ଭାରତର ଗଣତନ୍ତ୍ର ସାରା ବିଶ୍ଵ ପାଇଁ ପ୍ରେରଣା: ମୋଦି

ନୂଆଦିଲ୍ଲୀ: ଭାରତ ହେଉଛି ଗଣତନ୍ତ୍ରର ଜନନୀ । ଭାରତର ଗଣତନ୍ତ୍ର ସାରା ବିଶ୍ଵ ପାଇଁ ପ୍ରେରଣା । ୭୫ ବର୍ଷରେ ପହଞ୍ଚିଛି ସମ୍ବିଧାନ । ଏଥିପାଇଁ ଦେଶର ସମସ୍ତ ନାଗରିକଙ୍କୁ ଅଭିନନ୍ଦନ ଓ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଲୋକସଭାରେ ସମ୍ବିଧାନ ବିତର୍କରେ ଭାଗ ନେଇ ପ୍ରଧାନମନ୍ତ୍ରୀ ମୋଦି ସମ୍ବିଧାନ ପ୍ରଣେତାଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ସମ୍ବିଧାନ ହିଁ ଆମ ସମସ୍ତଙ୍କୁ ଏକଜୁଟ କରି ରଖିଛି । ସମ୍ବିଧାନକୁ ଶକ୍ତିଶାଳୀ କରିବାରେ ନାରୀଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ । ଏଥିପାଇଁ ଆମେ ନାରୀ ବନ୍ଦନ ଆଇନ ଆଣିଛୁ । ଆରମ୍ଭରୁ ହିଁ ଆମ ସମ୍ବିଧାନ ମହିଳାଙ୍କୁ ଭୋଟ ଦେବାର ଅଧିକାର ଦେଇଛି । ଆମର ଗଣତନ୍ତ୍ର ବହୁତ ସମୃଦ୍ଧ । ଆମର ସଂସ୍କୃତିରେ ହିଁ ଗଣତନ୍ତ୍ର ରହିଛି ।

ଆଗକୁ ସେ କହିଛନ୍ତି, ଦେଶ ଏବେ ଦ୍ରୁତ ଗତିରେ ବିକାଶ କରୁଛି । ଭାରତର ଏକତା ରକ୍ଷା ପାଇଁ ଆମେ ୩୭୦ ଧାରା ହଟାଇଛୁ । ୱାନ ନେସନ ୱାନ ଟାକ୍ସ ପାଇଁ ଜିଏସଟି ଲାଗୁ କରାଯାଇଛି । ମୋଦି ଜରୁରୀ ପରିସ୍ଥିତି ପ୍ରସଙ୍ଗ ଉଠାଇ କଂଗ୍ରେସକୁ କଡ଼ା ନିନ୍ଦା କରିଥିଲେ । ସେହି ସମୟରେ ସାରା ଦେଶକୁ ଜେଲରେ ପରିଣତ କରାଯାଇଥିଲା । ସ୍ଵାଧୀନ ମତବ୍ୟକ୍ତ କରିବାର ଅଧିକାର କଂଗ୍ରେସ ଛଡ଼ାଇ ନେଇଥିଲା କହି ମୋଦି କଡ଼ା ସମାଲୋଚନା କରିଛନ୍ତି ।