ଅଦାଲତରେ ବିଚାରପତିଙ୍କ ସମ୍ମୁଖରେ କାନ୍ଦିଲେ ପାର୍ଥ ଓ ଅର୍ପିତା,କହିଲେ ବଂଚିବାକୁ ଦିଅ

କୋଲକତା : ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନିତୀ ମାମଲାରେ ବିଚାର ବିଭାଗୀୟ ହେପାଜତରେ ଥିବା ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ସହଯୋଗୀ ଅର୍ପିତା ବୁଧବାର ଦିନ ଅଦାଲତରେ କାନ୍ଦିଛନ୍ତି । ଅଦାଲତରେ ଜାମିନ ଆବେଦନର ଶୁଣାଣି ବେଳେ ପାର୍ଥ ଚାଟାର୍ଜୀ କାନ୍ଦିକାନ୍ଦି ତାଙ୍କୁ ଜାମିନ ଦେବାକୁ ନିବେଦନ କରିଥିଲେ । ସେ କହିଥିଲେ ଯେ, ମୋତେ ମୋ ଜୀବନ ବଂଚିବାକୁ ଦିଅନ୍ତୁ ,ମୋତେ ଜାମିନ ଦିଅନ୍ତୁ । ଅନ୍ୟପକ୍ଷରେ ଅର୍ପିତା ମଧ୍ୟ ବିଚାରପତିଙ୍କ ଆଗରେ କାନ୍ଦିକରି କହିଥିଲେ ଯେ, ମୋ ଘରକୁ ଟଙ୍କା କୁଆଡୁ ଆସିଲା ମୁଁ ଜାଣିନି । ଉଭୟଙ୍କ ଆଜି ଅଦାଲତରେ ଭର୍ଚୁଆଲ ଭାବେ ହାଜର କରାଯାଇଥିଲା ।

କାନ୍ଦିଲେ ପାର୍ଥ,କାନ୍ଦିଲେ ଅର୍ପିତା

ବୁଧବାର ଦିନ ଅର୍ପିତା ଓ ପାର୍ଥ ଅନଲାଇନରେ ଅଦାଲତରେ ହାଜର ହୋଇଥିଲା । ଜାମିନ ଆବେଦନର ଶୁଣାଣି ବେଳେ ପାର୍ଥ ଚାଟାର୍ଜୀ କାନ୍ଦି କାନ୍ଦି କହିଥିଲେ ଯେ, ମୁଁ ରାଜନୀତିର ଶିକାର ହୋଇଛି । ମୋତେ ମୋ ଜୀବନ ବଂଚିବାକୁ ଦିଅନ୍ତି । ମୋତେ ଜାମିନ ଦିଅନ୍ତୁ । ସେ କହିଥିଲେ ଯେ, ମୁଁ ଜଣେ ଶିକ୍ଷିତ ବ୍ୟକ୍ତି । ମୁଁ ଅର୍ଥିନୀତିରେ ସ୍ମାତକ,ଏଲଏଲବି ବି କରିଛି । ମୁଁ ବ୍ରିଟିସ ସ୍କଲାରସିପ୍ ପାଇଛି । ମୋ ଝିଅ ଇଂଲଣ୍ଡରେ ରହୁଛି । ସାଧାରଣରେ ମୋ ଭାବମୂର୍ତ୍ତିକୁ ନେଇ ମୁଁ ଚିନ୍ତିତ ଅଛି । ଇଡି ଓ ସିବିଆଇ ମୋ ନିର୍ବାଚନ ମଣ୍ଡଳିକୁ ଯାଆନ୍ତୁ । ସେଠାରେ ମୋର ଛବି କ’ଣ ତାହା ଦେଖନ୍ତୁ । ମୁଁ କେମିତି ଏଭଳି ଗୋଟିଏ ସ୍କାମରେ ସାମିଲ ହୋଇପାରିବି । ମୋତେ ଜାମିନ ଦିଅନ୍ତୁ  । ମୋତେ ମୋ ଜୀବନ ବଂଚିବାକୁ ଦିଅନ୍ତୁ । ପାର୍ଥଙ୍କ ଓକିଲ ମଧ୍ୟ ସମାନ କଥା ଦୋହରାଇ ତାଙ୍କ ମହକିଲଙ୍କୁ ଜାମିନ ଦେବାକୁ ନିବେଦନ କରିଥିଲେ ।

ପାର୍ଥଙ୍କ ଭଳି ଅର୍ପିତାଙ୍କୁ ମଧ୍ୟ ଅଦାଲତରେ କାନ୍ଦିବା ଦେଖିବାକୁ ମିଳିଥିଲା । ଅର୍ପିତା କହିଥିଲେ ଯେ, ମୋ ଘରୁ ଇଡିକୁ ଟଙ୍କା ମିଳିଛି । ହେଲେ ଏତେ ଟଙ୍କା କେଉଁଠୁ ଆସିଲା,ଇଡି କେଉଁଠାରୁ ପାଇଲା ମୁଁ କିଛି ମଧ୍ୟ  ଜାଣିନାହିଁ । ଅର୍ପିତାଙ୍କ କଥା ଶୁଣିବା ପରେ ବିଚାରପତି ତାଙ୍କୁ ପ୍ରଶ୍ନ କରିଥିଲେ ଯେ, ଯେଉଁ ଘରୁ ଟଙ୍କା ବାହାରିଛି ତାହା ଆପଣଙ୍କ ଘର କି ? ଉତ୍ତରରେ ଅର୍ପିତା ହଁ କହିଥିଲେ । ବିଚାରପତି କହିଥିଲେ ଯେ, ଯେହେତୁ ଟଙ୍କା ଉଦ୍ଧାର ହୋଇଥିବା ଘରର ମାଲିକାନା ଆପଣଙ୍କ ପାଖରେ ଅଛି ତେଣୁ ଉତ୍ତରଦାୟୀ ମଧ୍ୟ ଆପଣ ହେବେ ।

ଅର୍ପିତା ଆହୁରି ମଧ୍ୟ କହିଥିଲେ ଯେ, ସେ ଜଣେ ଫିଲ୍ମ ଅଭିନେତ୍ରୀ । ଏତେ ଟଙ୍କା ତାଙ୍କ ଘରକୁ କେମିତି ଆସିଲା ସେ ଜାଣି ନାହାନ୍ତି । ସେ ମଧ୍ୟ ତାଙ୍କ ରୋଗୀଣା ମା’ଙ୍କ କଥା କହି ଜାମିନ ମାଗିଥିଲେ । କେବଳ ଏତିକି ନୁହେଁ ଅର୍ପିତା ତାଙ୍କ ଘର ଉପରେ ଇଡି ଚଢା଼ଉର ବୈଧତାକୁ ପ୍ରଶ୍ନ କରିଥିଲେ । ଯାହାର ଉତ୍ତରରେ ଅଦାଲତ କହିଥିଲେ ଯେ, ଇଡି ପାଖରେ ଏଭଳି ଚଢାଉ ପାଇଁ ଅଧିକାର ରହିଛି ।

ସୂଚନାଯୋଗ୍ୟ ଯେ, ଇଡି ଅର୍ପିତାଙ୍କ ଘରୁ ପ୍ରାୟ ୫୦ କୋଟି ଟଙ୍କା ଜବତ କରିଥିଲା । ଏହି ଟଙ୍କା ଶିକ୍ଷକ ଭର୍ତ୍ତି ଜାଲିଆତିରୁ ଆଦାୟ ହୋଇଥିବା ସନ୍ଦେହ କରାଯାଉଛି ।