଛନ୍ତି । କଂଗ୍ରେସ କହିଛି, ବିଜେପି ପାଖରେ ପ୍ରାର୍ଥୀ ନଥିବାରୁ କଂଗ୍ରେସ ନେତାଙ୍କୁ ନେଉଛି । ଯାହାର ଜବାବ ଦେଇଛି ବିଜେପି । ସେପଟେ ବିଜେଡି କହିଛି, ଦୁଇଟି ଯାକ ଆସନରେ ଦଳ ଜିତିବ। ବିଜେଡି ପାଖରେ ବହୁତ ଯୋଗ୍ୟ ଆଶାୟୀ ପ୍ରାର୍ଥୀ ଅଛନ୍ତି ବୋଲି ଦଳ କହିଛି ।

 

ଉପନିର୍ବାଚନ ପାଇଁ ସଜବାଜ । ବଳ ଯୋଗାଡ଼ କରୁଛନ୍ତି ଦଳ । ଦଳ ବଦଳ ପର୍ବ ଆରମ୍ଭ । ପ୍ରାର୍ଥୀ ଖୋଜା ନେଇ ସରଗରମ ରାଜନୀତି । ଉପନିର୍ବାଚନରେ କିଏ କାହାର ପ୍ରାର୍ଥୀ ହେବ ? ତାରିଖ ଘୋଷଣା ପୂର୍ବରୁ କସରତ ଆରମ୍ଭ କରିଦେଇଛନ୍ତି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ । ତିର୍ତ୍ତୋଲରେ ପୂର୍ବରୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ହୋଇଥିବା ରାଜକିଶୋର ବେହେରା ବିଜେପିରେ ସାମିଲ ହେବା ପରେ ବିଜେପିକୁ କଟାକ୍ଷ କରିଛି କଂଗ୍ରେସ । ଦଳ ଅଭିଯୋଗ କରିଛି, ବିଜେପି ପାଖରେ ପ୍ରାର୍ଥୀ ନଥିବାରୁ କଂଗ୍ରେସ ନେତାଙ୍କୁ ଦଳରେ ସାମିଲ କରାଉଛି । ହେଲେ ଏଥିରେ କଂଗ୍ରେସର କିଛି କ୍ଷତି ହେବ ନାହିଁ ବୋଲି ଦଳର ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି । କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ମଧ୍ୟ ବିଜେପିକୁ ଏନେଇ କଡ଼ା ସମାଲୋଚନା କରିଛନ୍ତି ।

ଉଭୟ ତିର୍ତ୍ତୋଲ ଓ ବାଲେଶ୍ୱର ସଦର ପାଇଁ କଂଗ୍ରେସ ପ୍ରାର୍ଥୀ ଚୂଡାନ୍ତ କରିଥିବା ସୁର କହିଛନ୍ତି । ସେପଟେ କଂଗ୍ରେସ ଅଭିଯୋଗର ପାଲଟା ଜବାବ ଦେଇଛି ବିଜେପି । କୌଣସି ନେତାଙ୍କୁ ଦଳ ଭଲ ନଲାଗିଲେ ବା କୋଣଠେସା ଅନୁଭବ କଲେ ସେ ଦଳ ଛାଡ଼ିଲେ । ଏକଥାକୁ ନେଇ ରାଜନୀତି ଉଚିତ ନୁହେଁ ବୋଲି ବିଜେପି କହିଛି । ନିର୍ବାଚନ ସମୟରେ ଦଳ ବଦଳ କିଛି ନୂଆ ନୁହେଁ ବୋଲି ବିଜେଡି କହିଛି । ଯେଉଁ ଦଳ ପାଖରେ ପ୍ରାର୍ଥୀ ନଥିବେ, ସେ ଅନ୍ୟଦଳରୁ ନେତା ଆଣି ମିଶାଉଥିବେ ବୋଲି ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି । ତେବେ ଉଭୟ ତିର୍ତ୍ତୋଲ ଓ ବାଲେଶ୍ୱର ସଦର ପାଇଁ ବିଜେଡି ପାଖରେ ଅନେକ ଯୋଗ୍ୟ ଆଶାୟୀ ପ୍ରାର୍ଥୀ ଅଛନ୍ତି ବୋଲି ଦଳ କହିଛି ।

https://www.facebook.com/NandighoshaTV/videos/3302070233163945

ନିର୍ବାଚନ ଆସିଲେ ଦଳ ବଦଳ ପର୍ବ ଜୋର ଧରିଥାଏ । ଆଶାୟୀ ନେତା ଟିକେଟ ନପାଇଲେ ଦଳ ଛାଡ଼ନ୍ତି । ଯାହା ଏବେ ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ଦେଖିବାକୁ ମିଳିଲାଣି । ତେବେ ଗଡ଼ ଜିଣିବା ପାଇଁ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀ କିଏ ହେବେ, ତା’ ଉପରେ ସଭିଙ୍କ ନଜର ।

Leave a Reply